Breaking News

ଏସ୍‌ବିଆଇ ରିପୋର୍ଟ: ପ୍ରଥମ ଥର ଲାଗି ୫% ତଳେ ଗ୍ରାମୀଣ ଦାରିଦ୍ର‌୍ୟ ହାର,ସରକାରୀ ଯୋଜନାର ଲାଭ ମିଳୁଛି

ନୂଆଦିଲ୍ଲୀ,୦୪/୦୧: ଆର୍ଥିକ ବର୍ଷ  ୨୦୨୩-୨୪ରେ ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟ ଦ୍ରୁତ ଭାବେ ହ୍ରାସ ହୋଇଛି । ଏହା ପ୍ରଥମ ଥର ଲାଗି ୫%ରୁ ନିମ୍ନରେ ରହିଛି । ୨୦୨୨-୨୩ରେ ଏହା  ୭.୩% ରହିଥିବା ବେଳେ ଗତ ଆର୍ଥିକ ବର୍ଷ  ୪.୮%କୁ ଖସି ଆସିଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ।  ୨୦୧୨ରେ ଏହି ହାର ୨୫.୭% ସ୍ତରରେ ଥିଲା ।

ସହରାଞ୍ଚଳରେ ଦାରିଦ୍ର‌୍ୟ ହାର ୪.୬% ରୁ ୪.୦୯%କୁ ଖସିଛି । ଆର୍ଥିକ ବର୍ଷ ୨୦୧୨- ୧୩ରେ ଏହା ୧୩.୭% ଥିଲା । ୨୦୧୨ ତୁଳନାରେ ଦାରିଦ୍ର‌୍ୟ ହାରରେ ବଡ ପରିବର୍ତ୍ତନ  ଆସିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କହିଥିଲେ, ଗତ ୧୦ ବର୍ଷରେ ୨୩ କୋଟିରୁ  ଊଦ୍ଧ୍ୱର୍ ଲୋକ ଦାରିଦ୍ର‌୍ୟ କବଳରୁ ବାହାରକୁ  ଆସିଛନ୍ତି ।

ଆଗାମୀ ବର୍ଷଗୁଡିକରେ ସହରାଞ୍ଚଳ  ଦାରିଦ୍ର‌୍ୟ ହାର ଆହୁରି ହ୍ରାସ ହୋଇପାରେ । ୨୦୨୧ ଜନଗଣନା ସମ୍ପୂର୍ଣ୍ଣ ହେଲେ ଉଭୟ  ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଦାରିଦ୍ର‌୍ୟ ହାରରେ  କିଛିଟା ସଂଶୋଧନ ହେବ । ଗ୍ରାମାଞ୍ଚଳରେ  ଚାହିଦା ଉନ୍ନତ ହେବାରୁ ଏହା ଲୋକଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଭଲ ପ୍ରଭାବ ପକାଇଛି ।

ସଦ୍ୟତମ ପାରିବାରିକ ଚାହିଦା ସର୍ଭେ  (ଏଚ୍‌ସିଇଏସ) ମୁତାବକ, ଭିତ୍ତିଭୂମି  ଦୃଢ଼ୀକରଣ ହେବା ଯୋଗୁ ଏହା ଗ୍ରାମାଞ୍ଚଳରେ  ଯାନ ବାହନ ଗ୍ରହଣୀୟତା ବଢ଼ାଇଛି । ଏହା  ରୋଜଗାର କ୍ଷେତ୍ରରେ ମଧ୍ୟ ସକରାତ୍ମକ  ପରିବର୍ତ୍ତନ ସହ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ  ମଧ୍ୟରେ ଆୟ ଅସମାନତା ହ୍ରାସ କରିବାରେ  ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଏହାବାଦ କେନ୍ଦ୍ର ସରକାର ବିଭିନ୍ନ  ଯୋଜନାର ଅର୍ଥ ବାଟମାରଣା ରୋକିବା ଲାଗି  ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର (ଡିବିଟି)  ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ବ୍ୟାଙ୍କ  ଖାତାରେ ଆର୍ଥିକ ସହାୟତା ଦେଉଛନ୍ତି । ଏହା  ମଧ୍ୟ ଗ୍ରାମାଞ୍ଚଳର ସ୍ଥିତି ଉନ୍ନତ କରିବାରେ  ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସରକାର  ଗ୍ରହଣ କରୁଥିବା ଡିବିଟି, ଗ୍ରାମୀଣ ଭିତ୍ତିଭୂମି  ଦୃଢ଼ୀକରଣ, କୃଷି ଆୟ ବୃଦ୍ଧି ପଦକ୍ଷେପ  ଭଳି ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ  ପରିବାରଗୁଡିକର ଉନ୍ନତି ଦିଗରେ କାର୍ଯ୍ୟ  କରୁଛି ।

ମୁଦ୍ରାସ୍ଫୀତି ଆଧାରରେ ୨୦୨୩-୨୪ ଲାଗି  ଏସ୍‌ବିଆଇ ରିସର୍ଚ୍ଚ ଯଥାକ୍ରମେ ଗ୍ରାମାଞ୍ଚଳ  ଓ ସହରାଞ୍ଚଳରେ ଦାରିଦ୍ର‌୍ୟ ସୀମା ରେଖା  ଯଥାକ୍ରମେ ୧୬୩୨ ଟଙ୍କା ଏବଂ ୧୯୪୪ ଟଙ୍କା  ଧାର୍ଯ୍ୟ କରିଛି । ୨୦୧୧-୧୨ ଲାଗି ସୁରେଶ  ତେନ୍ଦୁଲକର କମିଟି ଏହାକୁ ଯଥାକ୍ରମେ ୮୧୬  ଏବଂ ୧୦୦୦ ଟଙ୍କା ରଖିଥିଲେ ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.