Breaking News

ଏୟାର୍ ଇଣ୍ଡିଆ କନିଷ୍କ ବୋମା ବିସ୍ଫୋରଣ: ରିପୁଦମନ ହତ୍ୟା ମାମଲାରେ ହିଟ୍‌ମ୍ୟାନ୍‌କୁ ଆଜୀବନ କାରାଦଣ୍ଡ

୧୯୮୫ରେ ଏୟାର୍ ଇଣ୍ଡିଆ ବୋମା ବିସ୍ଫୋରଣରେ ୩୩୧ ଜଣଙ୍କ ମୃତ୍ୟୁ ଘଟଣାରେ ଜଣେ ସନ୍ଦିଗ୍ଧକୁ ହତ୍ୟା କରିଥିବା ଅଭିଯୋଗରେ କାନାଡ଼ାର ଜଣେ ସୁପାରି କିଲରକୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରାଯାଇଛି।

ଅଟାୱା: ୧୯୮୫ରେ ଏୟାର୍ ଇଣ୍ଡିଆ ବୋମା ବିସ୍ଫୋରଣରେ ୩୩୧ ଜଣଙ୍କ ମୃତ୍ୟୁ ଘଟଣାରେ ଜଣେ ସନ୍ଦିଗ୍ଧକୁ ହତ୍ୟା କରିଥିବା ଅଭିଯୋଗରେ କାନାଡ଼ାର ଜଣେ ସୁପାରି କିଲରକୁ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରାଯାଇଛି। ଜୁଲାଇ ୨୦୨୨ରେ ରିପୁଦମନ ସିଂହ ମଲିକକୁ ତା’ର ବ୍ୟବସାୟ ପ୍ରତିଷ୍ଠାନ ବାହାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଟ୍ୟାନର ଫକ୍ସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତ ଅକ୍ଟୋବରରେ ଟ୍ୟାନର୍ ଫକ୍ସ ଓ ତା’ର ସହଯୋଗୀ ଜୋସ୍ ଲୋପେଜକୁ ମଲିକର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନେ ସ୍ୱୀକାର କରିଛନ୍ତି ଯେ ପଶ୍ଚିମ କାନାଡାର ଭାନକୁଭରର ଏକ ଉପାନ୍ତ ଅଞ୍ଚଳରେ ମଲିକକୁ ହତ୍ୟା କରିବା ପାଇଁ ସେମାନଙ୍କୁ ଟଙ୍କା ଦିଆଯାଇଥିଲା। କିନ୍ତୁ ସେମାନଙ୍କୁ କିଏ ଟଙ୍କା ଦେଇଥିଲା ତାହା ସେମାନେ ପ୍ରକାଶ କରିନାହାନ୍ତି।
କନିଷ୍କ ବିସ୍ଫୋରଣ ମାମଲା

୧୯୮୫ ମସିହା ଜୁନ୍ ୨୩ ତାରିଖରେ ଏୟାର୍ ଇଣ୍ଡିଆର ୧୮୨ ନମ୍ବର ବିମାନ ଟରଣ୍ଟୋରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ଆଇରିଶ ଉପକୂଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ୩୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଗନ୍ତବ୍ୟ ସ୍ଥଳଠାରୁ ମାତ୍ର ୪୫ ମିନିଟ୍ ଦୂରରେ ବିମାନଟି ବିସ୍ଫୋରିତ ହୋଇଥିଲା। କୌଣସି ସତର୍କ ସୂଚନା କିମ୍ବା ଜରୁରିକାଳୀନ କଲ୍ ଜାରି କରାଯାଇ ନ ଥିଲା। ଏହି ବିମାନଟି ବୋଇଂ ୭୪୭-୨୩୭ବି ପଞ୍ଜୀକୃତ ଭିଟି-ଇଏଫ୍‌ଓ ଥିଲା ଏବଂ ଏହାର ନାମ ସମ୍ରାଟ୍ କନିଷ୍କ ଥିଲା।

୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ହୋଇଥିବା ଆକ୍ରମଣ ପୂର୍ବରୁ ଏହି ଆକ୍ରମଣକୁ ସବୁଠାରୁ ଭୟଙ୍କର ବିମାନ ଆତଙ୍କବାଦ ଘଟଣା ଭାବେ ବିବେଚନା କରାଯାଉଥିଲା। ଏହି ବିମାନରେ ଅଧିକାଂଶ ଯାତ୍ରୀ କାନାଡାର ନାଗରିକ ଥିଲେ, ଯେଉଁମାନେ ଭାରତରେ ଥିବା ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିଲେ। କାନାଡା ସରକାରଙ୍କ ରିପୋର୍ଟ ଅନୁଯାୟୀ, ପଞ୍ଜାବର ସ୍ବର୍ଣ୍ଣ ମନ୍ଦିରରେ ଭାରତୀୟ ସେନାର ‘ଅପରେସନ ବ୍ଲୁ ଷ୍ଟାର’ର ପ୍ରତିଶୋଧ ନେବା ପାଇଁ କାନାଡାର ଶିଖ୍ ବିଚ୍ଛିନ୍ନତାବାଦୀମାନେ ଏହି ବୋମା ବିସ୍ଫୋରଣ କରିଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣାର ୫ ମାସ ପରେ ଦୁଇ ଜଣ ସନ୍ଦିଗ୍ଧ ତଲବିନ୍ଦର ସିଂହ ପରମାର ଓ ଇନ୍ଦରଜିତ ସିଂହ ରେୟତକୁ ଗିରଫ କରାଯାଇଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ପରମାର ବିରୋଧରେ ପ୍ରମାଣ ଅଭାବରୁ ଅଭିଯୋଗ ପ୍ରତ୍ୟାହାର କରାଯାଇଥିଲା। ୨୦୦୦ ମସିହାରେ ଦୁଇ ଅଭିଯୁକ୍ତ ରିପୁଦମନ ସିଂହ ମଲିକ ଓ ଅଜାଇବ ସିଂହ ବାଗ୍ରିକୁ  ଗିରଫ କରାଯାଇଥିଲା, କିନ୍ତୁ ୨୦୦୫ରେ ପର୍ଯ୍ୟାପ୍ତ ପ୍ରମାଣ ନ ମିଳିବାରୁ ସେମାନଙ୍କୁ ଦୋଷମୁକ୍ତ କରାଯାଇଥିଲା। ଇନ୍ଦରଜିତ ସିଂହ ରେୟତ ହେଉଛିଏକମାତ୍ର ବ୍ୟକ୍ତି ଯିଏ ଏହି ଷଡ଼ଯନ୍ତ୍ର, ବୋମା ତିଆରି ଏବଂ ମଲିକ ଓ ବାଗ୍ରିଙ୍କ ବିରୋଧରେ ମିଛ କହିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଛି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.