Breaking News

ଓଡ଼ିଆରେ ଓଡ଼ିଶାର ପାଞ୍ଜି

ଓଡ଼ିଶାରେ ଓଡ଼ିଆରେ ଛାପା ପାଞ୍ଜିର ଇତିହାସ ବେଶୀଦିନର ନୁହେଁ। ଏହାର ଇତିହାସ ପ୍ରାୟ ୧୬୦ ବର୍ଷର। ୧୮୬୭ ମସିହା ପୂର୍ବରୁ ଓଡ଼ିଶାର ସବୁ ଅଞ୍ଚଳ ପାଇଁ ଗୋଟିଏ ହେଲେ ମାନ୍ୟତାପ୍ରାପ୍ତ ପାଞ୍ଜି ନ ଥିଲା। ରାଜା.....

ଓଡ଼ିଶାରେ ଓଡ଼ିଆରେ ଛାପା ପାଞ୍ଜିର ଇତିହାସ ବେଶୀଦିନର ନୁହେଁ। ଏହାର ଇତିହାସ ପ୍ରାୟ ୧୬୦ ବର୍ଷର। ୧୮୬୭ ମସିହା ପୂର୍ବରୁ ଓଡ଼ିଶାର ସବୁ ଅଞ୍ଚଳ ପାଇଁ ଗୋଟିଏ ହେଲେ ମାନ୍ୟତାପ୍ରାପ୍ତ   ପାଞ୍ଜି ନ ଥିଲା। ରାଜା, ଜମିଦାର ଓ ଧନୀକ ବର୍ଗଙ୍କ ପାଇଁ  ଜ୍ୟୋତିଷମାନେ ଘରକୁ ଆସି, ତାଳପତ୍ରରେ ଲେଖା ପାଞ୍ଜି ଅନୁସାରେ ଶୁଭାଶୁଭ କହି ଯାଉଥିଲେ। ବିଶେଷଭାବେ ନିଯୁକ୍ତ ଜ୍ୟୋତିଷ ଦୋଳବେଦୀରେ ଆଗାମୀ ବର୍ଷର ପାଞ୍ଜି ପାଠ କରି ସେ ବର୍ଷର ଶୁଭାଶୁଭ କହୁଥିଲେ। ଆଜି ଛାପାପାଞ୍ଜିର ବହୁଳ ଆଦୃତି ସତ୍ତ୍ବେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଏ ପ୍ରଥା ପ୍ରଚଳିତ ଅଛି। ଶ୍ରୀମନ୍ଦିରର ‌ଜ୍ୟୋତିଷସେବକ ଖୁରିନାହାକ ପ୍ରତିଦିନ ସକାଳେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମୟରେ ଉପସ୍ଥିତ ରହି ସେମାନଙ୍କର ସେଦିନର ଶୁଭାଶୁଭ କହୁଛନ୍ତି।

ଓଡ଼ିଶାରେ ଓଡ଼ିଆରେ ଛାପା ପାଞ୍ଜିର ପ୍ରଚଳନ କ୍ଷେତ୍ରରେ କଟକ ପ୍ରିଣ୍ଟିଂ କମ୍ପାନୀର ବିଶେଷ ଅବଦାନ ରହିଛି। ‘ଉତ୍କଳ ଦୀପିକା’ର ୩ୟ ଭାଗ, ୧୩ଶ ସଂଖ୍ୟା, ୨୮.୩.୧୮୬୮ ତାରିଖରେ ‘ନୂତନ ପଞ୍ଜିକା’ ନାମରେ ପ୍ରକାଶିତ ଏକ ସମ୍ବାଦରୁ ଏ ସଂପର୍କରେ ରୋଚକ ବିବରଣୀ ମିଳେ। ‘ଉତ୍କଳ ଦୀପିକା’ ଲେଖିଛନ୍ତି, ‘‘କ୍ରମାଗତ ତିନିବର୍ଷ କାଳ ଯତ୍ନ ଓ ପରିଶ୍ରମ କରି କଟକ ପ୍ରିଣ୍ଟିଂ କମ୍ପାନି ଏ ବର୍ଷ ବିଧିମ‌େତ ଉତ୍କଳ ପଞ୍ଜିକା ମୁଦ୍ରିତ ଓ ପ୍ରଚାର କରିବାକୁ ସମର୍ଥ ହୋଇଛନ୍ତି। ଏବର୍ଷର ପଞ୍ଜିକା ପୂର୍ବାପେକ୍ଷା ଅନେକ ଉତ୍କୃଷ୍ଟ ହୋଇଅଛି ଏବଂ ଉତ୍କଳ ଦେଶରେ ଯେଉଁ ବ୍ୟବସ୍ଥା ଅନୁସାରେ କର୍ମ ଚଳୁଅଛି, ତଦନୁଯାୟୀ ହୋଇଅଛି। ପୂର୍ବବର୍ଷମାନଙ୍କରେ ବଙ୍ଗଦେଶୀୟ ବ୍ୟବସ୍ଥା ଅନୁସାରେ ଶୁଭାଶୁଭର ତାରତମ୍ୟ ହୋଇଥିବାରୁ ଏ ଦେଶରେ ଉତ୍କଳ ପଞ୍ଜିକାର ଆଦର ହେଉ ନ ଥିଲା। କିନ୍ତୁ ଏ ବର୍ଷ ଯଥାସାଧ୍ୟ ଉକ୍ତ ଦୋଷମାନ ଖଣ୍ଡନ ହୋଇଅଛି।’’

ଏ ପ୍ରସଙ୍ଗରେ ‘ଉତ୍କଳ ଦୀପିକା’ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ଲେଖିଛନ୍ତି- ବଙ୍ଗଦେଶ ଓ ଓଡ଼ିଶାରେ ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତକାଳରେ ପାର୍ଥକ୍ୟ ଥିବାରୁ, ତିଥି ଓ ନକ୍ଷତ୍ର ଅାଦିର ଭୋଗକର୍ମରେ ତାରତମ୍ୟ ଘଟେ। ତେଣୁ ବଙ୍ଗୀୟ ପାଞ୍ଜି ଅନୁସାରେ କର୍ମ କଲେ କାର୍ଯ୍ୟ ଯଥାକାଳରେ ହୁଏ ନାହିଁ। ଏଣୁ ‘ଶ୍ରୀନିବାସ ଦୀପିକା’ରେ ଏ ନେଇ ନିଷେଧ ରହିଛି। ସେଥିରେ ଥିବା ସଂସ୍କୃତ ଶ୍ଳୋକ ଉଦ୍ଧାର କରି ‘ଉତ୍କଳ ଦୀପିକା’ ଲେଖିଛନ୍ତି-‘‘କେବଳ ଏ ବଙ୍ଗଦେ‌େଶ ପ୍ରଚାର ନିମନ୍ତେ। / ଅନ୍ୟ ଦେଶେ ବ୍ୟବହାର ନୋହେ କଦାଚିତେ।’’ଏଣୁ ଆମେ ସବୁବେଳେ ଆମ ଓଡ଼ିଶା‌େର ପ୍ରସ୍ତୁତ ଓଡ଼ିଆ ପାଞ୍ଜି ବ୍ୟବହାର କରିବା ଉଚିତ।
-ଅସିତ ମହାନ୍ତି

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.