Breaking News

ଓଡ଼ିଆ ଜାତି ପାଇଁ ଗୋପବନ୍ଧୁ ଦେଖିଥିବା ସ୍ବପ୍ନ ସାର୍ଥକ ହେବ: ଧର୍ମେନ୍ଦ୍ର

ରାଜ୍ୟ ସରକାରଙ୍କ ଦ୍ବାରା ପୁଣ୍ୟାତ୍ମା ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟର ପୁନରୁଦ୍ଧାର ଓ ବିକାଶ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ପୁଣ୍ୟାତ୍ମା ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟର ପୁନରୁଦ୍ଧାର ଓ ବିକାଶ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଐତିହ୍ୟସମ୍ପନ୍ନ ଦୃଷ୍ଟିରୁ ଗୁରୁତ୍ୱ ବହନ ରଖୁଥିବା ଏହି ପବିତ୍ର ସ୍ଥାନର ପୁନରୁଦ୍ଧାର ହୋଇପାରିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଆ ଜାତି ପାଇଁ ଦେଖିଥିବା ସ୍ୱପ୍ନ ସାର୍ଥକ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ଦେଶ ସ୍ୱାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ।

ସତ୍ୟବାଦୀ ବକୁଳବନର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଏହି ପବିତ୍ର ସ୍ଥାନରୁ ହିଁ ପଣ୍ଡିତ ଗୋପବନ୍ଧୁଙ୍କ କଳ୍ପନାରେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୟ ହୋଇଥିଲା। ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଆଦି ମହାପୁରୁଷମାନେ ବକୁଳବନରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ପ୍ରଦାନ କରୁଥିଲେ। ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରିଥାଏ ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନ। ଗୁଜୁରାଟର ବଡ଼ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଠ ପଢ଼ିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଯେପରି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି, ସେପରି ଭାବେ ବକୁଳବନ ବିଦ୍ୟାଳୟର ନବୀକରଣ ହେଲେ ଆମ ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ। ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.