Breaking News

ଓଡ଼ିଶାରେ ମନରେଗା ଏମିତି: କାମ କଲେ, ପଇସା ମିଳିଲାନି

ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ କାମ କରୁଥିବା ସବୁ ଶ୍ରମିକଙ୍କୁ ଠିକ୍ ସମୟରେ ମଜୁରି ମିଳୁନାହିଁ। ଶ୍ରମିକ କାମ କରୁଛନ୍ତି, କିନ୍ତୁ ପାଉନାହାନ୍ତି ମଜୁରି। ଏମିତି ରାଜ୍ୟରେ ଚାଲଛି ମନରେଗା।

ନୂଆଦିଲ୍ଲୀ: ‌ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ କାମ କରୁଥିବା ସବୁ ଶ୍ରମିକଙ୍କୁ ଠିକ୍ ସମୟରେ ମଜୁରି ମିଳୁନାହିଁ। ଶ୍ରମିକ କାମ କରୁଛନ୍ତି, କିନ୍ତୁ ପାଉନାହାନ୍ତି ମଜୁରି। ଏମିତି ରାଜ୍ୟରେ ଚାଲଛି ମନରେଗା। ଓଡ଼ିଶା ସମେତ ୧୩ଟି ରାଜ୍ୟରେ ଶ୍ରମିକମାନେ ୬୬୧.୫୦ କୋଟି ଟଙ୍କା ପାଇନାହାନ୍ତି। ମନରେଗା ମଜୁରି ବକେୟା ରାଶି ଓଡ଼ିଶାରେ ସର୍ବାଧିକ ରହିଛି। ରାଜ୍ୟର ଶ୍ରମିକମାନେ ୧୩୯ କୋଟି ଟଙ୍କା ମଜୁରି ପାଇବା ବାକି ଅଛି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ବକେୟା ମଜୁରି ଅଧିକ ରହିଛି। ଆ‌ନ୍ଧ୍ରରେ ୧୩୭ କୋଟି ଟଙ୍କା, ମହାରାଷ୍ଟ୍ରରେ ୧୦୩ କୋଟି ଟଙ୍କା, ଆସାମରେ ୬୫ କୋଟି ଟଙ୍କା ଓ ମିଜୋରାମରେ ୪୪.୨୨ କୋଟି ଟଙ୍କାର ମଜୁରି ଦେବା ବାକି ରହିଛି। ଏହି ସବୁ ମାମଲାରେ ଫଣ୍ଡ ଟ୍ରାନ୍ସଫର ଅର୍ଡର (ଏଫ୍‌ଟିଓ) ପ୍ରସ୍ତୁତ ହୋଇଯାଇଛି। ଗୁଜରାଟ, ଉତ୍ତରାଖଣ୍ଡ, ମଣିପୁର, ଜମ୍ମୁ ଓ କାଶ୍ମୀର, କେରଳ, ନାଗାଲ୍ୟାଣ୍ଡ, ପୁଡୁଚେରି ଓ ଗୋଆରେ ମଧ୍ୟ ଶ୍ରମିକଙ୍କ ମଜୁରି ବକେୟା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ନଭେମ୍ବର ୨୭ ସୁଦ୍ଧା ୯୮.୯୧ ପ୍ରତିଶତ ଏଫ୍‌ଟିଓ ସୃଷ୍ଟି ହୋଇଛି। ବର୍ଷକ ତଳେ ଏହି ହାର ୯୭.୯୮ ପ୍ରତିଶତ ଥିଲା।

ମନରେଗା ହେଉଛି ଏକ ଚାହିଦା ଆଧାରିତ ଯୋଜନା। ସେଥିରେ ରାଜ୍ୟଗୁଡ଼ିକ କେନ୍ଦ୍ର ନିକଟରେ ପାଣ୍ଠି ପ୍ରସ୍ତାବ ଉପସ୍ଥାପନ କରିଥାନ୍ତି। ମନ୍ତ୍ରଣାଳୟ ପକ୍ଷରୁ କାମ ପାଇଁ ଚାହିଦା, ପାଣ୍ଠିର ଉପଯୋଗିତା ଓ ସାମଗ୍ରିକ ପ୍ରଦର୍ଶନ ଭଳି ମାନଦଣ୍ଡ ବିଚାରକୁ ନେଇ ବିଭିନ୍ନ କିସ୍ତିରେ ପାଣ୍ଠି ଜାରି କରାଯାଏ। ମଷ୍ଟର ରୋଲ୍‌ ବନ୍ଦ ହେବାର ୧୫ ଦିନରେ ଏଫ୍‌ଟିଓ ସୃଷ୍ଟି କରାଯାଏ। ମଜୁରି ଦେବାରେ ହେଉଥିବା ବିଳମ୍ବ କମ୍ କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ହିତାଧିକାରୀମାନଙ୍କ ଖାତାରେ ଠିକ୍ ସମୟରେ ମଜୁରି ଜମା କରିବା ଲାଗି ଏସ୍‌ଓପି ଜାରି କରାଯାଇଛି ଓ ତାହାର କାର୍ଯ୍ୟକାରିତାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି। ପବ୍ଲିକ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ଭଳି ପ୍ଲାଟଫର୍ମକୁ ବ୍ୟବହାର କରି ପେମେଣ୍ଟକୁ ବାସ୍ତବ ସମୟରେ ନିରୀକ୍ଷଣ କରାଯାଉଛି। ବକେୟା କ୍ଷତିପୂରଣ ଦାବିଗୁଡ଼ିକର ଯାଞ୍ଚ କରିବା ଲାଗି ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି। ଶୀଘ୍ର ମଜୁରି ଦେବା ଲାଗି ୨୦୨୪ ଜାନୁଆରିରୁ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି।
ସୌଜନ୍ୟ-ସମ୍ୱାଦ

Comments are closed.