Breaking News

ଓଡ଼ିଶାରେ ଷୋଡ଼ଶ ଅର୍ଥ ଆୟୋଗ: ୧୫ ଜଣିଆ ଦଳ, ୪ ଦିନ ରହିବେ, ଆଜି ଯିବେ ଧଉଳି, ପୁରୀ, କୋଣାର୍କ

ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଅଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଦଳ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ତାଙ୍କ ସହ ଆୟୋଗ ସଦସ୍ୟ ଅଜୟ ନାରାୟଣ ଝା, ଆନ୍ନି ଜର୍ଜ ମାଥ୍ୟୁ, ଡ. ମନୋଜ ପଣ୍ଡା...

ଭୁବନେଶ୍ବର: ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଅଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଦଳ ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ତାଙ୍କ ସହ ଆୟୋଗ ସଦସ୍ୟ ଅଜୟ ନାରାୟଣ ଝା,  ଆନ୍ନି ଜର୍ଜ ମାଥ୍ୟୁ, ଡ. ମନୋଜ ପଣ୍ଡା, ଅର୍ଥନୈତିକ ଉପଦେଷ୍ଟା ଡ. ପ୍ରଶାନ୍ତ କୁମାର ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରାଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା ଓ ଶିଖା ସିଂହ ପ୍ରମୁଖ ଭୁବନେଶ୍ବର ଆସିଛନ୍ତି। ସେମାନେ ରାଜ୍ୟରେ ଚାରିଦିନ ରହିବେ। ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ଆୟୋଗ ଏକ ବୈଠକ କରିବେ। ଏହା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଓ ଆୟୋଗ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଆୟୋଗର ସଦସ୍ୟମାନେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ୍ ବୁଲିଛନ୍ତି। ଆସନ୍ତାକାଲି ସେମାନେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା, କୋଣାର୍କ ମନ୍ଦିର ଓ ଧଉଳି ମଧ୍ୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

୧୫ ଜଣିଆ ଦଳ, ୪ ଦିନ ରହିବେ
କଳିଙ୍ଗ ‌ଷ୍ଟାଡିୟମ, ଜନଜାତି ସଂଗ୍ରହାଳୟ ବୁଲିଲେ
ଆଜି ଯିବେ ଧଉଳି, ପୁରୀ, କୋଣାର୍କ
୧୨.୫୬ ଲକ୍ଷ କୋଟିର ଦାବିପତ୍ର ଦେବ ଓଡ଼ିଶା

ରାଜ୍ୟରେ ପହଞ୍ଚିବା ପରେ ଅର୍ଥ ଆୟୋଗର ସଦସ୍ୟମାନେ ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲିଥିଲେ। ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ। ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ।  ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ। ଏହା ପରେ ସେମାନେ କଳିଙ୍ଗ ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ। ସ୍ପୋର୍ଟସ ସାଇନ୍ସ ସେଣ୍ଟର, ବାୟୋ ମେକାନିକ୍ସ ଲ୍ୟାବ୍‌, ଗେଟ୍‌ ଲ୍ୟାବ୍‌, ସ୍ପିନ୍‌ ଷ୍ଟୁଡିଓ, ପାରା ଆଥଲେଟ୍‌ ପର୍‌ଫର୍‌ମାନ୍ସ ସେଣ୍ଟର୍‌, ଟେନିସ୍‌ ସେଣ୍ଟର୍‌, ଆଥଲେଟିକ୍ସ ସେଣ୍ଟର୍‌, ହକି ଷ୍ଟାଡିୟମ,  ଜିମ୍ନାଷ୍ଟିକ କେନ୍ଦ୍ର , ସନ୍ତରଣ କେନ୍ଦ୍ର, ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ । ସେମାନଙ୍କ ସହ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ୨୦୨୬-୩୧ ପର୍ଯ୍ୟନ୍ତ ଲାଗୁ ହେବ। ଏହାକୁ ନଜରରେ ରଖି ରାଜ୍ୟ ସରକାର ୧୨ ଲକ୍ଷ ୫୬ ହଜାର ୧୮୪ କୋଟି ଟଙ୍କାର ବିଭିନ୍ନ ପ୍ରସ୍ତାବ ସମ୍ବଳିତ ଦାବିପତ୍ର ଆୟୋଗଙ୍କୁ ପ୍ରଦାନ କରିବେ। କିଛି ଦିନ ପୂର୍ବେ ରାଜ୍ୟ କ୍ୟାବିନେଟ୍‌ରେ ଏହି ଦାବିପତ୍ରକୁ ଅନୁମୋଦନ ମିଳିଥିଲା। ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ‌ହୋଇଥିବା‌ ଯୋଜନା ଏବଂ ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲାଗି ଆୟୋଗଙ୍କୁ ପ୍ରସ୍ତାବ ଦିଆଯିବ। ଆଲୋଚ୍ୟ ପାଞ୍ଚ ବର୍ଷ ଭିତରେ ରାଜ୍ୟର ବିକାଶ ଯେଭଳି ତ୍ବରାନ୍ବିତ ହେବ ତାହାକୁ ନଜରରେ ରଖି ଦାବିପତ୍ର ପ୍ରସ୍ତୁତ କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୂର୍ବରୁ ସୂଚନା ଦେଇଥିଲେ। ଏନ୍ କେ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସାମ୍ନାରେ ରାଜ୍ୟ ସରକାର ୮.୨୪ ଲକ୍ଷ କୋଟି ଟଙ୍କାର ଦାବିପତ୍ର ଉପସ୍ଥାପନ କରିଥିଲେ। କିନ୍ତୁ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସମୟ ଖଣ୍ଡ ପାଇଁ ୨.୨୨ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିବାକୁ ଆୟୋଗ ସୁପାରିସ କରିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.