Breaking News

ଓଡ଼ିଶାର ଭରସା ଘରୋଇ ସଂସ୍ଥା: ବିଜୁଳି ଯୋଗାଣ ୬୩% ବଢ଼ିଛି

ଗତ କିଛି ବର୍ଷ ମଧ୍ୟରେ ବିଜୁଳି ଉତ୍ପାଦନର ଦୃଶ୍ୟପଟରେ ହୋଇଛି ବଡ଼ ପରିବର୍ତ୍ତନ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୁଳନାରେ ଘରୋଇ ସଂସ୍ଥାଗୁଡ଼ିକ କରୁଥିବା ବିଦ୍ୟୁତ୍‌ ଉତ୍ପାଦନ ଅଧିକ ବେଗରେ ବଢ଼ିଛି। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଛତିଶଗଡ଼ରେ...

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଜୁଳି ଉତ୍ପାଦନର ଦୃଶ୍ୟପଟରେ ହୋଇଛି ବଡ଼ ପରିବର୍ତ୍ତନ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତୁଳନାରେ ଘରୋଇ ସଂସ୍ଥାଗୁଡ଼ିକ କରୁଥିବା ବିଦ୍ୟୁତ୍‌ ଉତ୍ପାଦନ ଅଧିକ ବେଗରେ ବଢ଼ିଛି। ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୁଳି ଯୋଗାଣରେ ଘରୋଇ କ୍ଷେତ୍ରର ଯୋଗଦାନ ଅଧିକ ମାତ୍ରାରେ ବଢ଼ିଛି।  ନିକଟରେ‌ ଶେଷ ହୋଇଥିବା ସଂସଦର ଶୀତ ଅଧିବେଶନରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଘରୋଇ କ୍ଷେତ୍ରର ବିଦ୍ୟୁତ୍‌ ଉତ୍ପାଦନ ୬୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହିତ ରାଜ୍ୟରେ ଅକ୍ଷୟ ଶକ୍ତିର ଭାଗ ମଧ୍ୟ ବଢ଼ୁଛି। ଓଡ଼ିଶାରେ ୨୦୧୮ ପରଠାରୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଉନ୍ନତି ଆସିଛି। ରାଜ୍ୟର ମୋଟ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ ପ୍ରତିଶତ ଭଳି ସ୍ତରରେ ପହଞ୍ଚିଛି। ରାଜ୍ୟ ଭିତରେ ଚାହିଦା ସୀମିତ ଥିବାରୁ ଓଡ଼ିଶା ଏହାର ବଳକା ବିଜୁଳି ପଡ଼ୋଶୀ ରାଜ୍ୟଗୁଡ଼ିକୁ ବିକ୍ରି କରିବା ଭଳି ସ୍ଥିତିରେ ରହିଛି। ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ରାଜସ୍ଥାନରେ ଘରୋଇ ସଂସ୍ଥାର ବିଜୁଳି ଯୋଗାଣରେ ସର୍ବାଧିକ ୧୨୫ ପ୍ରତିଶତ ବୃଦ୍ଧି ଘଟିଛି।

ଉତ୍ପାଦନରେ ଅକ୍ଷୟ ଶକ୍ତି ଭାଗ ବଢ଼ୁଛି

ଓଡ଼ିଶା ଓ ଛତିଶଗଡ଼ରେ ଘରୋଇ ସଂସ୍ଥାଙ୍କ ବିଜୁଳି ଯୋଗାଣରେ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ହରିୟାଣାରେ ଏହି ବୃଦ୍ଧି ହାର ୫୦ ପ୍ରତିଶତ, ତାମିଲନାଡ଼ୁରେ ୪୪ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୪୦ ପ୍ରତିଶତ ରହିଛି। ଆଲୋଚ୍ୟ ପାଞ୍ଚ ବର୍ଷ ମଧ୍ୟରେ ଘରୋଇ ସଂସ୍ଥା ଉତ୍ପାଦନ କରୁଥିବା ବିଜୁଳିରେ ହାରାହାରି ୨୯ ପ୍ରତିଶତ ବୃଦ୍ଧି ହୋଇଛି। ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ତୁଳନାରେ ଘରୋଇ ସଂସ୍ଥାଗୁଡ଼ିକ ଅଧିକ ବିଜୁଳି ଉତ୍ପାଦନ କରୁଛନ୍ତି। ୨୦୦୮-୦୯ରେ ମୋଟ ସ୍ଥାପିତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତାରେ ରାଷ୍ଟ୍ରାୟତ୍ତ ‌ଉଦ୍ୟୋଗର ଭାଗ ୫୪ ପ୍ରତିଶତ ଥିଲା। ୨୦୨୩-୨୪ ସୁଦ୍ଧା ତାହା ୨୪ ପ୍ରତିଶତକୁ ଖସିଆସିଛି। ସେହି ସମୟ ଖଣ୍ଡରେ ଘରୋଇ ସଂସ୍ଥାଗୁଡ଼ିକର ଭାଗ ୧୫ ପ୍ରତିଶତରୁ ବୃଦ୍ଧି ପାଇ ୫୨ ପ୍ରତିଶତ ହୋଇଛି। ନୀତି ନିୟମରେ ସଂସ୍କାର, ଉନ୍ନତ ଭିତ୍ତିଭୂମି ଓ ପରିଚାଳନା ଦକ୍ଷତା ଲାଗି ବିଭିନ୍ନ ରାଜ୍ୟରେ ଘରୋଇ ସଂସ୍ଥା ଦ୍ବାରା ଯୋଗାଇ ଦିଆଯାଉଥିବା ବିଜୁଳି ପରିମାଣ ବଢ଼ିଛି। ରାଜସ୍ଥାନ ନିଜକୁ ଅକ୍ଷୟ ଶକ୍ତିର ଏକ ହବ୍‌ରେ ପରିଣତ କରିବା ନେଇ କାମ କରୁଥିବାରୁ ବହୁ ସଂଖ୍ୟାରେ ଘରୋଇ ସଂସ୍ଥା ସେଠାରେ ନିବେଶ କରୁଛନ୍ତି। ଛତିଶଗଡ଼ ଏହାର ସଞ୍ଚରଣ ଓ ବଣ୍ଟନ କ୍ଷତି କମ୍ କରିବା ଉପରେ ଗୁରୁତ୍ବ ଦେଉଛି। ଗ୍ରିଡ୍‌ ସଂଯୋଗକୁ ସଂଗଠିତ କରିବା ଓ ଦୃଢ଼ ନେଟ୍‌ୱର୍କ ପ୍ଲାନିଂ ପାଇଁ ସେଠାକାର ବିଦ୍ୟୁତ୍‌ ବ୍ୟବସ୍ଥାରେ ସ୍ଥିରତା ଫେରିଛି। ଘରୋଇ ସଂସ୍ଥା ଅଧିକ ବିଦ୍ୟୁତ୍ ଉତ୍ପାଦନ କରୁଥିବା ରାଜ୍ୟ ମଧ୍ୟରେ ଗୁଜରାଟ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ତାଲିକାରେ ରହିଛି ଛତିଶଗଡ଼ ଯାହା ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ସ୍ବଚ୍ଛଳ ରାଜ୍ୟଠାରୁ ଆଗରେ ରହିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.