Breaking News

ଓଡ଼ିଶା ଚାଷୀ ବ୍ୟବହାର କରୁଛନ୍ତି ଏଆଇ: ବିଲ୍‌ ଗେଟ୍‌ସ

ପ୍ରଯୁକ୍ତି ଦୁନିଆରେ ଚହଳ ସୃଷ୍ଟି କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଆପଣାଇବାରେ ଓଡ଼ିଶା ଏକ ବଡ଼ ଉପଲବ୍ଧି ହାସଲ କରିଛି। ରାଜ୍ୟର ଚାଷୀମାନେ ଏଆଇ ଟୁଲ୍‌ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି।

ଭୁବନେଶ୍ବର: ପ୍ରଯୁକ୍ତି ଦୁନିଆରେ ଚହଳ ସୃଷ୍ଟି କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଆପଣାଇବାରେ ଓଡ଼ିଶା ଏକ ବଡ଼ ଉପଲବ୍ଧି ହାସଲ କରିଛି। ରାଜ୍ୟର ଚାଷୀମାନେ ଏଆଇ ଟୁଲ୍‌ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି। ସେଥିପାଇଁ ଓଡ଼ିଶାର ଚାଷୀମାନଙ୍କୁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ପ୍ରଶଂସା କରିଛନ୍ତି। ଭାରତ ଗସ୍ତରେ ଥିବା ଗେଟ୍‌ସ ତାଙ୍କ ବ୍ଲଗ୍‌ରେ ଲେଖିଛନ୍ତି ଯେ ଭାରତରେ ଏଆଇ ଟୁଲ୍ ବ୍ୟାପକ ଭାବେ ବ୍ୟବହାର ହେଉଛି। ଦେଶର କୃଷି କ୍ଷେତ୍ରରେ ଏଆଇ ରୂପାନ୍ତରଣ ଆଣିଛି। ଗତବର୍ଷର ଓଡ଼ିଶା ଗସ୍ତ ଅନୁଭୂତିକୁ ମନେ ପକାଇ ସେ ଲେଖିଛନ୍ତି ଯେ ଯେତେବେଳେ ମୁଁ ଓଡ଼ିଶା ଯାଇଥିଲି, ସେଠାରେ ଚାଷୀମାନଙ୍କୁ ଏଆଇ ଟୁଲ୍‌ ବ୍ୟବହାର କରିବା ଦେଖିଥି‌ଲି। ପାଣିପାଗ ସ୍ଥିତି ବିଷୟରେ ଜାଣିବା, ଫସଲ ଚୟନ କରିବା ଏବଂ ରୋଗପୋକ ବିପଦ କମ୍ କରିବା ଲାଗି ସେମାନେ ଏଆଇ ବ୍ୟବହାର କରୁଛନ୍ତି। ଏଆଇକୁ ବ୍ୟବହାର କରିବାରେ ସେମାନେ କେତେ ଅଗ୍ରଗତି କରିଛନ୍ତି, ତାହା ଜାଣିବାକୁ ମୁଁ ଉତ୍ସୁକତାର ସହ ଚାହିରହିଛି ବୋଲି ବିଲ୍‌ ଗେଟ୍‌ସ ଲେଖିଛନ୍ତି।

ଚାଷୀଙ୍କୁ ସହାୟକ ହୋଇଛି ‘କୃଷି ସମୃଦ୍ଧି’

ବିଲ୍‌ ଗେଟ୍‌ସ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି। ତିନି ବର୍ଷରେ ଏହା ହେଉଛି ତାଙ୍କର ତୃତୀୟ ଭାରତ ଗସ୍ତ। ଗତବର୍ଷ ଫେବ୍ରୁଆରିରେ ଗେଟ୍‌ସ ଓଡ଼ିଶା ଆସିଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ଏବଂ ଜାଗା ମିସନ ଓ ମୁକ୍ତା ଯୋଜନା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବରର ମିଶନ ଶକ୍ତି ବଜାର ବୁଲି ଦେଖିବା ସହ ମିଲେଟ୍‌ ଉତ୍ପାଦ କିଣିଥିଲେ। ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଗେଟ୍‌ସ ଫାଉଣ୍ଡେସନ ଓ ‘ସମଗ୍ର’ର ମିଳିତ ସହଯୋଗିତାରେ ରାଜ୍ୟରେ ଡିଜିଟାଲ୍ କୃଷି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। କୃଷି ସମୃଦ୍ଧି ନାମରେ ଏଆଇ ଚାଟ୍‌ବଟ୍ ବିକାଶ କରାଯାଇଛି। ଏହି ଏଆଇ ଚାଟ୍‌ବଟ୍‌ ପାଣିପାଗ, ରୋଗପୋକ, ରୋଗ ଏବଂ ଫସଲ ପରିଚାଳନା ସମ୍ପର୍କିତ ପରାମର୍ଶ ପ୍ରଦାନ କରୁଛି। ଚାଷୀମାନେ କୃଷି ସମୃଦ୍ଧିକୁ ପ୍ରଶ୍ନ ପଚାରିପାରୁଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.