Breaking News

ଓଡ଼ିଶା ଛାଡ଼ିବ ‘ଓଡ଼ିଶା ଏଫ୍‌ସି’

ଓଡ଼ିଶା ସରକାର କ୍ରୀଡ଼ାକୁ ଦେଉଥିବା ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ଆକର୍ଷିତ ହୋଇ ଏଠାକୁ ଆସିଲେ। ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ ବିକାଶ ନାଁରେ ଢେର କିଛିଦିନ ସବୁପ୍ରକାର ସହଯୋଗ ଓ ସମର୍ଥନ ସାଉଣ୍ଟିଲେ।

ଭୁବନେଶ୍ବର: ଓଡ଼ିଶା ସରକାର କ୍ରୀଡ଼ାକୁ ଦେଉଥିବା ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ଆକର୍ଷିତ ହୋଇ ଏଠାକୁ ଆସିଲେ। ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ ବିକାଶ ନାଁରେ ଢେର କିଛିଦିନ ସବୁପ୍ରକାର ସହଯୋଗ ଓ ସମର୍ଥନ ସାଉଣ୍ଟିଲେ। ଓଡ଼ିଶା ନାଁରେ ଦଳ କରି ଭିତ୍ତିଭୂମିଠାରୁ ଆରମ୍ଭ କରି ପ୍ରାୟୋଜକ ପର୍ଯ୍ୟନ୍ତ ସବୁକିଛି ପାଇଲେ। ପରିବର୍ତ୍ତିତ ପରିସ୍ଥିତିରେ ଆଉ ଆଗଭଳି ସମର୍ଥନ ମିଳୁ ନଥିବା କହି ଏବେ କିନ୍ତୁ ଓଡ଼ିଶା ଛାଡ଼ି ଚାଲିଯିବାକୁ ସଜବାଜ ହେଲେଣି। ଏଭଳି ସଙ୍କେତ ଏକ ବିଦେଶୀ କଂପାନି ‘ଜିଏମ୍‌ଏସ୍’ ମାଲିକାନାରେ ଥିବା ରାଜ୍ୟର ଏକମାତ୍ର ପେସାଦାର ଫୁଟ୍‌ବଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ଦେଇଛି। କ୍ଲବ୍‌ର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମା ଶୁକ୍ରବାର ‘ଏକ୍ସ’ରେ ଦଳର ଭବିଷ୍ୟତ ନେଇ ରହସ୍ୟମୟ ଲେଖା ଲେଖିବା ପରେ ଖୁବ୍‌ଶୀଘ୍ର ‘ଓଡ଼ିଶା ଏଫ୍‌ସି’ ଓଡ଼ିଶା ଛାଡ଼ିବାର ଚର୍ଚ୍ଚା ରାଜ୍ୟ ଫୁଟବଲ୍ ଜଗତରେ ଆରମ୍ଭ ହୋଇଯାଇଛି।

ରୋହନ ଲେଖିଛନ୍ତି ଯେ ମୁଁ ଯାହା କରିପାରିବି, ସେ ସବୁକିଛି କରିଛି। ଆମେ ଏକ ଶକ୍ତିଶାଳୀ ପୁରୁଷ ଓ ମହିଳା ଦଳ ଗଠନ କରିଛୁ। ତଥାପି ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆମକୁ ଆହୁରି ଅନେକ କିଛି କରିବାର ଥିଲା ବୋଲି ମୁଁ ସ୍ବୀକାର କରୁଛି। ସରକାର ବଦଳିବା ପରେ ଦୁର୍ଭାଗ୍ୟଜନକ ଭାବେ ଆମର ସବୁ ସ୍ଥାନୀୟ ପ୍ରାୟୋଜକ ଓହରି ଯାଇଛନ୍ତି। ତଥାପି ମୁଁ ପ୍ରଶଂସକଙ୍କ ନିକଟରେ କିଛି ନା କିଛି ସ୍ବତନ୍ତ୍ର ଜିନିଷ ପରଷିବାକୁ ଚେଷ୍ଟା କରୁଛି। ରୋହନଙ୍କ ଏହି ପୋଷ୍ଟ୍‌ ଉପରେ ମିଶ୍ର ପ୍ରତିକ୍ରିୟା‌ ମିଳିଛି। ଫୁଟବଲ୍ କ୍ଲବ୍ ଚଳାଇଲେ ଏଭଳି ପରିସ୍ଥିତି ଅନେକବାର ସୃଷ୍ଟି ହୁଏ, ଦଳ ବନ୍ଦ ନକରି ଦାମୀ ଖେଳାଳି କିଣିବା ରୋକିବାକୁ କିଛି ‘ଓଡ଼ିଶା ଏଫ୍‌ସି’ ପ୍ରଶଂସକ ତାଙ୍କୁ ଆହ୍ବାନ କରିଛନ୍ତି। ସେହିଭଳି ଯୁବ ପିଢ଼ିଙ୍କ ମଧ୍ୟରେ ଫୁଟବଲ୍‌ର ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ଆଉ କିଛି ପ୍ରଶଂସକ ପରାମର୍ଶ ଦେଇଛନ୍ତି। ସେହିଭଳି ଜଣେ ପ୍ରଶଂସକ ଲେଖିଛନ୍ତି ଏବେ ଏହି ଫ୍ରାଞ୍ଚାଇଜ୍‌ର ନାଁ ବଦଳିବା ସମୟ ଆସିଯାଇଛି। ଅନ୍ୟଜଣେ ଫୁଟବଲ୍‌ପ୍ରେମୀ ଓଡ଼ିଶା ଫୁଟ୍‌ବଲ୍‌ରେ ନିବେଶ କରିଥିବାରୁ ରୋହନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେପଟେ ଓଡ଼ିଶା ସରକାର ତିନିବର୍ଷ ପାଇଁ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବାର ମାତ୍ର କିଛି ଘଣ୍ଟା ପରେ ରୋହନଙ୍କ ଏଭଳି ଲେଖା କିନ୍ତୁ ଓଡ଼ିଶା ଫୁଟ୍‌ବଲ୍‌ପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ରୋହନ ସାମାଜିକ ଗଣମାଧ୍ୟମ ଜରିଆରେ ନୂଆ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶା ଛାଡ଼ିବାକୁ ସେ ପୂର୍ବରୁ ମନସ୍ଥ କରିସାରିଛନ୍ତି ବୋଲି ରାଜ୍ୟର ଜଣେ ପ୍ରତିଷ୍ଠିତ ଫୁଟ୍‌ବଲ୍ ପ୍ରଶିକ୍ଷକ ନିଜ ନାଁ ଗୋପନ ରଖି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା ଏଫ୍‌ସି ଦଳରେ ଓଡ଼ିଆ ଥିଲେ ଭଲ ହୋଇଥା’ନ୍ତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ପୂର୍ବେ କଳିଙ୍ଗ ଷ୍ଟାଡିୟମ୍‌ରେ କହିଥିଲେ। ଯାହାକୁ ନେଇ ମଧ୍ୟ କ୍ଲବ୍ ଢେର୍‌ ସମାଲୋଚନାର ଶିକାର ହୋଇଥିଲା। ସେତେବେଳେ ଏହି କଥାକୁ ନେଇ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଥିଲା। ଏକଥା ମଧ୍ୟ ସତ ଯେ ପାଞ୍ଚବର୍ଷ ପୂର୍ବେ ଓଡ଼ିଶା ଆସିଥିବା ‘ଓଡ଼ିଶା ଏଫ୍‌ସି’ ଅଙ୍କିତ ଭୂୟାଁ, ଟଙ୍କଧର ବାଗ୍ ଓ ଶୁଭମ୍‌ ଷଡ଼ଙ୍ଗୀଙ୍କ ଭଳି ହାତଗଣତି ଖେଳାଳିଙ୍କୁ ସୁଯୋଗ ଦେଇଛି। ଅଙ୍କିତ ବିଶେଷ ସୁଯୋଗ ପାଇ ନଥିଲା ବେଳେ ଶୁଭମ୍‌ ଓ ଟଙ୍କଧର କିଛି ମ୍ୟାଚ୍ ଖେଳିଛନ୍ତି। ଏହା ପୂର୍ବରୁ ପ୍ରାୟୋଜକ ଅଭାବର ଦ୍ବାହି ଦେଇ ସ୍ପୋର୍ଟସ ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳ ମଧ୍ୟ ଇଣ୍ଡିଆନ୍ ଓମେନ୍ସ ଲିଗ୍‌ରୁ ଓହରି ଯାଇଛି।

ଦଳର ଇତିହାସକୁ ତର୍ଜମା କଲେ ଜଣାପଡ଼େ ‘ଓଡ଼ିଶା ଏଫ୍‌ସି’ର ମୂଳ ନାଁ ଥିଲା ‘ଦିଲ୍ଲୀ ଡାଇନାମସ୍’। ୧୦ବର୍ଷ ତଳେ ଏହି ଦଳ ଗଠିତ ହୋଇଥିଲା। ୨୦୧୮-୨୦୧୯ ଋତୁ ପର୍ଯ୍ୟନ୍ତ ‘ଦିଲ୍ଲୀ ଡାଇନାମସ୍’ ନାଁରେ ହିଁ ଦଳ ଆଇଏସ୍‌ଏଲ୍ ଖେଳିଥିଲା। ତେବେ ଅଗଷ୍ଟ ୩୧, ୨୦୧୯ ରେ ଦଳର ନାଁ ‘ଓଡ଼ିଶା ଏଫ୍‌ସି’କୁ ପରିବର୍ତ୍ତିତ ହୋଇଥିଲା। ନୂଆ ଦଳ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌କୁ ନିଜ ଘରୋଇ ପଡ଼ିଆ କରିଥିଲା। ତତ୍‌କାଳୀନ ଓଡ଼ିଶା ସରକାର ଏହି ଦଳକୁ ଭିତ୍ତିଭୂମି ସହ ଅନ୍ୟାନ୍ୟ ସମର୍ଥନ ଓ ସହଯୋଗ ମଧ୍ୟ ଯୋଗାଇଥିଲେ। ତେବେ ୫ବର୍ଷ ପରେ ଦଳ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରୋହନଙ୍କ ଲେଖାରୁ ସ୍ପଷ୍ଟ ଆଭାସ ମିଳିଛି। ଏହା ହିଁ ଦଳ ଓଡ଼ିଶା ଛାଡ଼ିବାର ମୂଳ କାରଣ ହେବ  ବୋଲି ଜଣାପଡ଼ିଛି। ୨୦୧୯-୨୦ରୁ ୨୦୨୩-୨୪ ଋତୁରେ ଓଡ଼ିଶା ଏଫ୍‌ସି ‘ଆଇଏସ୍‌ଏଲ୍‌’ରେ ଯଥାକ୍ରମେ ଷଷ୍ଠ, ଏକାଦଶ, ସପ୍ତମ, ଷଷ୍ଠ ଓ ଚତୁର୍ଥ ସ୍ଥାନ ଅଧିକାର କରିଛି। ସୁପରକପ୍‌ରେ ଗତବର୍ଷ ବିଜେତା ହୋଇଥିଲା ବେଳେ ଏବର୍ଷ ଉପବିଜେତା ହୋଇଛି। ୨୦୨୨-୨୩ରେ ଡୁରାଣ୍ଡ କପ୍‌ର କ୍ବାର୍ଟରଫାଇନାଲ୍ ପର୍ଯ୍ୟାୟକୁ ଯାଇଥିଲା। ସେହିଭଳି ଦୁଇବର୍ଷ ତଳେ ଗଠିତ ହୋଇଥିବା ଓଡ଼ିଶା ଏଫ୍‌ସି ମହିଳା ଦଳ ଆଇଡବ୍‌ଲ୍ୟୁଏଲ୍‌ରେ ୨୦୨୩-୨୪ ଋତୁରେ ବିଜେତା ହୋଇଥିଲା। ଓଡ଼ିଆ ଖେଳାଳି ପ୍ୟାରି ଖାଖା ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ଦେଇ ଇତିହାସ ରଚିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.