Breaking News

ଓଡ଼ିଶା ଡାଏରି: ଦୁର୍ଦ୍ଦଶାରେ ପବିତ୍ର ଜଳାଶୟ

ଭାରତୀୟ ପରମ୍ପରାରେ ନଦୀ, ପୁଷ୍କରିଣୀ ଓ ଜଳାଶୟଗୁଡ଼ିକର ଉଲ୍ଲେଖନୀୟ ମହତ୍ତ୍ବ ରହିଛି। ପୂଜାପାଠ ସମୟରେ ପାଣି ଆଞ୍ଜୁଳାକ ଭିତରେ ଆମେ ପବିତ୍ର ନଦୀମାନଙ୍କରେ ଉପସ୍ଥିତି ପ୍ରାର୍ଥନା କରିଥାଉ- ‘‘ଗଙ୍ଗେ ଚ ଯମୁନେଚୈବ, ଗୋଦାବରୀ

ଗୌରହରି ଦାସ

ଭାରତୀୟ ପରମ୍ପରାରେ ନଦୀ, ପୁଷ୍କରିଣୀ ଓ ଜଳାଶୟଗୁଡ଼ିକର ଉଲ୍ଲେଖନୀୟ ମହତ୍ତ୍ବ ରହିଛି। ପୂଜାପାଠ ସମୟରେ ପାଣି ଆଞ୍ଜୁଳାକ ଭିତରେ ଆମେ ପବିତ୍ର ନଦୀମାନଙ୍କରେ ଉପସ୍ଥିତି ପ୍ରାର୍ଥନା କରିଥାଉ- ‘‘ଗଙ୍ଗେ ଚ ଯମୁନେଚୈବ, ଗୋଦାବରୀ ସରସ୍ବତୀ/ନର୍ମଦେ ସିନ୍ଧୁ କାବେରୀ ଜଳେଅସ୍ମିନ ସନ୍ନିଧିଂ କୁରୁ।’’ ଅର୍ଥାତ୍ ହେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଓ କାବେରୀ ନଦୀ- କୃପାକରି ଏହି ପାଣି ଆଞ୍ଜୁଳାର ଜଳରେ ଆପଣମାନେ ଉପସ୍ଥିତ ହୁଅନ୍ତୁ। ଏହି ଶ୍ଳୋକରେ ସପ୍ତନଦୀ ନାମ ଉଲ୍ଲେଖ ଥିଲେ ମଧ୍ୟ ଏଠାରେ ସବୁ ନଦୀର ମହତ୍ତ୍ବ ପ୍ରତିପାଦିତ। ପଞ୍ଚଭୂତ ଭିତରେ ଜଳର ସର୍ବାଧିକ ଗୁରୁତ୍ବ କଥା ଆମେ ଜାଣୁ।
ଆମ ପୂଜା ପରମ୍ପରାର ମୌଳିକ ଆବଶ୍ୟକତା ଜଳର ପ୍ରୟୋଜନ ପୂରଣ ପାଇଁ ମନ୍ଦିରଗୁଡ଼ିକ ସହିତ ଏକ ଏକ ଜଳାଶୟ ଖୋଳା ଯାଉଥିଲା। ସେହି ଜଳାଶୟର ପାଣି ପୂଜାରେ ଲାଗୁଥିଲା, ତହିଁରେ ଅନ୍ନ ବ୍ୟଞ୍ଜନାଦି ଭୋଗ ପ୍ରସ୍ତୁତ ହେଉଥିଲା, ପୂଜକ ଓ ଭକ୍ତମାନେ ସେ ପାଣିରେ ସ୍ନାନ କରୁଥିଲେ ଏବଂ ସମୟେ ସମୟେ ଗଙ୍ଗା ଜଳ ପରି ସାଥୀରେ ନେଇ ଯାଉଥିଲେ। ଏହି ଜଳାଶୟଗୁଡ଼ିକ ମଧ୍ୟ ଭୂତଳ ଜଳସ୍ତର ରକ୍ଷା କରୁଥିଲା ଓ ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଉଥିଲା। କେଉଁଠାରେ ଏହି ଜଳାଶୟ କୁଣ୍ଡ, କେଉଁଠାରେ ପୋଖରୀ ଭାବେ ଖୋଳା ଯାଇଥିଲାବେଳେ ଅନେକ ସ୍ଥାନରେ ଭୁବନେଶ୍ବର‌ର ବିନ୍ଦୁସାଗର ପରି ବୃହତ୍ ବୃହତ୍ ଜଳାଶୟ ଖୋଳା ଯାଇଥିଲା। ଓଡ଼ିଶାରେ ଯେଉଁଠି ଯେଉଁଠି ପ୍ରାଚୀନ ମନ୍ଦିର ଅଛି ତା’ ପାଖରେ ନିଶ୍ଚୟ ପୁଷ୍କରିଣୀ ବା ଜଳାଶୟର ବ୍ୟବସ୍ଥା ରହିଛି। ମାତ୍ର ବର୍ତ୍ତମାନ ସେଗୁଡ଼ିକର ସ୍ଥିତି କ’ଣ? ଏକଦା ପୂତ, ପବିତ୍ର ଜଳାଶୟ ଭାବରେ ସୁପରିଚିତ ସେଗୁଡ଼ିକ ମଧ୍ୟରୁ କେତେକ ପୋତି ହୋଇପଡ଼ିଲାଣି, ଆଉ କେତେକ ଜବରଦଖଲକାରୀଙ୍କ ଦଖଲରେ ଏବଂ ଯୋଉ କେତୋଟି ବଞ୍ଚି ରହିଛି ସେସବୁ ଯତ୍ନ ଅଭାବରୁ ପ୍ରଦୂଷିତ, ବ୍ୟବହାର ଅନୁପଯୋଗୀ।
ଏହିଭଳି ଏକ ଗମ୍ଭୀର ପ୍ରସଙ୍ଗକୁ କେନ୍ଦ୍ରରେ ରଖି ବ୍ରୁକଲିନ ବିଶ୍ବବିଦ୍ୟାଳୟ (ନ୍ୟୁୟର୍କ)ର ଗବେଷିକା ଅନିଶା ସ୍ବାଇଁ ଖଣ୍ଡିଏ ବହି ଲେଖିଛନ୍ତି ଯାହାର ନାଁ- ସାକ୍ରେଡ ୱାଟର୍ସ (ପବିତ୍ର ଜଳ)। ଏ ବହିଟିରେ ସେ ପୁରୁଣା ଭୁବନେଶ୍ବରର କିଛି ମହତ୍ତ୍ବପୂର୍ଣ୍ଣ, ଐତିହାସିକ ଜଳାଶୟର ଇତିହାସ, କିଂବଦନ୍ତି ଓ ଗୁରୁତ୍ବ ସହ ସେଗୁଡ଼ିକର ସାଂପ୍ରତିକ ଅବସ୍ଥା ଆଲୋଚନା କରି ସମାଧାନର ସୂତ୍ର ଉପସ୍ଥାପନ କରିଛନ୍ତି। ‘ଇନ୍‌ଟାକ୍’ର ଆଗ୍ରହ କ୍ରମେ ପ୍ରସ୍ତୁତ ଏହି ଗବେଷଣାମୂଳକ ବହି ଖଣ୍ଡିକ ଗତ ମାସ ଶେଷ ସପ୍ତାହରେ ଉନ୍ମୋଚିତ ହୋଇଥିଲା, ଯେତେବେଳେ ଦୟା ନଦୀର ବିଷାକ୍ତ ପାଣି କଣାସରେ ଝାଡ଼ାବାନ୍ତି ଘଟାଇ ୪ ଜଣଙ୍କ ପ୍ରାଣ ନେଇଥିଲା। ଏ ବହିର ମୁଖବନ୍ଧରେ ‘ଇନ୍‌ଟାକ୍’ ଭୁବନେଶ୍ବରର ଆବାହକ ଅନୀଲ ଧୀର ଉଲ୍ଲେଖ କରିଛନ୍ତି ଯେ ଗୋଟେ ସମୟରେ ଓଡ଼ିଶାରେ ସର୍ବାଧିକ ମନ୍ଦିର-ଜଳାଶୟ ଥିଲା। ମାତ୍ର ଆଜି ସେ ସବୁରୁ ଅନେକ ଉଭେଇ ଗଲାଣି ବା ରୁଗ୍‌ଣ ହୋଇପଡ଼ିଲାଣି। ମନ୍ଦିର ସଂପୃକ୍ତ ପୋଖରୀ ଭିନ୍ନ ଓଡ଼ିଶାରେ ଆହୁରି ପ୍ରାୟ ଦେଢ଼ଲକ୍ଷ ପୋଖରୀ ରହିଛି ଯାହା ଲକ୍ଷ ଲକ୍ଷ ଜନସାଧାରଣଙ୍କ ପ୍ରୟୋଜନ ପୂରଣ କରୁଅଛି। ସେସବୁର ଯତ୍ନ ନିଆଯିବା ଆବଶ୍ୟକ।
ଭୁବନେଶ୍ବରର ଆଠଟି ଜଳାଶୟକୁ ନେଇ ଅନିଶାଙ୍କର ଏହି ଗବେଷଣା ଅନେକ ତଥ୍ୟ ଆମ ଆଗକୁ ଆଣିଥାଏ। ସହରର ପ୍ରୟୋଜନ ପାଇଁ ଏବେ ଯୋଉ କଂକ୍ରିଟ ବିସ୍ତାର ଚାଲିଛି ତାହା ଆମ ପରମ୍ପରା, ସଂସ୍କୃତି ଓ କିଂବଦନ୍ତିକୁ ବୁଲ୍‌ଡୋଜର ଭରେ ଚାପି ଆଗକୁ ମାଡ଼ି ଚାଲୁଛି। ଏହି କାରଣରୁ ଦିନେ, ଏକଦା ଆମ ଅସ୍ତିତ୍ବର ଗୁରୁତ୍ବପୂର୍ଣ୍ଣ ଅଂଶ ଥିବା ଏହି ଜଳାଶୟଗୁଡ଼ିକ ପରୀକାହାଣୀ ପାଲଟିଯିବା ଅସମ୍ଭବ ନୁହେଁ। ଓଡ଼ିଶାରେ ଥିବା ଅଧିକାଂଶ ପ୍ରାଚୀନ-ଜଳାଶୟ ପୁରୁଣା ମନ୍ଦିରଗୁଡ଼ିକର ସମସାମୟିକ। ମନ୍ଦିର ପାଇଁ ଜଳାଶୟ କେବଳ ଯେ ଉପଯୋଗୀ ବିଚାର କରାଯାଉଥିଲା ସେତିକି ନୁହେଁ, ମନ୍ଦିର ପରି ଜଳାଶୟ ଖନନକୁ ମଧ୍ୟ ଏକ ପୁଣ୍ୟ କାର୍ଯ୍ୟ ବୋଲି ଭାରତୀୟମାନେ ବିଶ୍ବାସ କରୁଥିଲେ। ମୁଖ୍ୟତଃ ରାଜା, ଜମିଦାର ଓ ସାମନ୍ତମାନେ ଏଭଳି ପୁଷ୍କରିଣୀ ଖୋଳାଉଥିଲେ। ଗବେଷିକା ଆଲୋଚନା କରିଥିବା ପୁରୁଣା ଭୁବନେଶ୍ବରର ଜଳାଶୟଗୁଡ଼ିକ ମଧ୍ୟରୁ କେତେକର ଜଳ ସାଧାରଣ ଲୋକଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଉଦାହରଣ ସ୍ବରୂପ ମରିଚକୁଣ୍ଡର ଜଳ ଗର୍ଭଧାରଣରେ ସହାୟକ ହେଉଥିବା ସାଧାରଣରେ ବିଶ୍ବାସ ଅଛି। ସେଥିପାଇଁ ବହୁତ ଚାହିଦା। ଅଶୋକାଷ୍ଟମୀରେ ଏହି ମରିଚକୁଣ୍ଡର ପାଣି ନିଲାମ ଡକା ଯାଇଥାଏ। ଦି’ହଜାର ବର୍ଷର ପୁରୁଣା ଭୁବନେଶ୍ବରରେ ଏକଦା ସାତ ଶହରୁ ଅଧିକ ମନ୍ଦିର ଥିଲା। ଏସବୁ ଭିତରୁ ରାଜାରାଣୀ ମନ୍ଦିର ଓ ମୁକ୍ତେଶ୍ବର ତୋରଣର ଅନନ୍ୟ ସ୍ଥାପତ୍ୟ ସର୍ବଜନବିଦିତ। ଲିଙ୍ଗରାଜ ଏକାମ୍ର ନଗରର ଅଧିଷ୍ଠାତା ଦେବତା ଓ ଲିଙ୍ଗରାଜ ମନ୍ଦିର ଏ ସହରର ବଡ଼ ପରିଚୟ। ଏ ମନ୍ଦିର ନିକଟରେ ଥିବା ବିନ୍ଦୁସାଗରର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ମଧ୍ୟ ଖୁବ୍ ବେଶି। ଲିଙ୍ଗରାଜ ମନ୍ଦିର ଦେବ ଦେବ ମହାଦେବଙ୍କର ଆରାଧନା ପୀଠ। କିଂବଦନ୍ତି ଅନୁସାରେ ବାରାଣାସୀର କେଳାହଳମୟ ପରିବେଶରେ ଅତିଷ୍ଠ ଶିବ ନିର୍ଜନ ସ୍ଥାନ ଖୋଜୁ ଖୋଜୁ ଏହି ଏକାମ୍ର କ୍ଷେତ୍ରକୁ ଆସି ଏଠାରେ ଥିବା ଅରଣ୍ୟରେ ‌େଯାଗାସନରେ ବସିଥିଲେ। ଶିବ ଏଠାରେ ଗୋପନରେ ଆସି ଯୋଗ ସାଧନା କରିଥିବାରୁ ଏହାକୁ ଗୁପ୍ତକାଶୀ ବୋଲି ମଧ୍ୟ କୁହାଯାଏ। ବ୍ରହ୍ମାଙ୍କ ସହାୟତାରେ ପାର୍ବତୀ ଶିବଙ୍କୁ ଖୋଜି ଖୋଜି ଏହି ଜାଗାରେ ପହଞ୍ଚି ଲକ୍ଷ୍ୟ କରିଥିଲେ ଯେ ଗୋଟିଏ ଦିଗରେ ଗାଈମାନେ ଯାଇ କୋଉଠି କ୍ଷୀର ଦେଇ ଚାଲିଆସୁଛନ୍ତି। ତେଣୁ ପାର୍ବତୀ ଗୋପାଳୁଣୀ ବେଶରେ ଏଠା‌େର ରହି ସେହି ଗାଈମାନଙ୍କର ଯତ୍ନ ନେଇଥିଲେ। ତାଙ୍କ ରୂପ ସୁଷମାରେ ମୋହିତ ହୋଇ ଏଠି ଆଗରୁ ରହୁଥିବା ଅପଶକ୍ତି କୀର୍ତ୍ତି ଓ କୃତ୍ତିବାସ ପାର୍ବତୀଙ୍କ ପ୍ରତି ଦୁର୍ବ୍ୟବହାର କରିବାକୁ ବାହାରିବାରୁ ଦେବୀ ପାର୍ବତୀ କ୍ରୁଦ୍ଧ ହୋଇ ସେ ଦୁହିଁଙ୍କୁ ହତ୍ୟା କରିଥିଲେ। ଏହାପରେ ତୃଷିତା ଦେବୀ ଶିବଙ୍କ ପାଖରେ ପହଞ୍ଚି ପିଇବାକୁ ନିର୍ମଳ ପାଣି ମାଗିଥିଲେ। ଶିବ ତାଙ୍କର ତ୍ରିଶୂଳରେ ଭୂମି ବିଦୀର୍ଣ୍ଣ କରି ଦେବୀଙ୍କ ପାଇଁ ପିଇବା ଜଳର ବ୍ୟବସ୍ଥା କରିଥିଲେ। କ୍ରମେ ସେହି ଉତ୍ସ ଜଳାଶୟରେ ପରିଣତ ହୋଇଥିଲା। ଗଙ୍ଗେଶ୍ବର ଓ ଯମୁନେଶ୍ବର ମନ୍ଦିର ନିକଟରେ ଥିବା ଗଙ୍ଗା-ଯମୁନା ପୁଷ୍କରିଣୀ ଏହି କିଂବଦନ୍ତିକୁ ଧରି ରଖିଛି। ଏହି ଯାଅଁାଳା ମନ୍ଦିର ଗ‌ଙ୍ଗବଂଶର ରାଜତ୍ବ ସମୟରେ ନିର୍ମିତ ହୋଇଥିଲା। ପ୍ରାକୃତିକ ଜଳଉତ୍ସ ହେଉଛି ପୁରୁଣା ଭୁବନେଶ୍ବରର ଅଧିକାଂଶ ପୁଷ୍କରିଣୀର ଗୁରୁତ୍ବପୂର୍ଣ୍ଣ ବିଭାବ। କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ପ୍ରଭୃତି ପବିତ୍ର ଦିନରେ ଗଙ୍ଗା-ଯମୁନା ଜଳରେ ଭକ୍ତମାନେ ସ୍ନାନ କରିଥାନ୍ତି। ଏହା ପଞ୍ଚତୀର୍ଥ ମଧ୍ୟରୁ ଗୋଟିଏ। ଅନ୍ୟ ଚାରିଟି ଜଳ-ତୀର୍ଥ ହେଲା ବିନ୍ଦୁସାଗର, କୋଟୀତୀର୍ଥ, ଦେବୀପାଦହରା ଓ ପାପନାଶିନୀ କୁଣ୍ଡ। ଏହି କୁଣ୍ଡଟିର ଜଳ ଏ ପର୍ଯ୍ୟନ୍ତ ପରିଷ୍କାର ଓ ବ୍ୟବହାର ଉପଯୋଗୀ ରହିଛି। ପୁରୁଣା ଭୁବନେଶ୍ବରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଜଳାଶୟ ଗୋସାଗରେଶ୍ବର ପୁଷ୍କରିଣୀ। ଏହାର ଜଳରେ ନିଜେ ଶିବ ବିଶେଷ ସ୍ନାନ କରିଥିବା କିଂବଦନ୍ତି ରହିଛି। ମାଉସୀମା’ ଛକରୁ ବଢ଼େଇବାଙ୍କ ଛକ ମଝି ରଥ ରୋଡ୍‌ରେ ଏହା ଅବସ୍ଥିତ। ଶିବ କାହିଁକି ଏଠାରେ ସ୍ନାନ କଲେ ତା’ ପଛରେ ମଧ୍ୟ ଏକ କିଂବଦନ୍ତି ଅଛି। ଏକଦା ଭ୍ରମବଶତଃ ଶିବଙ୍କ ହାତରେ ଏକ ବାଛୁରୀର ମୃତ୍ୟୁ ଘଟିଥିଲା। ଗୋହତ୍ୟା ମହାପାପ। ଏପରି ପାପରୁ ମୁକ୍ତି ପାଇଁ ଶିବ ଏଠାରେ ସ୍ନାନ କରିଥିଲେ। ଆଜି ମଧ୍ୟ ଅନୁରୂପ ପାପ କରିଥିବା ବ୍ୟକ୍ତିମାନେ ଆସି ଏଠାରେ ସ୍ନାନ କରି ତହିଁରୁ ମୁକ୍ତି ପାଇଥାଆନ୍ତି। ତ୍ରୟୋଦଶ ଶତାବ୍ଦୀରେ ଖୋଦିତ ଏହି ପୁଷ୍କରିଣୀର ବର୍ତ୍ତମାନର ସମସ୍ୟା ହେଉଛି, ଏହାର ନିଷ୍କାସନ ବାଟ ବନ୍ଦ ହୋଇଯାଇଥିବାରୁ ପାଣି ଜମି ରହି ଅପରିଷ୍କାର ହୋଇଯାଇଛି। ଏକଦା ପାପରୁ ମୁକ୍ତି ଦେଉଥିବା ଏହି ପୁଷ୍କରିଣୀର ପାଣି ବର୍ତ୍ତମାନ ଏଭଳି ଦୂଷିତ ଯେ ଏଠାରେ ସ୍ନାନ କରିବା ରୋଗକୁ ନିମନ୍ତ୍ରଣ କରିବା ସହ ସମାନ ହେବ। ଦଳଭର୍ତ୍ତି ଏହି ପୁଷ୍କରିଣୀଟିକୁ ୨୦୨୩ ପର୍ଯ୍ୟନ୍ତ ଲୋକେ ବ୍ୟବହାର କରୁଥିଲେ, ତାହା ପରଠାରୁ ବନ୍ଦ। ଏହାକୁ ପୁନର୍ବାର ବ୍ୟବହାର ଉପଯୋଗୀ କରିବାକୁ ହେଲେ ଦଳ ସଫା କରିବା ସହ ତା’ର ପାଣି ଯିବା ରାସ୍ତା ଖୋଲିବାକୁ ପଡ଼ିବ ଏବଂ ବିଶୋଧନ ବ୍ୟବସ୍ଥା କରିବାକୁ ହେବ। ଏସବୁ କାର୍ଯ୍ୟ ନିୟମିତ ବ୍ୟବଧାନରେ କରା ନ ଗଲେ ପୁଷ୍କରିଣୀର ପାଣି ବ୍ୟବହାର ଉପଯୋଗୀ ହୋଇପାରିବ ନାହିଁ। ଅନ୍ୟତମ ପବିତ୍ର ଜଳାଶୟ ପାପନାଶିନୀ କୁଣ୍ଡର ସମ୍ବନ୍ଧ ଲିଙ୍ଗରାଜ ମନ୍ଦିର ସହ ରହିଛି। ପ୍ରଥମାଷ୍ଟମୀ ତିଥିରେ ପାପନାଶିନୀ କୁଣ୍ଡର ଗୁରୁତ୍ବ ବଢ଼ିଯାଏ। ଅନ୍ୟତମ ପବିତ୍ର ଜଳାଶୟ ଦେବୀପାଦହରା କୁଣ୍ଡର ଦାୟିତ୍ବ ଏଏସ୍ଆଇ (ଆର୍କିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ) ବୁଝୁଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ଏଠାରେ ଯାବତୀୟ ଅଳିଆ ପକଉଥିବାରୁ ଏହାର ଜଳ ଏବେ ପ୍ରଦୂଷିତ। ବର୍ଷରେ ଚାରିଥର ଏହାକୁ ପରିଷ୍କାର କରାଯାଉଥିଲେ ସୁଦ୍ଧା ସେ କାମ ସନ୍ତୋଷଜନକ ନୁହେଁ। ଭୁବନେଶ୍ବରର କେଦାରେଶ୍ବର ପୋଖରୀର କଥା ଗବେଷିକା ଆଲୋଚନା କରିଛନ୍ତି ଏବଂ ଏହି ପବିତ୍ର ପୋଖରୀ ଜଳ ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ଓ କ୍ଷତିକାରକ ବୋଲି ସେ ଦର୍ଶାଇଛନ୍ତି। ତେବେ ଭୁବନେଶ୍ବରର ଗୁଆଝର ପୋଖରୀ ଓ ମୁକ୍ତେଶ୍ବର ପୋଖରୀର ରକ୍ଷଣାବେକ୍ଷଣ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି ଗବେଷିକା। ସେ ବିନ୍ଦୁସାଗର ଉପରେ ଏକ ବିସ୍ତୃତ ପ୍ରବନ୍ଧ ଏଥିରେ ସ୍ଥାନୀତ କରିଛନ୍ତି। ସବୁ ପ୍ରକାର ପ୍ରଚାର ପ୍ରସାର ସତ୍ତ୍ବେ ବିନ୍ଦୁସାଗରର ପାଣିକୁ ପରିଷ୍କାର ବୋଲି କୁହାଯାଇପାରିବ ନାହିଁ। ଏହା ବର୍ତ୍ତମାନ ଅତ୍ୟନ୍ତ ଅପରିଷ୍କାର ସ୍ଥିତିରେ। ଯଦି ବହୁଚର୍ଚ୍ଚିତ ବିନ୍ଦୁସାଗରର ରକ୍ଷଣାବେକ୍ଷଣରେ ଏ ଧରଣର ଅବହେଳା ଦେଖିବାକୁ ମିଳୁଛି ତାହା ହେଲେ ଅଳିଆଗଦାରେ ରୂପାନ୍ତରିତ ହୋଇସାରିଥିବା ଯମେଶ୍ବର କୁଣ୍ଡ ସଂପର୍କରେ ଆଲୋଚନା ଅନାବଶ୍ୟକ। ଯମେଶ୍ବର କୁଣ୍ଡ ଏବେ କୁଢ଼ କୁଢ଼ ଅଳିଆ ତଳେ ସମାଧି ନେଇଛି।
ଗବେଷିକା ଜଣେ ପରିବେଶ-ସ୍ଥପତି ହୋଇଥିବାରୁ ସେ ଜଳାଶୟଗୁଡ଼ିକର ବୈଷୟିକ ଦିଗ, ବୈଶିଷ୍ଟ୍ୟ ଓ ପରିବେଶ ପ୍ରସଙ୍ଗ ଚର୍ଚ୍ଚା କରିଛନ୍ତି। ଭୁବନେଶ୍ବରର ପ୍ରଶାସନ ଓ ସାଧାରଣ ନାଗରିକଙ୍କ ପାଇଁ ଯୋଉ କଥାଟି ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏହି ଜଳାଶୟ/କୁଣ୍ଡ/ପୋଖରୀଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟିର ଭୁବନେଶ୍ବର ସହରର ମହତ୍ତ୍ବ ବୃଦ୍ଧି କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ରହିଛି। ଯଦି ଏହି ଜଳାଶୟଗୁଡ଼ିକ ଲୋପ ପାଇଯାଆନ୍ତି, ତାହା ହେଲେ ଭୁବନେଶ୍ବର ଐତିହ୍ୟଛେଉଣ୍ଡ ପାଲଟିଯିବ। ଆମେମାନେ ଓଡ଼ିଶାର ଅସ୍ମିତା ସମ୍ବନ୍ଧରେ ଆଲୋଚନା କରୁଥିବାବେଳେ ଅସ୍ମିତାର ଉତ୍ସଗୁଡ଼ିକ ଧ୍ବସ୍ତବିଧ୍ବସ୍ତ ହୋଇଯିବା ଏବଂ ତାହାକୁ ନିଷ୍କ୍ରିୟ ଢଙ୍ଗରେ ଚାହିଁ ରହିବା ସାଂସ୍କୃତିକ ଅପରାଧ। ଆଗରୁ ଯେ ଏ ସମ୍ବନ୍ଧରେ ଚର୍ଚ୍ଚା ହୋଇନାହିଁ ତାହା ନୁହେଁ, ମାତ୍ର ଆଲୋଚ୍ୟ‌ ବହିର ଗବେଷିକା ଦୀର୍ଘ ପରିଶ୍ରମ କରି ତଥ୍ୟ ଓ ବାସ୍ତବ ଚିତ୍ର ଆମ ସମ୍ମୁଖକୁ ଆଣିଛନ୍ତି। ସେ ତାଙ୍କ ବହିରେ ଦେଶ ବିଦେଶର ବହୁ ସଫଳ ଉଦାହରଣମାନ ଦେଇଛନ୍ତି। ଆମେ ଉତ୍କଳୀୟମାନେ ଆମର ନଦୀ, ଜଳାଶୟଗୁଡ଼ିକୁ ସମ୍ମାନ ଦେବା କ୍ଷେତ୍ରରେ ବୀତସ୍ପୃହ। ସେଥିପାଇଁ ଆମର ଅଧିକାଂଶ ନଦୀ ବାଲିଚର ନ ହେଲେ ଦୁର୍ଗନ୍ଧଯୁକ୍ତ ନାଳରେ ପରିଣତ ହୋଇଛି। ଭୁବନେଶ୍ବରର ପବିତ୍ର ଜଳାଶୟଗୁଡ଼ିକୁ ସେପରି ହେବାକୁ ଛାଡ଼ିଦେବା ଉଚିତ ହେବନାହିଁ। ‘ସାକ୍ରେଡ ୱାଟର୍ସ’ ବହିରେ ଦର୍ଶାଯାଇଥିବା ଦିଗଗୁଡ଼ିକ ପ୍ରତି କେନ୍ଦ୍ର ଓ ରାଜ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଧ୍ୟାନ ଦେବା ସର୍ବାଦୌ ବାଞ୍ଛନୀୟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୭୭୨୮୮

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.