Breaking News

ଓଡ଼ିଶା ପୁଲିସରେ ସନ୍ଧାନୀ କୁକୁରଙ୍କ କମାଲ୍‌: ୭ ବର୍ଷରେ ଧରିଲେଣି ୩୨୨ ଅପରାଧୀ

ରାଜ୍ୟରେ ଚୋରି, ଡକାୟତି, ହତ୍ୟାକାଣ୍ଡ, ନିଶା ସାମଗ୍ରୀ ଚାଲାଣ ମାମଲାରେ ଓଡ଼ିଶା ପୁଲିସର ଯେତେବେଳେ ଆଧୁନିକ ଜ୍ଞାନ କୌଶଳ ବିଫଳ ହୋଇଛି, ସେଠି କ୍ରାଇମବ୍ରାଞ୍ଚ ‘କେ-୯ ସ୍କ୍ବାଡ୍‌’ର ସନ୍ଧାନୀ କୁକୁର କମାଲ୍ ଦେଖାଉଛନ୍ତି।

ଚିରଂଜୀବୀ କର

କଟକ: ରାଜ୍ୟରେ ଚୋରି, ଡକାୟତି, ହତ୍ୟାକାଣ୍ଡ, ନିଶା ସାମଗ୍ରୀ ଚାଲାଣ ମାମଲାରେ ଓଡ଼ିଶା ପୁଲିସର ଯେତେବେଳେ ଆଧୁନିକ ଜ୍ଞାନ କୌଶଳ ବିଫଳ ହୋଇଛି, ସେଠି କ୍ରାଇମବ୍ରାଞ୍ଚ ‘କେ-୯ ସ୍କ୍ବାଡ୍‌’ର ସନ୍ଧାନୀ କୁକୁର କମାଲ୍ ଦେଖାଉଛନ୍ତି। ଗଲା ୭ ବର୍ଷ ଭିତରେ ମୋଟ ୧୫୬୩ଟି ସମ୍ପତ୍ତି ଜନିତ ଅପରାଧ ମାମଲାରେ ସନ୍ଧାନୀ କୁକୁର ତଦନ୍ତକାରୀ ଅଧିକାରୀଙ୍କୁ ବଳିଷ୍ଠ ପ୍ରମାଣ ଦେଇଛନ୍ତି। ସେହିଭଳି ୩୨୨ ମାମଲାରେ ଅପରାଧୀଙ୍କୁ ଗିରଫ କରାଇବା, ସମ୍ପତ୍ତି ଜବତ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଛନ୍ତି। ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ଅଧୀନରେ ୧୯୬୧ରେ ମାତ୍ର ଦୁଇଟି ଜର୍ମାନସେଫର୍ଡ ପ୍ରଜାତିର କୁକୁର ଜନ୍ ଓ ଜ୍ୟୋତିଙ୍କୁ ନେଇ ୟୁନିଟ୍ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ୟୁନିଟ୍‌ର ନାଁ ‘କେ-୯ ସ୍କ୍ବାଡ୍’ ରଖାଗଲା। ଏବେ ସମସ୍ତ ୩୪ଟି ପୁଲିସ ଜିଲ୍ଲାରେ ସନ୍ଧାନୀ କୁକୁର ସଂଖ୍ୟା ୫୧ରେ ପହଞ୍ଚିଲାଣି। ଟ୍ରାକିଂ କୁକୁର ୩୩ଟି, ବିସ୍ଫୋରକ ସାମଗ୍ରୀ ଅନୁସନ୍ଧାନକାରୀ ୧୫ଟି, ମାଦକ ଦ୍ରବ୍ୟ ଅନୁସନ୍ଧାନକାରୀ ୨ଟି ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ସହାୟତା ପାଇଁ ଗୋଟିଏ କରି ବେଲଜିୟମ୍ ମାଲେନିୟଜ, ଜର୍ମାନ୍‌ସେଫର୍ଡ, ଲାବ୍ରାଡର୍, ରଟ୍‌ଵିଲର୍, ଡୋବର୍‌ମ୍ୟାନ୍‌, ମୁଧୋଲ୍‌ହାଉଣ୍ଡ୍‌ ପ୍ରଜାତିର କୁକୁର ଅଛନ୍ତି।

୭ ବର୍ଷରେ ଧରିଲେଣି ୩୨୨ ଅପରାଧୀ 
ମାଟିତଳୁ ଶବ ଉଦ୍ଧାର, ବିସ୍ଫୋରକ ଓ ନିଶାଦ୍ରବ୍ୟ ଜବତରେ ଉଲ୍ଲେଖନୀୟ ସଫଳତା
୧୯୬୧ରେ ୨କୁକୁରଙ୍କୁ ନେଇ ଆରମ୍ଭ ହୋଇଥିଲା ସ୍କ୍ବାଡ୍‌

କେରଳର ୱାୟନାଡ୍‌ ଭୂସ୍ଖଳନରେ ପୋତି ହୋଇ ରହିଥିବା ଶବ ଉଦ୍ଧାର କରିବାରେ ଅତ୍ୟାଧୁନିକ ଯନ୍ତ୍ରାଂଶ ବିଫଳ ହୋଇଥିଲା। ସେହି ସମୟରେ ବ୍ରହ୍ମପୁର ପୁଲିସର କୁକୁର ଷ୍ଟର୍ମ ୧୫ଶବ ଉଦ୍ଧାର କରି ଚର୍ଚ୍ଚାକୁ ଆସିଥିଲା। ୨୦୨୩ରେ ୧୪୬୧ଟି ଘଟଣାରେ ବିସ୍ଫୋରକ ସାମଗ୍ରୀ ଠାବ ସମୟରେ ସନ୍ଧାନୀ କୁକୁର ବ୍ୟବହାର ହୋଇଥିଲା। ପୁରୀ ଜିଲ୍ଲାରେ ତିନୋଟି ଆପରାଧିକ ମାମଲାରେ ୭ଟି ଜୀବନ୍ତ ବୋମା କୁକୁର ‘ଭୀମ୍’ ଠାବ କରିଥିଲା। ସେହିବର୍ଷ ୮୬ଟି ନିଶା ସାମଗ୍ରୀ ଠାବ ମାମଲାରେ କୁକୁର ବ୍ୟବହାର କରାଯାଇଥିଲା। କେବଳ ରାଉରକେଲାରେ ୨୬ ଘଟଣାରେ ସନ୍ଧାନୀ କୁକୁରଙ୍କୁ ବ୍ୟବହାର କରାଯାଇଥିଲା। ରାଉରକେଲା ରେଳଷ୍ଟେସନରେ ୩ ମାମଲାରେ କୁକୁର ‘ରେଶମି’ ୬୩ କେଜି ୮୧୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ସେହିଭଳି ୧୪୬୧ ମାମଲାରେ ଟ୍ରାକର୍ କୁକୁରଙ୍କୁ ବ୍ୟବହାର କରାଯାଇଥିଲା। ୩୨୩ଟି ମାମଲାରେ କୁକୁର ତଦନ୍ତକାରୀ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଦେଇଥିଲା। ୬୧ଟି ମାମଲାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଯେଉଁଥିରେ ସମ୍ପତ୍ତି ଠାବ ସହିତ ଅପରାଧୀଙ୍କୁ ଗିରଫ କରିବା ସହଜ ହୋଇଥିଲା।

୨୦୨୨ରେ ବିସ୍ଫୋରକ ସାମଗ୍ରୀ ଠାବ କରିବାକୁ ୧୨୪୯ଟି ମାମଲାରେ କୁକୁରଙ୍କୁ ବ୍ୟବହାର କରାଯାଇଥିଲା। ପୁରୀ ଜିଲ୍ଲାରେ ୬ଟି ମାମଲାରେ କୁକୁର ‘ଭୀମ୍’ ୧୪ଟି ଜୀବନ୍ତ ବୋମା ଠାବ କରିଥିଲା। ସେହିଭଳି ଚୋରି, ଲୁଟ୍, ଡକାୟତି ଭଳି ୧୨୨୬ଟି ମାମଲାରେ ଟ୍ରାକର୍‌ କୁକୁରଙ୍କୁ ନିୟୋଜିତ କରାଯାଇଥିଲା। ୩୦୮ଟି ମାମଲାରେ କୁକୁର ତଦନ୍ତକାରୀ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଦେଇଥିଲା। ଏଥିରୁ ୮୩ଟି ମାମଲାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅପରାଧୀଙ୍କୁ ଗିରଫ ଓ ସମ୍ପତ୍ତି ଜବତରେ ପୁଲିସକୁ ସହଯୋଗ କରିଥିଲା। ୨୦୨୦ରେ ଟ୍ରାକର୍ କୁକୁର ୬୬୦ ମାମଲାରେ ବ୍ୟବହାର ହୋଇଥିବା ବେଳେ ୨୪୭ ମାମଲାରେ ପ୍ରମାଣ ଦେଇଥିଲା। ଏଥିରୁ ୫୬ ମାମଲାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସମ୍ପତ୍ତି ଜବତ ଓ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ୧୨୮୭ ଘଟଣାରେ ବିସ୍ଫୋରକ ସାମଗ୍ରୀ ଠାବ ପାଇଁ ବ୍ୟବହାର ହୋଇଥିଲା। ୨୦୧୯ରେ ଟ୍ରାକର୍‌ କୁକୁର ୭୨୦ ମାମଲାରେ ବ୍ୟବହାର ହୋଇଥିବା ବେଳେ ୨୧୩ ମାମଲାରେ ପ୍ରମାଣ ଦେଇଥିଲା। ୫୧ ମାମଲାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅଭିଯୁକ୍ତଙ୍କୁ ଗିରଫ ସହିତ ସମ୍ପତ୍ତି ଜବତରେ ସଫଳ ହୋଇଥିଲା। ୨୦୧୮ରେ ଟ୍ରାକର୍‌ କୁକୁର ୬୦୧ ମାମଲାରେ ବ୍ୟବହାର ହୋଇଥିଲା। ୧୩୮ ମାମଲାରେ ପ୍ରମାଣ ଯୋଗାଇଥିଲା। ୮ଟି ମାମଲାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସମ୍ପତ୍ତି ଜବତ ଓ ଅଭିଯୁକ୍ତଙ୍କୁ ଗିରଫ କ୍ଷେତ୍ରରେ ସଫଳ ହୋଇଥିଲା। ୨୦୧୭ରେ ଟ୍ରାକର୍ କୁକୁର ୫୫୯ଟି ମାମଲାରେ ବ୍ୟବହାର ହୋଇଥିଲା। ଏଥିରୁ ୧୪୭ଟି ମାମଲାରେ ପ୍ରମାଣ ଦେଇଥିଲା। ୨୮ଟି ମାମଲାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସମ୍ପତ୍ତି ଜବତ ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା। ୫ଟି ଘଟଣାରେ ବିସ୍ଫୋରକ ସାମଗ୍ରୀ ଠାବ ହୋଇଥିଲା। ୨୦୧୬ରେ କୁକୁର ୬୧୩ ମାମଲାରେ ବ୍ୟବହାର ହୋଇଥିବା ବେଳେ ୧୮୭ ମାମଲାରେ ପ୍ରମାଣ ଦେଇଥିଲା। ୩୫ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ସହ ସମ୍ପତ୍ତି ଜବତରେ ସହାୟକ ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.