Breaking News

ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ

ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏକାଧାରରେ ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, ସମାଜ ସଂସ୍କାରକ ତଥା ରାଜନେତା ଭାବେ ବେଶ ଜଣାଶୁଣା। ଦଳଗତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଅଜାତଶତ୍ରୁ।

ଭୁବନେଶ୍ୱର: ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏକାଧାରରେ ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, ସମାଜ ସଂସ୍କାରକ ତଥା ରାଜନେତା ଭାବେ ବେଶ ଜଣାଶୁଣା। ଦଳଗତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଅଜାତଶତ୍ରୁ। ଓୟୁଏଟିରେ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓୟୁଏଟି କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ, ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ୧୯୯୯ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶା ଯେତେବେଳେ ହତାଶା ମଧ୍ୟରେ ଗତି କରୁଥିଲା, ସେତେବେଳେ ବାଜପେୟୀଜୀ ଓଡ଼ିଶା ଆସି ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ। ବାଜପେୟୀଜୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ।

କେବଳ ସେତିକି ନୁହେଁ ରିଫାଇନାରି ସ୍ଥାପନ ଓ ଭୁବନେଶ୍ୱରରେ ଏମ୍ସ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ ସରକାରୀ ଭାଷାର ମର୍ଯ୍ୟାଦା ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ  ସ୍ବାଗତ ଭାଷଣ ଦେଇଥିଲେ। ଏକାମ୍ର ବିଧାୟକ ବାବୁ ସିଂହ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍‌ବୋଧନ ଦେଇଥିଲେ। ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ଭାରତ ରତ୍ନ ଅଟଳ ବିହାରୀ’ ଓ ‘ସାମାଜିକ ସମଦର୍ଶିତା’ ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.