Breaking News

ଓଡ଼ିଶା ମାଟି ତଳେ ଗ୍ରାଫାଇଟ୍‌, ନିକେଲ୍‌: କ୍ରିଟିକାଲ୍‌ ମିନେରାଲ୍ ଖୋଜୁଛି ଜିଏସ୍‌ଆଇ

ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକାଲ୍‌ ମିନେରାଲ୍ ମଧ୍ୟ ରହିଛି। ଗ୍ରାଫାଇଟ୍‌, ନିକେଲ୍‌, କ୍ରୋମିୟମ୍ ଆଦି ଓଡ଼ିଶା ମାଟି ତଳେ ରହିଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ସେଗୁଡ଼ିକର ସନ୍ଧାନ କରୁଛି।

ଭୁବନେଶ୍ବର: ଖଣି ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କ୍ରିଟିକାଲ୍‌ ମିନେରାଲ୍ ମଧ୍ୟ ରହିଛି। ଗ୍ରାଫାଇଟ୍‌, ନିକେଲ୍‌, କ୍ରୋମିୟମ୍ ଆଦି ଓଡ଼ିଶା ମାଟି ତଳେ ରହିଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ସେଗୁଡ଼ିକର ସନ୍ଧାନ କରୁଛି। ଖୁବ୍‌ଶୀଘ୍ର ଗ୍ରାଫାଇଟ୍‌ର ସନ୍ଧାନ ମିଳିବ ବୋଲି ଜିଏସ୍‌ଆଇର ଉପ ମହାନିର୍ଦେଶକ (ଓଡ଼ିଶା ରାଜ୍ୟ ୟୁନିଟ୍‌) ପଙ୍କଜ କୁମାର କହିଛନ୍ତି। ଶ୍ରୀ କୁମାର କହିଛନ୍ତି ଯେ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଜିଏସ୍‌ଆଇ ବହୁତ କାମ କରୁଛି। ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ କ୍ରିଟିକାଲ୍ ମିନେରାଲ୍ ସନ୍ଧାନ କରିବା ଉପରେ ଜୋର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଯଦିଓ କିଛି ଠୋସ୍ ସନ୍ଧାନ ମିଳିନାହିଁ, କିନ୍ତୁ ଖୁବ୍‌ଶୀଘ୍ର ଗ୍ରାଫାଇଟ୍‌ ମିଳିଯିବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି। ଓଡ଼ିଶା ଏହାର କୋଇଲା, ଲୁହାପଥର, ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ଲାଗି ‌ଯେଭଳି ପରିଚିତ, ଆଗାମୀ ଦିନରେ କ୍ରିଟିକାଲ୍ ମିନେରାଲ୍ କ୍ଷେତ୍ରରେ ମଧ୍ୟ ସେଭଳି ପ୍ରତିଷ୍ଠା ହାସଲ କରିବାର ପ୍ରବଳ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଭୂପୃଷ୍ଠର ସ୍ଥିତି ସେଭଳି କିଛି ରହିଥିବା ସେ ଜଣାଇଛନ୍ତି।

କ୍ରିଟିକାଲ୍‌ ମିନେରାଲ୍ ଖୋଜୁଛି ଜିଏସ୍‌ଆଇ
କେନ୍ଦୁଝରରେ ସୁନା ଖଣି ପାଇଁ ଡ୍ରିଲିଂ

ଗ୍ରାଫାଇଟ୍‌କୁ ଏକ କ୍ରିଟିକାଲ୍ ମିନେରାଲ୍ ଭାବେ ବିଚାର କରାଯାଉଛି ଯାହା ବର୍ତ୍ତମାନ ସମୟରେ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରିରେ ବ୍ୟବହାର ହେଉଛି। ଏହା ବ୍ୟତୀତ ଇସ୍ପାତ ଉତ୍ପାଦନ, ବ୍ରେକ୍ ଲାଇନିଂ, ଲୁବ୍ରିକ୍ୟାଣ୍ଟ ଓ ଆଣବିକ ରିଆକ୍ଟରରେ ମଧ୍ୟ ତାହା ବ୍ୟବହାର ହେଉଛି। ଗ୍ରାଫାଇଟ୍‌ର ସନ୍ଧାନ ମିଳିଲେ ରାଜ୍ୟ ଅର୍ଥନୀତି ବିଶେଷ ଭାବେ ଉପକୃତ ହୋଇପାରିବ।

କେନ୍ଦୁଝର ଜିଲ୍ଲାରେ ମିଳିଥିବା ସୁନା ଖଣି ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ ମାଟିତଳେ କୌଣସି ଖଣିଜ ପଦାର୍ଥ ଅଛି ନା ନାହିଁ, ତାହା ସ୍ପଷ୍ଟ ଭାବେ କହିବା ପୂର୍ବରୁ ବହୁ ପ୍ରକ୍ରିୟା‌ ଦେଇ ଗତି କରିବାକୁ ହୁଏ। ପ୍ରଥମେ ଜି୪ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼େ ଓ ତା’ ପରେ ଡ୍ରିଲିଂ ଆରମ୍ଭ ହୋଇଥାଏ। କେନ୍ଦୁଝରରେ ଏବେ ଡ୍ରିଲିଂ କାମ ଚାଲିଛି। ସେଥିରୁ ପଥରଗୁଡ଼ିକୁ ହଟାଇବା ପରେ ଯାହା କିଛି ମିଳିବ, ତାହାକୁ ଅନୁଧ୍ୟାନ କରାଯିବ। ତା’ପରେ ସେଠାରେ ସୁନା ଅଛି ନା ନାହିଁ, ଯଦି ଅଛି କେତେ ପରିମାଣର ଅଛି, ତାହା କହିହେବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଜାନୁଆରି ଅନୁଷ୍ଠିତ କେନ୍ଦ୍ରୀୟ ଭୂତତ୍ତ୍ବ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକରେ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଥିଲେ ଯେ ରାଜ୍ୟ ମାଟି ତଳେ ଲିଥିୟମ୍ ରହିଛି। ନୟାଗଡ଼ରେ ତାହା ଥିବା ଅନୁମାନ କରାଯାଉଛି। ଜିଏସ୍‌ଆଇ ତରଫରୁ ତାହାର ଅନ୍ବେଷଣ ଜାରି ରହିଛି। ରାଜ୍ୟରେ ନୂତନ ଖଣି ସନ୍ଧାନ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ଡ୍ରୋନ୍ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ସୁନ୍ଦରଗଡ଼, କନ୍ଧମାଳ ଓ ମାଲକାନଗିରି‌ରେ ସେହି ପଦ୍ଧତିରେ ଖଣି ସନ୍ଧାନ ଜାରି ରହିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.