Breaking News

ଓଡ଼ିଶା ମୋ ହୃଦୟରେ ସବୁବେଳେ ରହିବ: ରଘୁବର

ମାତ୍ର ୧୩ମାସ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଥିବାରୁ ରଘୁବର ଦାସଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ନେଇ ଚର୍ଚ୍ଚା...

ଭୁବନେଶ୍ବର: ମାତ୍ର ୧୩ମାସ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଥିବାରୁ ରଘୁବର ଦାସଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ନେଇ ଚର୍ଚ୍ଚା ଚାଲିଥିବାବେଳେ ଶ୍ରୀ ଦାସ ଆଜି ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ କହିଛନ୍ତି ଯେ ମହାପ୍ରଭୁଙ୍କ ଇଚ୍ଛା ଯୋଗୁଁ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲି। ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିକଶିତ ଓଡ଼ିଶା ଗଠନ ହେବ। ଏବେ ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି। ଆଗାମୀ ଭବିଷ୍ୟତ ନେଇ ହାଇକମାଣ୍ଡଙ୍କ ଯାହା ନିଷ୍ପତି ଆସିବ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଗ୍ରହଣ କରିବି। ସେହିପରି ରାଜଭବନରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ। ଓଡ଼ିଶାବାସୀ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥିପାଇଁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା। ଓଡ଼ିଶାବାସୀଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ମୋ ହୃଦୟରେ ଗଭୀର ଛାପ ଛାଡ଼ିଛି। ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ।

 ଏଏସ୍‌ଓଙ୍କୁ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିବେ ତ!: ବିଜେଡି
ସୁଶାସନ ପାଇଁ ତାଙ୍କୁ ହଟାଗଲା କି?: ନିରଞ୍ଜନ

ଅପରପକ୍ଷେ ରାଜ୍ୟପାଳଙ୍କ ଅପସାରଣ ପରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ରଘୁବର ଦାସ ରାଜ୍ୟପାଳ ପଦରୁ ଅପସରି ଯାଇଛନ୍ତି, ହେଲେ ରାଜ୍ୟପାଳଙ୍କ ପୁଅ ଦ୍ବାରା ଜଣେ ସରକାରୀ କର୍ମଚାରୀୁ ମାଡ଼ ମାରି ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। ଏଏସ୍‌ଓଙ୍କୁ ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିବେ ତ! ସେହିପରି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି ରଘୁବର ଦାସଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପଛରେ ତିନିଟି କାରଣ ଥାଇପାରେ ବୋଲି ଭାବୁଛି। ପ୍ରଥମ‌ତଃ ତାଙ୍କୁ ଝାଡ଼ଖଣ୍ଡରେ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ, ଦ୍ବିତୀୟରେ ତାଙ୍କୁ କେନ୍ଦ୍ରରେ କିଛି ଦାୟିତ୍ବ ମିଳିପାରେ, ତୃତୀୟରେ ଭୁବନେଶ୍ୱର ସାରା ଆଜି ସୁଶାସନର ବହୁତ ପୋଷ୍ଟର ଲାଗିଛି। ତେଣୁ ସରକାର ସୁଶାସନ କରିବା ପାଇଁ ତାଙ୍କୁ ହଟେଇଥାଇ ପାରନ୍ତି। ତାଙ୍କ ନାଁରେ ଓ ତାଙ୍କ ପୁଅଙ୍କ ନାଁରେ ବହୁତ ଅଭିଯୋଗ ଥିଲା। ସରକାରଙ୍କ ସହ ତାଙ୍କର ପଡ଼ୁନଥିବାରୁ ତାଙ୍କୁ ବିଦା କଲେ କି ବୋଲି ନିରଞ୍ଜନ ସନ୍ଦେହ ପ୍ରକଟ କରିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.