ଓଡ଼ିଶା ସର୍ଭେ ନମ୍ବର ଉପରେ ଚୂନ ବୋଳି ନିଜ ସର୍ଭେ ନଂ. ଲେଖିଲା ଆନ୍ଧ୍ର: ଜବରଦସ୍ତ ଅନୁପ୍ରବେଶ

ପାରଳାଖେମୁଣ୍ଡି,୮ା୫(ଗିରିଧାରୀ ପରିଚ୍ଛା):ଗଜପତି ଜିଲା ଆନ୍ଧ୍ର ସୀମାନ୍ତରେ ପୁଣି ଥରେ ଆନ୍ଧ୍ର ପ୍ରଦେଶ ଜବରଦସ୍ତ ଅନୁପ୍ରବେଶ କରିଛି। ଏବେ ଚାଲିଥିବା ଜନଗଣନା କାର୍ଯ୍ୟରେ ଆନ୍ଧ୍ର ହସ୍ତକ୍ଷେପ କରିଛି। ସୀମାନ୍ତ ୨ଟି ଗ୍ରାମରେ ଓଡ଼ିଶା ପକ୍ଷରୁ ହୋଇଥିବା ଜନଗଣନାକୁ ଆନ୍ଧ୍ର ନିଜ ଅଞ୍ଚଳ କହି ବିରୋଧ କରିଛି। ଏହା ଜଣାପଡ଼ିବା ପରେ ଗଜପତି ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଖବରରୁ ପ୍ରକାଶ, ଜନଗଣନା ବେଳେ ଓଡ଼ିଶା ପକ୍ଷରୁ ଜିଲାର ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପଟଣା ଓ ଗୁଦୁଖୁଡି ଗ୍ରାମକୁ ଓଡ଼ିଶାର ଅଧିକାରୀମାନେ ଯାଇ ଘର ଅନୁସାରେ ସର୍ଭେ ନଂ. ପକାଇ କାନ୍ଥରେ ଲେଖି ଆସିଥିଲେ। ମାତ୍ର ଗତ ଦୁଇଦିନ ତଳେ ଆନ୍ଧ୍ର ମଞ୍ଜୁଷା ମଣ୍ଡଳର କେତେ ଜଣ ସରକାରୀ ଅଧିକାରୀ ଆସି ଓଡିଶା ସର୍ଭେ ନଂ. ଉପରେ ଚୂନ ବୋଳି ସେହି ଜାଗାରେ ଆନ୍ଧ୍ରର ସର୍ଭେ ନଂ. ପକାଇ ଯାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ଓଡ଼ିଶା ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଗୁରୁବାର ମଧ୍ୟାହ୍ନରେ ଗଜପତି ଉପଜିଲାପାଳ ଅନୁପ ପଣ୍ଡାଙ୍କ ସହ ଏକ ଟିମ୍‌ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଆନ୍ଧ୍ର ପ୍ରଶାସନ ସହ କଥା ହୋଇଛନ୍ତି। ପୂର୍ବରୁ ଏହି ଅଞ୍ଚଳ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛି। ୭ଥର ମିଳିତ ଭାବେ ଆନ୍ଧ୍ର ଓଡ଼ିଶା ସର୍ଭେ ହୋଇଛି। ପୂର୍ବ ସର୍ଭେ ଅନୁସାରେ ଏହି ଅଞ୍ଚଳ ଓଡ଼ିଶାର ବୋଲି ନିର୍ଦ୍ଧାରିତ ହୋଇଥିବା ସତ୍ତ୍ୱେ ଆନ୍ଧ୍ରର ଏଭଳି କାର୍ଯ୍ୟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଆନ୍ଧ୍ରର ଶ୍ରୀକାକୁଲମ ପ୍ରଶାସନ ସହ ପୁଣି ଥରେ ବିସ୍ତୃତ ଆଲୋଚନା ପାଇଁ ଯୋଗାଯୋଗ କରାଯାଇଥିବା ଉପଜିଲାପାଳ ପଣ୍ଡା ସୂଚନା ଦେଇଛନ୍ତି।

 

 

ସୌଜନ୍ୟ ଧରିତ୍ରୀ