Breaking News

ଓଡିଆ କୋରିଓଗ୍ରାଫରଙ୍କୁ ବାନ୍ଧିଲା ହାଇଦ୍ରାବାଦ ପୁଲିସ, ବେଙ୍ଗାଲୁରୁରୁ କିଣି ହାଇଦ୍ରାବାଦରେ ବିକୁଥିଲେ ହାଇବ୍ରିଡ୍‌ ଗଞ୍ଜେଇ

ଭୁବନେଶ୍ୱର,୦୩/୧୨: ଏମ୍‌ଡିଏମ୍‌ଏ ଭଳି ମାରାତ୍ମକ ଡ୍ରଗ୍ସ ଓ ଓଜି କୁଶ ଭଳି ହାଇବ୍ରିଡ୍‌ ଗଞ୍ଜେଇ ସେବନ କରୁଥିଲେ । ବେଙ୍ଗାଲୁରୁରୁ କମ୍‌ ଦାମରେ କିଣି ହାଇଦ୍ରାବାଦ୍‌ରେ ବିକୁଥିଲେ । ଏଭଳି ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଓଡିଆ କୋରିଓଗ୍ରାଫର କାହ୍ନା ମହାନ୍ତିଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ଅନ୍ୟମାନେ ହେଲେ, କୋନ୍ଦାମ ପ୍ରିୟଙ୍କା ରେଡ୍ଡି, ଗୁଲିପଲ୍ଲି ଗଙ୍ଗାଧର, ଓଗିରାଲ୍ଲା ଶାକି । ପୁଲିସ ସେମାନଙ୍କଠାରୁ ୧୮ ଗ୍ରାମ ଏମ୍‌ଡିଏମ୍‌ଏ ଡ୍ରଗସ୍‌ ସହ ୧ ଗ୍ରାମ ଓଜି କୁଶ, ୭ ଗ୍ରାମ ଚରସ ଜବତ କରିଛି ।

କାହ୍ନାଙ୍କ ଘର ଭୁବନେଶ୍ୱରରେ । ସେ ଜଣେ ଜଣାଶୁଣା କୋରିଓଗ୍ରାଫର। ଏହାସହ ସେ ହାଇଦ୍ରାବାଦ୍‌ରେ ଏକ ଘରୋଇ ସଂସ୍ଥାରେ ଚାକିରି ମଧ୍ୟ କରିଛନ୍ତି । ପ୍ରିୟଙ୍କା ହେଉଛନ୍ତି, ହାଇଦ୍ରାବାଦର ଜଣେ ପ୍ରସିଦ୍ଧ ଆର୍କିଟେକ୍‌ । ସେହିପରି ବିଶାଖାପାଟନମ୍‌ର ଗଙ୍ଗାଧର ଜଣେ ଷ୍ଟକ୍‌ ମାର୍କେଟ ଟ୍ରେଡର ହୋଇଥିବା ବେଳେ ଓଗିରାଲ୍ଲା ହାଇଦ୍ରାବାଦରେ ରହି ଚାକିରି ଖୋଜୁଛନ୍ତି ।

ଗତ ୩୦ ତାରିଖ ରାତିରେ ଏମାନେ କାହ୍ନା ବ୍ୟୁଟିକ୍‌ ହୋଟେଲର ରୁମ୍‌ ନଂ ୩୦୩ରେ ରହିଥିଲେ । ସେଠାରେ ସେମାନେ ନିଶା ସେବନ କରୁଥିବା ନେଇ ସାଇବରାବାଦ କମିଶନରେଟ ପୁଲିସର ଏସ୍‌ଓଟି ଶାଖାକୁ ଖବର ମିଳିଥିଲା । ଉକ୍ତ ଶାଖାର ଏକ ଟିମ୍‌ ସଙ୍ଗେ ସଙ୍ଗେ ଗଛିବ୍ୟୁଲି ଥାନା ପୁଲିସ ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରିଥିଲା । ସେତେବେଳକୁ ଏମାନେ ସମସ୍ତେ ନିଶାରେ ଚୂର୍‌ ଥିଲେ । ଉକ୍ତ ରୁମ୍‌ରୁ ପୁଲିସ ନିଶାଦ୍ରବ୍ୟ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରିଥିଲା ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ କାହ୍ନା ଓ ଗଙ୍ଗାଧର ଏସବୁ ମାରାତ୍ମକ ନିଶା ସେବନ କରିବା ସହ ବେପାର କରୁଥିଲେ । ବେଙ୍ଗାଲୁରୁର ଜଣେ ନିଶା ମାଫିଆଠାରୁ ସେମାନେ ଏସବୁ ନିଶାଦ୍ରବ୍ୟ କମ୍‌ ଦାମରେ ମଗାଉଥିଲେ । ହାଇଦ୍ରାବାଦ୍‌ର ଯୁବପିଢ଼ିଙ୍କୁ ଚଢ଼ା ଦରରେ ବିକୁଥିଲେ । ପ୍ରିୟଙ୍କା ଓ ଓଗିରାଲ୍ଲା ଡ୍ରଗ୍ସ କିଣିବା ପାଇଁ ଉକ୍ତ ହୋଟେଲକୁ ଯାଇଥିବା ବେଳେ ଚଢ଼ାଉ କରାଯାଇଥିଲା । ପୁଲିସ ବର୍ତ୍ତମାନ ନିଶା ଯୋଗାଉଥିବା ମାଫିଆକୁ ଖୋଜୁଛି।

ସୌଜନ୍ୟ-ପ୍ରମେୟ

Comments are closed.