Breaking News

ଓପିଡି ଟିକେଟ ପାଇଁ କଲବଲ: ବୁଲାଗୋରୁ, କୁକୁରଙ୍କ ପାଖରେ ରୋଗୀଙ୍କ ପରିଜନ

ଗୁଣାତ୍ମକ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ବରକୁ ପ୍ରତ୍ୟହ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ରୋଗୀ ଛୁଟି ଆସୁଛନ୍ତି। ହେଲେ ଓପିଡି ଟିକେଟ ଖଣ୍ଡେ ପାଇବା ପାଇଁ ପରିଜନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି।

ଖଣ୍ଡଗିରି: ଗୁଣାତ୍ମକ ଚିକିତ୍ସା ପାଇଁ ଏମ୍‌ସ ଭୁବନେଶ୍ବରକୁ ପ୍ରତ୍ୟହ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ରୋଗୀ ଛୁଟି ଆସୁଛନ୍ତି। ହେଲେ ଓପିଡି ଟିକେଟ ଖଣ୍ଡେ ପାଇବା ପାଇଁ ପରିଜନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଲଗାତାର ଦୁଇ ଦିନ ବର୍ଷା ଓ ଶୀତ ରାତିରେ ଧାଡ଼ି ବାନ୍ଧିବାକୁ ପଡ଼ୁଛି ଖୋଲା ଆକଶ ତଳେ। ଆଜି କିମ୍ବା କାଲି ନୁହେଁ, ବରଂ ପ୍ରତ୍ୟେକ ଦିନ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏବଂ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରତ୍ୟେକ ଦିନ ଏହି ଧାଡ଼ି ଲମ୍ବି ଲମ୍ବି ଯାଉଛି।

ସୂଚନା ମୁତାବକ, ସପ୍ତାହରେ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଏମ୍‌ସରେ ରୋଗୀ ଓ ପରିଜନଙ୍କ ଗହଳି ଅଧିକ ରହୁଛି। ପ୍ରତିଦିନ ରୋଗୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଓପିଡି ଟିକେଟ ଉପଲବ୍ଧ ହୋଇଥାଏ। ଏମ୍‌ସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପ୍ରତିଦିନ ହାରାହାରି ୩ହଜାର ରୋଗୀଙ୍କ ପାଇଁ ଟିକେଟ୍‌ ଉପଲବ୍ଧ ହେଉଛି। ମାତ୍ର ଏଥିପାଇଁ ଆଶାୟୀ ରହୁଛନ୍ତି ୬ହଜାରରୁ ଅଧିକ। ମହିଳା, ପୁରୁଷ, ବରିଷ୍ଠ ନାଗରିକ ଓ ବିଏସ୍‌କେୱାଇ ହିତାଧିକାରୀ, ଏଭଳି ୪ଟି କାଟାଗୋରି ରୋଗୀଙ୍କ ପରିଜନ ୪ଟି ଧାଡ଼ିରେ ଛିଡ଼ା ହେଉଛନ୍ତି। ସକାଳ ସାଢ଼େ ୭ଟା‌ରେ ଟିକେଟ୍‌ କାଉଣ୍ଟର୍‌ ଖୋଲୁଥିଲେ ମଧ୍ୟ ରାତି ୪ଟାରୁ ଲୋକମାନେ ଲାଇନ୍‌ରେ ଛିଡ଼ାହୋଇ ରହୁଛନ୍ତି। ଟିକେଟ୍‌ ନମି‌ଳିଲେ ପୁଣି ଆଉ ଗୋଟିଏ ଦିନକୁ ଅପେକ୍ଷା କରିବାକୁ ପଡ଼ିବା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆଗୁଆ ଲାଇନ୍‌ରେ ଠିଆ ହେବାକୁ ପ୍ରତିଯୋଗିତା ଲାଗୁଛି। ଦୂରଦୂରାନ୍ତରୁ ଆସୁଥିବାରୁ ଟିକେଟ୍‌ ନ ମିଳିଲେ ସମସ୍ୟା ହେବା ଆଶଙ୍କାରେ ଏଭଳି ଅଭାବନୀୟ ସ୍ଥିତି ହେଉଛି। ତେବେ ରୋଗୀ କିମ୍ବା ତାଙ୍କ ପରିଜନଙ୍କ ରହିବା ପାଇଁ ଏଠାରେ ଏମ୍‌ସ୍‌ ପକ୍ଷରୁ ଧର୍ମଶାଳା ହୋଇଛି।

ହେଲେ ତାହା ଏହି ଓପିଡି ଟିକେଟ୍‌ ଆଶାୟୀଙ୍କ ପାଇଁ ନୁହେଁ, ବରଂ ଗୁରୁତର କିମ୍ବା କର୍କଟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ରହିବା ପାଇଁ ହୋଇଛି। ଡାକ୍ତରଙ୍କ ଅନୁମତି ପରେ ଏଠାରେ ରୋଗୀଙ୍କ ସମ୍ପର୍କୀୟମା‌ନେ ରହିପାରିବେ। ଏଠାରେ ସର୍ବାଧିକ ୯ଶହ ଲୋକ ରାତ୍ରୀଯାପନ କରିପାରିବେ। ନୂଆ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଏମ୍‌ସ୍‌ ପରିସରରେ ଟିଣଛାତ ସୁବିଧା କରାଯାଇଛି। ଫାଟକ ସମ୍ମୁଖରେ ଧାଡ଼ି ବାନ୍ଧିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବରଂ କର୍ତ୍ତୃପକ୍ଷ ଏଠାରେ ଧାଡ଼ି ବାନ୍ଧିବାକୁ ବାରଣ କରିଛନ୍ତି। କିନ୍ତୁ ରୋଗୀଙ୍କ ପରିଜନ ଗୋଟିଏ ଟିକେଟ୍‌ ଆଶାରେ ବୁଲା ଗାଈଗୋରୁ, କୁକୁର ଓ ମଶାଙ୍କ ସହ ରାତି ବିତାଇବାକୁ ବାଧ୍ୟ ହେଉଥିବା କହିଛନ୍ତି।

ବର୍ତ୍ତମାନ ଏମ୍‌ସକୁ ସର୍ବାଧିକ ରୋଗୀ ପଶ୍ଚିମବଙ୍ଗରୁ ଆସୁଛନ୍ତି। ପଶ୍ଚିମବଙ୍ଗରେ କଲ୍ୟାଣୀ ଏମ୍‌ସ୍‌ ଥିଲେ ମଧ୍ୟ ଭୁବନେଶ୍ବର ଏମ୍‌ସକୁ ସେମାନେ ପସନ୍ଦ କରୁଥିବା ଜଣାପଡ଼ିଛି। ସେମାନେ ସପରିବାର ଆସି ପୂର୍ବ ରାତିରୁ ଏମ୍‌ସ ସାମ୍ନାରେ ଧାଡ଼ି ବାନ୍ଧୁଛନ୍ତି। ଏଭଳି ସ୍ଥିତି ହେଉଛି କି ଗୋଟିଏ ଦିନରେ ଟିକେଟ୍‌ ମିଳୁନାହିଁ। ଜଣେ ଲୋକକୁ ଦୁଇରୁ ତିନିଦିନ ଏଭଳି ଧାଡ଼ି ବାନ୍ଧିବାକୁ ପଡ଼ୁଛି। କେତେକ ରୋଗୀଙ୍କ ପରିଜନ ଏଭଳି ଅଛନ୍ତି କି ଦିନରେ ଷ୍ଟେସନ କିମ୍ବା ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯାଇ ଦିନ ବିତାଇବା ପରେ ରାତିରେ ଆସି ଧାଡ଼ି ବାନ୍ଧୁଛନ୍ତି। ଏମ୍‌ସ ନିକଟ‌ରେ ରାତ୍ରୀଯାପନ ପାଇଁ ନିଃଶୁଳ୍କ ବ୍ୟବସ୍ଥା କରିବାକୁ ବାହାରେ ଶୋଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.