Breaking News

ଓହରିଲେ ୨୯ ବିଦେଶୀ ଖେଳାଳି

ଅକ୍ଟୋବରରେ ଅନୁଷ୍ଠିତ ହକି ଇଣ୍ଡିଆ ଲିଗ୍(ଏଚ୍‌ଆଇଏଲ୍‌) ଖେଳାଳି ନିଲାମରେ ୮ ପୁରୁଷ ଓ ୪ ମହିଳା ଫ୍ରାଞ୍ଚାଇଜ୍ ୯୬ ଜଣ ଖେଳାଳିଙ୍କୁ କିଣିଥିଲେ। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ଥିବାବେଳେ ଆୟୋଜକ ହକି ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି।

ରାଉରକେଲା: ଅକ୍ଟୋବରରେ ଅନୁଷ୍ଠିତ ହକି ଇଣ୍ଡିଆ ଲିଗ୍(ଏଚ୍‌ଆଇଏଲ୍‌) ଖେଳାଳି ନିଲାମରେ ୮ ପୁରୁଷ ଓ ୪ ମହିଳା ଫ୍ରାଞ୍ଚାଇଜ୍ ୯୬ ଜଣ ଖେଳାଳିଙ୍କୁ କିଣିଥିଲେ। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ଥିବାବେଳେ ଆୟୋଜକ ହକି ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ପାଖାପାଖି ୨୯ଜଣ ନାମୀଦାମୀ ବିଦେଶୀ ଖେଳାଳି ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଏଥିରେ ୮ ଜଣ ମହିଳା ଖେଳାଳି ବି ଅଛନ୍ତି। ଆରମ୍ଭ ପୂର୍ବରୁ ଏଚ୍‌ଆଇଏଲ୍‌ ଛାଡ଼ିଥିବା ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ନେଦରଲାଣ୍ଡ୍‌ସ, ଜର୍ମାନୀ, ବ୍ରିଟେନ୍‌ ଓ ଅଷ୍ଟ୍ରେଲିଆର ଥିବା ଜଣାପଡ଼ିଛି। ଖେଳାଳି ଓହରିବା ପଛରେ କମ୍‌ ପାରିଶ୍ରମିକ, ଖ୍ରୀଷ୍ଟମାସ ଓ ନୂଆ ବର୍ଷ ଛୁଟି ଭଣ୍ଡୁର ହେବା ତଥା ପ୍ରତିଯୋଗିତା ଆୟୋଜନ କରୁଥିବା ସହର ହିଁ ମୂଳ କାରଣ ପାଲଟିଥିବା ଖେଳାଳି ଦର୍ଶାଇଛନ୍ତି।

ରାଉରକେଲାରେ ଏହି ପ୍ରତିଯୋଗିତା ଡିସେମ୍ବର ୨୮ ତାରିଖରୁ ଖେଳାଯିବ। ଅର୍ଥାତ୍‌ ଖ୍ରୀଷ୍ଟମାସର ଦିନକ ପରେ ଏବଂ ନୂଆବର୍ଷର ଦୁଇଦିନ ପୂର୍ବରୁ ଏହି ପ୍ରତିଯୋଗିତା ଆରମ୍ଭ ହେଉଥିବାରୁ ଛୁଟି ନଷ୍ଟହୋଇଯିବ। ଏଣୁ ପରିବାର ସହ ସମୟ କାଟିବାକୁ ଖେଳାଳି ନିଷ୍ପତ୍ତି ନେଇଥିବା ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏହାସହ ଖେଳାଳିଙ୍କୁ କମ୍‌ ପାରିଶ୍ରମିକ ହିଁ ସେମାନେ ଓହରିବାର ଅନ୍ୟତମ କାରଣ ବୋଲି ସଙ୍କେତ ଦେଇଛନ୍ତି। ଏବର୍ଷର ନିଲାମରେ ଭାରତୀୟ ଖେଳାଳି ଚଢ଼ା ଦରରେ ବିକ୍ରି ହୋଇଥିଲେ। ଅପରପକ୍ଷରେ ବିଦେଶୀ ଖେଳାଳିଙ୍କ ମୂଲ୍ୟ ଆଶାନୁରୂପ ହୋଇନଥିଲା। ଜର୍ମାନୀର ତାରକା ଖେଳାଳି ଖ୍ରୀଷ୍ଟୋଫର ରୁର୍‌ ଗତ ୨୦୧୬ ନିଲାମରେ ପାଖାପାଖି ୬୩ ଲକ୍ଷରେ ବିକ୍ରି ହୋଇଥିଲେ।

ଏବେ କିନ୍ତୁ ତାଙ୍କୁ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ୧୮ ଲକ୍ଷ ଟଙ୍କାରେ କିଣିଛି। ସେହିଭଳି ନେଦରଲାଣ୍ଡ୍‌ସ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ସେଭେ ଭାନ୍‌ ଆସ୍‌ଙ୍କୁ ଗତଥର ଉତ୍ତରପ୍ରଦେଶ ୱିଜାର୍ଡ୍ସ ୩୩ ଲକ୍ଷ ଟଙ୍କାରେ କ୍ରୟ କରିଥିବାବେଳେ ଏଥର ୟୁପି ରୁଦ୍ରାସ୍‌ ୧୦ ଲକ୍ଷ ଟଙ୍କାରେ କିଣିଛି। ଅପରପକ୍ଷରେ ଭାରତୀୟ ଖେଳାଳି ହର୍ମନପ୍ରୀତ ସିଂହ (୭୮ ଲକ୍ଷ), ଅଭିଷେକ (୭୨ ଲକ୍ଷ), ହାର୍ଦ୍ଦିକ ସିଂହ (୭୦ ଲକ୍ଷ), ଅମିତ ରୋହିଦାସ (୪୮ ଲକ୍ଷ), ଯୁଗରାଜ ସିଂହ (୪୮ ଲକ୍ଷ), ସୁମିତ ବାଲ୍ମିକୀ (୪୬ ଲକ୍ଷ), ସମସେର୍‌ ସିଂହ (୪୨ ଲକ୍ଷ) ପ୍ରମୁଖ ଚଢ଼ାଦରରେ ବିକ୍ରି ହୋଇଛନ୍ତି। ଭାରତୀୟ ଖେଳାଳିଙ୍କ ଚଢ଼ା ଦର ପଛରେ ନ୍ୟାଯ୍ୟ ଯୁକ୍ତି ବି ରହିଛି। ବିଶେଷକରି ଗତ ୭/୮ ବର୍ଷ ହେଲା ଭାରତୀୟ ହକି ସଫଳତାର ଶୀର୍ଷରେ ପହଞ୍ଚିଥିବାରୁ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉଚ୍ଚମାନର ରହିଛି। ଏଣୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ଭାରତୀୟ ଖେଲାଳିଙ୍କ ଉପରେ ନିବେଶ ପାଇଁ ପ୍ରାଥମିକତା ଦେଇଥିବା ଜଣେ ପୂର୍ବତନ ହକି ଖେଳାଳି କହିଛନ୍ତି।

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.