Breaking News

ଓୟୁଏଟି ସମାବର୍ତ୍ତନ ଉତ୍ସବ ଆଜି: ଆସିବେ ରାଷ୍ଟ୍ରପତି, ସଜେଇ ହୋଇଛି କ୍ୟାମ୍ପସ୍‌

ଆସନ୍ତାକାଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କ୍ୟାମ୍ପସକୁ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପ୍ରବେଶ ପଥରୁ କୃଷି ଶିକ୍ଷା ସଦନ ପର୍ଯ୍ୟନ୍ତ, ସବୁଠି ରାଷ୍ଟ୍ରପତିଙ୍କ ସ୍ବାଗତ ଲାଗି ଭବ୍ୟ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଯିବାକୁ ଥିବା ଅଞ୍ଚଳରେ ସ୍ବତନ୍ତ୍ର କରିଡର ହୋଇଛି। ପାଖାପାଖି ଏକ ହଜାର ବ୍ୟକ୍ତିବିଶେଷ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। କୌଣସି ପ୍ରକାର ଅଘଟଣ ରୋକିବାକୁ କ୍ୟାମ୍ପସ ସାରା ପୁଲିସ ଛାଉଣୀ ହୋଇଛି। ଆଜି ସନ୍ଧ୍ୟାଠାରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାସ୍ତାପାର୍ଶ୍ବରେ ଥିବା ଉଠାଦୋକାନୀମାନଙ୍କୁ ହଟାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଆଜିଠାରୁ କ୍ୟାମ୍ପସକୁ ପୁଲିସ ନିଜ ଅଧୀନକୁ ନେଇଛି।

ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ୍‌ ସଦସ୍ୟ, ଡିନ୍‌, ପ୍ରଫେସର, କର୍ମଚାରୀ ଓ ଛାତ୍ରଛାତ୍ରୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା‌ ଅନୁଯାୟୀ ଓୟୁଏଟି କ୍ୟାମ୍ପସ୍‌ରେ ରାଷ୍ଟ୍ରପତି ଗୋଟିଏ ଘଣ୍ଟା ରହିବେ। ପୂର୍ବାହ୍ନ ୧୧ଟା ପୂର୍ବରୁ ଉତ୍ସବ ସ୍ଥଳରେ ପହଞ୍ଚିବେ। ଏହାପରେ କୁଳାଧିପତି ତଥା ରାଜ୍ୟପାଳ ଶ୍ରୀ ଦାସ ସମାବର୍ତ୍ତନ ଉତ୍ସବ ସମ୍ପର୍କରେ ଘୋଷଣା କରିବେ। କୁଳପତି ପ୍ରଫେସର ରାଉଳ ସ୍ବାଗତ ଭାଷଣ ଦେବେ। ରାଷ୍ଟ୍ରପତି ୪ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ସହ ୭ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରିବେ। ପୂର୍ବାହ୍ନ ୧୧ଟା ୩୫ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ୧୧ଟା ୪୦ ମିନିଟ୍‌ରେ ରାଜ୍ୟପାଳ, ୧୧ଟା ୪୫ରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ମଧ୍ୟାହ୍ନ ୧୨ଟାରେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଛାଡ଼ିବେ।

ଦୀକ୍ଷାନ୍ତ ଭାଷଣକୁ ଛାତ୍ରଛାତ୍ରୀଙ୍କ ଅପେକ୍ଷା
କ୍ୟାମ୍ପସ୍‌ରେ ଏକ ଘଣ୍ଟା ରହିବେ, ପିଲାଙ୍କ ସହ ମିଶିବେ

୪ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌
ସମାବର୍ତ୍ତନ ଉତ୍ସବରେ ୪ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିବେ। ସେମାନେ ହେଲେ, ଆଟମିକ୍‌ ଏନର୍ଜି କମିସନ ଅଧ୍ୟକ୍ଷ ତଥା ଆଟମିକ୍‌ ଏନର୍ଜି ବିଭାଗର ସଚିବ ଅଜିତ କୁମାର ମହାନ୍ତି, ୟୁଏସ୍‌ଏସ୍ଥିତ ଏନ୍‌ଆଇଏଫ୍‌ଏ ନିର୍ଦ୍ଦେଶକ ମଞ୍ଜିତ୍‌ ମିଶ୍ର, ନ୍ୟାସନାଲ୍‌ ଏକାଡେମି ଅଫ୍‌ ଭେଟେରିନାରି ସାଇନ୍ସର ସଭାପତି ପ୍ରକାଶ ରାଓ ଭେଙ୍କଟ ରମଣ ଦୁଭରି ଓ ଓଡ଼ିଶାର ମିଲେଟ୍‌ ରାଣୀ ଭାବେ ପରିଚିତ ରାଇମତୀ ଘିଉରିଆ। ଏହି ଉତ୍ସବରେ ୧୧୮ଜଣଙ୍କୁ ପିଏଚ୍‌ଡି ଡିଗ୍ରି, ପିଜି ଓ ୟୁଜିର ୨୮୨୭ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବ।
ସୌଜନ୍ୟ-ସମ୍ୱାଦ

Comments are closed.