Breaking News

କଂଗ୍ରେସ ଅବହେଳାରୁ ଅଟକିଥିଲା ପ‌ାରାଦୀପ-ହରିଦାସପୁର ପ୍ରକଳ୍ପ: ପ୍ରଧାନମନ୍ତ୍ରୀ

ଓଡ଼ିଶାର ପାରାଦୀପ-ହରିଦାସପୁର ରୋଡ୍‌ ରେଳ ଲାଇନ, ଉତ୍ତରପ୍ରଦେଶର କୋଶୀ ଜଳସେଚନ ପ୍ରକଳ୍ପ, ଜମ୍ମୁ-କଶ୍ମୀରର ଉଦ୍ଦମପୁର - ଶ୍ରୀନଗର- ବାରମୂଳା ରେଳ ପ୍ରକଳ୍ପ ଓ ଆସାମର ବୋଗିବିଲ ବ୍ରିଜ୍‌ ବହୁ ବର୍ଷରୁ ମଂଜୁରି ପ୍ରଦାନ ପାଇଥିବାବେଳେ ଏନ୍‌ଡିଏ ସରକାରଙ୍କ ପ୍ରଚେଷ୍ଟାରେ ନିର୍ମାଣ ସଂପୂର୍ଣ୍ଣ ହୋଇଛି।

ନୂଆଦିଲ୍ଲୀ: ଓଡ଼ିଶାର ପାରାଦୀପ-ହରିଦାସପୁର ରୋଡ୍‌ ରେଳ ଲାଇନ, ଉତ୍ତରପ୍ରଦେଶର କୋଶୀ ଜଳସେଚନ ପ୍ରକଳ୍ପ, ଜମ୍ମୁ-କଶ୍ମୀରର ଉଦ୍ଦମପୁର – ଶ୍ରୀନଗର- ବାରମୂଳା ରେଳ ପ୍ରକଳ୍ପ ଓ ଆସାମର ବୋଗିବିଲ ବ୍ରିଜ୍‌ ବହୁ ବର୍ଷରୁ ମଂଜୁରି ପ୍ରଦାନ ପାଇଥିବାବେଳେ ଏନ୍‌ଡିଏ ସରକାରଙ୍କ ପ୍ରଚେଷ୍ଟାରେ ନିର୍ମାଣ ସଂପୂର୍ଣ୍ଣ ହୋଇଛି। ପାରାଦୀପ-ହରିଦାସପୁର ରୋଡ୍‌ ରେଳ ଲାଇନ ପ୍ରକଳ୍ପକୁ ୧୯୯୬ରେ ମଂଜୁରି ମିଳିଥିଲା। ବର୍ଷବର୍ଷ ଧରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅଟକି ରହିଥିଲା। ତାଙ୍କ ସରକାରଙ୍କ ତ୍ବରିତ ପଦକ୍ଷେପ ଯୋଗୁ ୨୦୧୯ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଛି। ରାଜ୍ୟସଭ‌ାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ବିତର୍କର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି।

ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେନ୍ଦ୍ରରେ କଂଗ୍ରେସ ଶାସନକାଳରେ ଦେଶର ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ କ୍ରିୟାନ୍ବୟନ ହେବାର ମନ୍ଥର ଗତିକୁ କଟାକ୍ଷ କରିବା ସହିତ ଏନ୍‌ଡିଏ ସରକାରଙ୍କ ଅମଳରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିଛି ବୋଲି କହିଥିଲେ। କଂଗ୍ରେସ ଅମଳରେ କେଉଁ ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ, କେଉଁ ପ୍ରକଳ୍ପକୁ ତ୍ବରାନ୍ବିତ କରାଯିବ ନାହିଁ ତାହା ଉପରେ ସବୁବେଳେ ରାଜନୀତି ଲାଗି ରହୁଥିଲା। ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ମନ୍ତ୍ରରେ କାର୍ଯ୍ୟ ହେଉନଥିଲା। ମନ୍ଥର ଗତିରେ ପ୍ରକଳ୍ପ ନିର୍ମାଣ ଯୋଗୁ ଦେଶରେ କ୍ଷତି ଘଟିଛି। କଂଗ୍ରେସର ଅଟକାନା, ଭଟକାନା, ଲଟକାନା ସଂସ୍କୃତି ଦେଶକୁ ବର୍‌ବାଦ କରିଛି। ଯାହାର ଏକାଧିକ ଉଦାହରଣ ରହିଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ  କହିଥିଲେ ପ୍ରଗତି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ନିର୍ମାଣ  କାର୍ଯ୍ୟର ଅଗ୍ରଗତି ସେ ଲଗାତାର ତଦାରଖ କରୁଛନ୍ତି। ଏଥି ସହିତ ପିଏମ୍‌ ଗତିଶକ୍ତି ମାଷ୍ଟର୍‌ ପ୍ଲାନ୍‌ ଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର କ୍ରିୟାନ୍ବୟନ ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.