Breaking News

କଟକ-ଭୁବନେଶ୍ବରକୁ ମିଳିବ ଦ୍ବୈତନଗରୀ ମାନ୍ୟତା: ମେଣ୍ଟ ସରକାର ସମୟରୁ ପ୍ରସ୍ତାବ ଅଟକିଛି

କଟକ-ଭୁବନେଶ୍ବରକୁ ବିଧିବଦ୍ଧ ଦ୍ବୈତନଗରୀ ଭାବେ ସ୍ବୀକୃତି ଦେବା ପ୍ରସଙ୍ଗ ପୁଣି ଥରେ ସାମନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏ ପ୍ରସଙ୍ଗରେ ଆଗକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ‌କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।

0

କଟକ: କଟକ-ଭୁବନେଶ୍ବରକୁ ବିଧିବଦ୍ଧ ଦ୍ବୈତନଗରୀ ଭାବେ ସ୍ବୀକୃତି ଦେବା ପ୍ରସଙ୍ଗ ପୁଣି ଥରେ ସାମନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏ ପ୍ରସଙ୍ଗରେ ଆଗକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ‌କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିବା ଅବସରରେ ମୁଖ୍ୟମନ୍ତ୍ରୀ ଏ ବିଷୟ ଘୋଷଣା କରିବା ସହିତ ତାଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦେ ପ୍ରସ୍ତାବ ଦେଇଛନ୍ତି ବୋଲି କହିଥିଲେ। ଦ୍ବୈତନଗରୀ ଘୋଷଣା ହେଲେ କଟକରୁ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଏବେ ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ୨୦୦୪ରୁ ୨୦୦୯ ମଧ୍ୟରେ କଟକ-ଭୁବନେଶ୍ବର ଦ୍ବୈତନଗରୀ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇଦ୍ରାବାଦ-ସିକନ୍ଦରାବାଦ୍ ଢାଞ୍ଚାରେ ଏହି ଦୁଇଟି ସହରକୁ ଦ୍ବୈତ ନଗରୀ, ଯମଜ ନଗରୀ ଅଥବା ଯୁଗ୍ମ ନଗରୀ ମାନ୍ୟତା ଦେବାର ବିଚାର ଆସିଥିଲା। ଏଥିପାଇଁ ରହିଥିବା ଆବଶ୍ୟକତାକୁ ବି ସେତେବେଳେ ପୂରଣ କରାଯାଇଥିଲା। ଭୁବନେଶ୍ବରକୁ ପୌରନିଗମ ଘୋଷଣା କରାଯାଇଥିବା ବେଳେ କଟକକୁ ବି ପୌରନିଗମ ମାନ୍ୟତା ମିଳିଥିଲା। କଟକ-ଭୁବନେଶ୍ବର ସହରକୁ ଗୋଟିଏ ପୁଲିସ ବ୍ୟବସ୍ଥା ଅର୍ଥାତ କମିସନରେଟ୍ ପୁଲିସ ଅଧୀନରେ ରଖାଯାଇଥିଲା। କିନ୍ତୁ ତା’ ପରେ ଦୁଇଟି ସହରକୁ ବିଧିବଦ୍ଧ ଭାବେ ଦ୍ବୈତନଗରୀ ଘୋଷଣା ପ୍ରକ୍ରିୟା ଅଟକି ଯାଇଥିଲା। ଗଲା ୧୫ ବର୍ଷ ହେଲା ଏହି ଯୋଜନା ଓ ପ୍ରସ୍ତାବ ଏକପ୍ରକାର ଶୀତଳଭଣ୍ଡାରରେ ପଡ଼ି ରହିଛି। ଫଳରେ କଟକରୁ ବି ବିଭିନ୍ନ ସମୟରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଭୁବନେଶ୍ବରକୁ ଉଠିବା ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ବରରେ ଭିତ୍ତିଭୂମି ବିକାଶ ତୁଳନାରେ କଟକ ବି ‌ପଛରେ ପଡ଼ି ଯାଇଛି।

ମେଣ୍ଟ ସରକାର ସମୟରୁ ପ୍ରସ୍ତାବ ଅଟକିଛି
ଖୁବଶୀଘ୍ର ଆଲୋଚନା ହେବ: ମୁଖ୍ୟମନ୍ତ୍ରୀ

ଦୀର୍ଘ ୧୫ ବର୍ଷ ପରେ ସରକାର ପରିବର୍ତ୍ତନ ସହ ଏ ପ୍ରସଙ୍ଗ ମୁଣ୍ଡ ଟେକିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଦଶହରା ବୁଲିବା ଅବସରରେ କଟକର ବିକାଶ ପ୍ରକ୍ରିୟା ଜାରି ରହିବ ଏବଂ ଦ୍ବୈତନଗରୀ ଘୋଷଣା ପାଇଁ ଆଗାମୀ ଦିନରେ ଆଲୋଚନା କରାଯିବ ବୋଲି କହି ବିତର୍କର ବାଟ ଖୋଲିଛନ୍ତି।
ଏ ସଂପର୍କରେ ପୂର୍ବତନ ମନ୍ତ୍ରୀ ସମୀର ଦେ କହିଛନ୍ତି ଯେ ବିଜେଡି-ବିଜେପି ମିଳିତ ସରକାରେ ସେ ନଗର ଉନ୍ନୟନ ମନ୍ତ୍ରୀ ଥିବା ସମୟରେ ଏ ପ୍ରସଙ୍ଗ ଆଗକୁ ବଢ଼ିଥିଲା। ସେହି ଅନୁଯାୟୀ ପୌର ନିଗମ ଘୋଷଣା ଏବଂ କମିସନରେଟ ପୁଲିସ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିନ୍ତୁ ହଠାତ ଉଚ୍ଚସ୍ତରରେ ନିଷ୍ପତ୍ତି ଅଟକି ଗଲା । କଟକ-ଭୁବନେଶ୍ବରକୁ ବିଧିବଦ୍ଧ ଭାବେ ଦ୍ବୈତ ନଗରୀ ଘୋଷଣା କରାଗଲା ନାହିଁ। ସେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କର ଧ୍ୟାନ ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ତାଙ୍କ ମତ ରଖିଛନ୍ତି। ତେଣୁ ଆଗାମୀ ଦିନରେ ବିଜେପି ସରକାରରେ କଟକର ବିକାଶ ସହିତ ଦ୍ବୈତନଗରୀ ମାନ୍ୟତା ମିଳିବା ପାଇଁ ପଦକ୍ଷେପ ନିଆଯିବ। କିନ୍ତୁ କଟକରୁ ଯେଭଳି ଆଉ କୌଣସି ସରକାରୀ କାର୍ଯ୍ୟାଳୟ ନ ଉଠିବ ସେ ଦିଗରେ ଉଦ୍ୟମ ରହିବ ବୋଲି ଶ୍ରୀ ଦେ କହିଛନ୍ତି।

ଅନ୍ୟପଟେ କଟକ ଜିଲ୍ଲା କଂଗ୍ରେସର ମୁଖପାତ୍ର ଅଶୋକ ସ୍ବାଇଁ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏବେ କଟକକୁ ନେଇ ଆଉ ରାଜନୀତି କରା ନଯାଉ। ‌ଉଭୟ କେନ୍ଦ୍ର ଆଉ ରାଜ୍ୟରେ ବିଜେପି ସରକାର ରହିଛି। ବିଜେପି ଯଦି କଟକକୁ ଦ୍ବୈତନଗରୀ, ସ୍ମାର୍ଟନଗରୀରେ ପରିଣତ କରିବାକୁ ‌ଚାହୁଁଛି, ତେବେ ବାଧା କେଉଁଠି ଅଛି? ଆଉ ଆଲୋଚନା ବାହାନାରେ ସମୟ ନ ଗଡ଼ାଇ, ତୁରନ୍ତ ଏ ଦିଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ଶ୍ରୀ ସ୍ବାଇଁ ଦାବି କରିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.