Breaking News

କଟକ ରେଳ ଷ୍ଟେସନ୍‌ରେ ବିମାନ ବନ୍ଦରର ଭ୍ରମ: ସିଧା ଜାତୀୟ ରାଜପଥକୁ ସଂଯୋଗରେ ପ୍ରଥମ

କଟକ ରେଳଷ୍ଟେସନ ପ୍ଲାଟଫର୍ମ ସିଧାସଳଖ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି। ଷ୍ଟେସନର ପଛପଟ ଅର୍ଥାତ ଶିଖରପୁର ପଟେ ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି।

କଟକ: କଟକ ରେଳଷ୍ଟେସନ ପ୍ଲାଟଫର୍ମ ସିଧାସଳଖ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି। ଷ୍ଟେସନର ପଛପଟ ଅର୍ଥାତ ଶିଖରପୁର ପଟେ ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍ ଅତ୍ୟାଧୁନିକ ଢଙ୍ଗରେ ଖୋଲିବାକୁ ଯାଉଛି। ଫଳରେ କଟକ ବାହାରୁ ଆସୁଥିବା ରେଳଯାତ୍ରୀଙ୍କୁ ଅଯଥାରେ ସହର ଭିତରେ ପଶିବାକୁ ପଡ଼ିବ ନାହିଁ। ବିମାନ ବନ୍ଦରର ଭ୍ରମ ସୃଷ୍ଟି କରୁଥିବା ଏହି ଗେଟ୍ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ତାଲିକାରେ ପ୍ରଥମ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦାୟିତ୍ବ ଗ୍ରହଣ ପରେ କଟକରେ ପ୍ରଥମ ପ୍ରକଳ୍ପ ଭାବେ ରେଳଷ୍ଟେସନର ଚାରି ନମ୍ବର ଗେଟ୍‌ରୁ ସିଧାସଳଖ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ ପାଇଁ ଏକ ରାସ୍ତା ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୧ରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ପାଖାପାଖି ୧୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହି ନୂଆ ଷ୍ଟେସନର ତଳ ମହଲାରେ ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷାଳୟ ରହିଛି। ଏଥିରେ ପାଖାପାଖି ୫୦୦ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି। ଗୋଟିଏ ଲିଫ୍ଟ, ସିଡ଼ି ଗୋଟିଏ, ଏସ୍କାଲେଟର୍ ଦୁଇଟି ରହିଛି। ସାଧାରଣ ଯାତ୍ରୀଙ୍କ ପାଇଁ ୫ଟି ଟିକଟ କାଉଣ୍ଟର ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ କାଉଣ୍ଟର ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଶୌଚାଳୟ ଓ ସାଧାରଣ ଯାତ୍ରୀଙ୍କ ପାଇଁ ଚାରିଟି ଶୌଚାଳୟ ରହିଛି।

ସିଧା ଜାତୀୟ ରାଜପଥକୁ ସଂଯୋଗରେ ପ୍ରଥମ
ଜନଔଷଧି କେନ୍ଦ୍ର, ଯାତ୍ରୀଙ୍କ ପାଇଁ ଏସି ପ୍ରତୀକ୍ଷାଳୟ
ଶିଖରପୁର ପଟେ ଖୋଲିବ ଅତ୍ୟାଧୁନିକ ଗେଟ୍
୭ରେ ଉଦ୍‌ଘାଟନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଉପର ମହଲାରେ ଗୋଟିଏ ବଡ଼ ଫୁଡ୍‌କୋର୍ଟ ରହିଛି। ଏହି ଫୁଡ୍‌କୋର୍ଟ ଆଇଆର୍‌ସିଟିସି ପକ୍ଷରୁ ନିୟନ୍ତ୍ରଣ କରାଯିବ। ଏହି ପ୍ଲାଟଫର୍ମରେ ୨୦ଟି ସିସି କ୍ୟାମେରା ଲଗାଯାଇଛି। ବିମାନବନ୍ଦର ଶୈଳୀରେ ପ୍ଲାଟଫର୍ମର ନିର୍ମାଣ କରାଯାଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର, ଵାନ୍‌ ଷ୍ଟେସନ ଵାନ୍‌ ପ୍ରଡକ୍ଟ ମଧ୍ୟ ଖୋଲିବାର ବ୍ୟବସ୍ଥା କରାଯାଇଛି। ଷ୍ଟେସନ୍‌ ବାହାରେ ୨୫୦ ଚାରିଚକିଆ, ୨୦୦ ବାଇକ୍ ସହିତ ୫୦ଟି ଅଟୋ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରିପେଡ୍ ଅଟୋ ପାଇଁ ମଧ୍ୟ ସ୍ବତନ୍ତ୍ର କାଉଣ୍ଟର ଖୋଲାଯିବ। ଭାରତରେ ବଡ଼ ଷ୍ଟେସନକୁ ସିଧାସଳଖ ଜାତୀୟ ରାଜପଥ ସହିତ ସଂଯୋଗ କରୁଥିବା ରାସ୍ତା ଭାବେ କଟକ ଷ୍ଟେସନ ପ୍ରଥମ ବୋଲି କୁହାଯାଉଛି। ଏଭଳି ପୂର୍ବରୁ କୌଣସି ଷ୍ଟେସନରେ ନଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବତନ୍ତ୍ର ଟ୍ରେନରେ କଟକ ରେଳଷ୍ଟେସନରେ ଆସନ୍ତା ୭ ତାରିଖ ଅପରାହ୍‌ଣ ୫ଟା ବେଳେ ପହଞ୍ଚିବେ। ଏହି ଅବସରରେ ନୂଆଗେଟ୍ ଉଦ୍‌ଘାଟନ କରିବା ସହିତ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ସନ୍ଧ୍ୟା ପ୍ରାୟ ୬ଟା ଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ। ଏହାପରେ ଭୁବନେଶ୍ବର ଅଭିମୁଖେ ଗସ୍ତ କରିବେ। ଓଡ଼ିଶାରେ କାର୍ଯ୍ୟକ୍ରମ ଶେଷ କରିବା ପରେ ସେ ୮ ତାରିଖ ସକାଳେ ଭୁବନେଶ୍ବରରୁ ବାରଣାସୀ ମାର୍ଗ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି।

ସୌଜନ୍ୟ-ସମ୍ୱାଦ

Comments are closed.