Breaking News

କଠିନ ପରୀକ୍ଷାରେ ଗମ୍ଭୀର, ଚାରି ବରିଷ୍ଠଙ୍କୁ ନେଇ ବଢ଼ୁଛି ଚିନ୍ତା

ଭାରତୀୟ କ୍ରିକେଟ୍ ଦଳ ଏବେ ପରିବର୍ତ୍ତନ କାଳ ଦେଇ ଗତି କରୁଛି। ଅନ୍ୟୂନ ଚାରିଜଣ ବରିଷ୍ଠ ନିଜନିଜ ଖେଳ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ସଫଳତାର ସହ ସେମାନଙ୍କ ସ୍ଥାନ ପୂରଣ କରିବା ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ କାଠିକର ପାଠ ହେବାକୁ ଯାଉଛି।

0

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଏବେ ପରିବର୍ତ୍ତନ କାଳ ଦେଇ ଗତି କରୁଛି। ଅନ୍ୟୂନ ଚାରିଜଣ ବରିଷ୍ଠ ନିଜନିଜ ଖେଳ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ସଫଳତାର ସହ ସେମାନଙ୍କ ସ୍ଥାନ ପୂରଣ କରିବା ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ କାଠିକର ପାଠ ହେବାକୁ ଯାଉଛି। ଅନ୍ତତଃ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରୁ ଏହାର ସ୍ପଷ୍ଟ ସଙ୍କେତ ମିଳିଛି। ଦୁଇ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଧୀରେଧୀରେ ସେମାନଙ୍କ ଚମକ ହରାଇ ଚାଲିଥିଲା ବେଳେ ସ୍ପିନର୍‌ ଆର୍‌ ଅଶ୍ବିନ ଓ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଆଉ ସେହି ପୁରୁଣା ଫର୍ମରେ ନାହାନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପ୍ରବେଶ ସୂତାଖିଅରେ ଝୁଲିବା ମଧ୍ୟ ସ୍ଥିତିକୁ ଆହୁରି ଜଟିଳ କରିଛି। ତେବେ ସବୁଠାରୁ ଅଧିକ ସମସ୍ୟା ଆସନ୍ତା ଡବ୍ଲ୍ୟୁଟିସିର ଦୁଇ ବର୍ଷିୟା ଚକ୍ରକୁ ନେଇ ରହିଛି। କାରଣ ସେହି ଚକ୍ର ଶେଷ ବେଳକୁ ଅଶ୍ବିନଙ୍କୁ ୪୧ ବର୍ଷ ହୋଇଥିବ। ଜାଡ଼େଜା ଏବଂ କୋହଲି ମଧ୍ୟ ୩୯ ବର୍ଷ ଛୁଇଁସାରିଥିବେ। ଏଭଳି ସ୍ଥିତିରେ ଗମ୍ଭୀରଙ୍କୁ ଏବେଠୁ ଯୁବ ଖେଳାଳିଙ୍କୁ ସେହି ଆହ୍ବାନର ସମ୍ମୁଖୀନ ହେବା ଲାଗି ଉଭୟ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତି କରିବାକୁ ହେବ। ବିଶେଷ କରି ବୋଲିଂ ବାହିନୀକୁ ନେଇ ତାଙ୍କୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି।

ସେପଟେ ଅଷ୍ଟ୍ରେଲିଆ ଶୃ୍ଙ୍ଖଳାକୁ ମହମ୍ମଦ ସାମି ଫେରିଲେ ମଧ୍ୟ ବୟସ ଯୋଗୁଁ ସେ ଆଉ ଭାରତର ଦୀର୍ଘ ମିଆଦି ଯୋଜନାରେ ସାମିଲ ହୋଇ ନପାରନ୍ତି। ମହମ୍ମଦ ସିରାଜ ଓ ଆକାଶ ଦୀପ ଠିକ୍‌ଠାକ୍ ପ୍ରଦର୍ଶନ କରୁଥିଲେ ବି ଉଭୟଙ୍କ ପାଇଁ ସ୍ଥିରତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆୱେସ ଖାନ ଓ ଖଲିଲ ଅହମ୍ମଦଙ୍କ ଭଳି ବୋଲରଙ୍କ ଫିଟନେସ୍‌କୁ ନେଇ ଏବେଠୁ ସଂଶୟ ସୃଷ୍ଟି ହେଲାଣି। ନଭଦୀପ ସୈନି ଚୟନକର୍ତ୍ତାଙ୍କ ଦୃଷ୍ଟି ଆଢ଼ୁଆଳକୁ ଚାଲିଯାଇଥିଲା ବେଳେ ବିଜୁଳି ଭଳି ଗତି ପାଇଁ ପରିଚିତ ଉମ୍ରାନ ମଲ୍ଲିକ ଏକପ୍ରକାର ଦୂର ଦିଗ୍‌ବଳୟରେ ହଜି ଗଲେଣି। ମୁକେଶ କୁମାର, ବୈଶାଖ ବିଜୟକୁମାରଙ୍କ ଭଳି ଉଦୀୟମାନ ବୋଲର ସେତେଟା ପ୍ରତିଶ୍ରୁତିଭରା ପ୍ରଦର୍ଶନ ଦେଇ ପାରୁ ନାହାନ୍ତି। ଏଣୁ ଯଶପ୍ରୀତ୍‌ ବୁମ୍‌ରାଙ୍କ ଉପରେ ଚାପ ବଢ଼ିବଢ଼ି ଚାଲିଛି। ସେହିଭଳି ଭାରତୀୟ ଦଳ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ସେବାରୁ ଲମ୍ବା ଫର୍ମାଟ୍‌ରେ ବଞ୍ଚିତ ହୋଇ ଆସୁଛି। ଏବେବି ତାଙ୍କ ସ୍ଥାନ ଆପାତତଃ କେହି ନେଇ ପାରି ନାହାନ୍ତି। ଯଶସ୍ବୀ ଜୟସ୍ବାଲ ଜଣେ ଦକ୍ଷ ଓପନର ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ରୋହିତ ଗଲା ପରେ ଦୁଇ ଡାହାଣହାତୀ ବ୍ୟାଟର୍ ଅଭିମନ୍ୟୁ ଈଶ୍ବରନ୍, ଋତୁରାଜ ଗାଏକ୍ବାଡ୍ କିମ୍ବା ସାଇ ସୁଦର୍ଶନ ତାଙ୍କ ସ୍ଥାନ ନେବାର ଦକ୍ଷତା ରଖନ୍ତି। ୨୭ ପ୍ରଥମ ଶ୍ରେଣୀ ଶତକ ସହ ଈଶ୍ବରନ୍ ସବୁଠୁ ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଋଷଭ ପନ୍ତ ଭଲ କରୁଥିଲା ବେଳେ ସର୍ଫରାଜ୍ ଖାନ୍ ମଧ୍ୟ ନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ତେବେ ଉଭୟଙ୍କୁ ନିଜ ପ୍ରଦର୍ଶନରେ ଆହୁରି ସ୍ଥିରତା ଆଣିବାକୁ ହେବ। ଜାଡ଼େଜା-ଅଶ୍ବିନ ଯୁଗର ଶେଷ ପରେ ୱାସିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲ ସେମାନଙ୍କ ସ୍ଥାନ ନେଇ ପାରନ୍ତି। ତେବେ ଏଥିଲାଗି ସେମାନଙ୍କୁ ଯେ ଲମ୍ବା ପଥ ଅତିକ୍ରମ କରିବାକୁ ହେବ, ସେଥିରେ ସନ୍ଦେହ ନାହିଁ।

ଗମ୍ଭୀରଙ୍କୁ ଶାସ୍ତ୍ରୀଙ୍କ ସମର୍ଥନ
ନ୍ୟୁଜିଲାଣ୍ଡଠାରୁ ଭାରତ ଘରୋଇ ପରିବେଶରେ ପ୍ରଥମ ଥର ଶୃଙ୍ଖଳା ହାରିବା ପରେ ପ୍ରଶିକ୍ଷକ ଗୌତମ ଗମ୍ଭୀର ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ତେବେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, ଭାରତକୁ ନ୍ୟୁଜିଲାଣ୍ଡ ଉଭୟ ଟେଷ୍ଟ୍‌ରେ ସହଜରେ ପରାସ୍ତ କରିଛି। ଏହା ଅନୁଶୀଳନ ପାଇଁ ଖୋରାକ ସଦୃଶ ହୋଇଛି। ଗମ୍ଭୀର ଏବେଏବେ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି। ଏକ ଦଳ ଯାହାର କୋଟିକୋଟି ଅନୁଗାମୀ ଅଛନ୍ତି, ତାର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବା ଆଦୌ ସହଜ ନୁହେଁ। ଏହା ତାଙ୍କ ପ୍ରଶିକ୍ଷକ ଜୀବନର ପ୍ରାରମ୍ଭିକ କାଳ। ଗମ୍ଭୀର ଆଗକୁ ନିଶ୍ଚିତ ଭାବେ ସଫଳ ପ୍ରତ୍ୟାବର୍ତ୍ତନ କରିବେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.