Breaking News

କଥାଟିଏ-ଯାଯାବର: କଥାର ଭଲ ଓ ଭେଲ

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଜଣେ ଲୋକ ପଚାରିଲା- ମୁଲ୍ଲା, ତୁମେ ଭାରି ଚିକ୍କଣକୁହା। ସମସ୍ତଙ୍କୁ ମିଠା କଥା କହିବାରେ ଓସ୍ତାଦ। ତୁମେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ନିଶ୍ଚିତ ଭାବେ ବହୁ ଲୋକଙ୍କ ଭୁଲ୍‌ କାମ ଦେଖୁଥିବ...

ଥରେ ମୁଲ୍ଲା ନସିରୁଦ୍ଦିନଙ୍କୁ ଜଣେ ଲୋକ ପଚାରିଲା- ମୁଲ୍ଲା, ତୁମେ ଭାରି ଚିକ୍କଣକୁହା। ସମସ୍ତଙ୍କୁ ମିଠା କଥା କହିବାରେ ଓସ୍ତାଦ। ତୁମେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥିବାରୁ ନିଶ୍ଚିତ ଭାବେ ବହୁ ଲୋକଙ୍କ ଭୁଲ୍‌ କାମ ଦେଖୁଥିବ, କିନ୍ତୁ ତୁମେ କେବେ ତ କାହିଁ କାହାକୁ ହେଲେ ସେଥିଲାଗି ସମାଲୋଚନା କରୁନାହଁ?
ମୁଲ୍ଲା କହିଲେ- ୟା ପଛରେ ଦୁଇଟା କାରଣ ରହିଛି। ପ୍ରଥମ କଥା ହେଲା, ମୁଁ ସବୁବେଳେ ଭାବେ ଅନ୍ୟର ଦୋଷତ୍ରୁଟି ଦେଖାଇବାକୁ ମୁଁ କିଏ? ଯେତେବେଳେ ଉପରେ ଈଶ୍ବର ଅଛନ୍ତି ଓ ସବୁ ଦେଖୁଛନ୍ତି ସେତିକି ବେଳେ ମୁଁ କିଏ?
ଦ୍ବିତୀୟ ପ୍ରଶ୍ନ ହେଲା ମିଠା କଥା କହେ କାହିଁକି? ତୁମେ ଜାଣିଥାଅ, ଯେ କଥା ହେଉଛି ମୁଦ୍ରା ଭଳି। ତୁମେ ଏ ମୁଦ୍ରାକୁ କେବଳ ଋଣ ଭାବେ ଦେଇପାରିବ, କାରଣ ଯାହାକୁ ଏହା ଦେବ, ସେ ତୁମକୁ ନିଶ୍ଚିତ ଭାବେ କେବେ ନା କେବେ ସମୂଳସୁଧ ତାହା ଫେରସ୍ତ କରିବ। ଉଭୟ କଟୁ ଓ ମିଠା କଥାରେ ସମୂଳ ସୁଧ ଫେରସ୍ତ ପାଇବ। ହେଲେ କଟୁ କଥା କହିଲେ କଥା ସହିତ ବିଧା‌ ଗୋଇଠା ବି ସୁଧ ଭାବେ ପାଇପାର! ଅନ୍ୟ ସହିତ ତୁମ ସଂପର୍କ ଖରାପ ହୋଇଯିବା ସୁନିଶ୍ଚିତ। ଆଉ ମିଠା କଥା ପଦଟିଏ ଯଦି କହି ଦେଉଥିବ, ତେବେ ସୁଧ ଓ ମୂଳ ମିଶି ତୁମେ କେତେ ଓ କ’ଣ ପାଇବ, ତାହା କଳନା କରିବା ମଧ୍ୟ କଷ୍ଟକର। କେବଳ ସେତିକି ନୁହେଁ, ମିଠା କଥା ବଦଳରେ ମିଠା ବ୍ୟବହାର ପାଇବ।
ମୁଲ୍ଲାଙ୍କ ବନ୍ଧୁ କହିଲେ- ସତ କହୁଛ ମୁଲ୍ଲା। ତୁମକୁ ଲୋକେ ସେଥି ଲାଗି ଏତେ ଭଲ ପାଆନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.