Breaking News

କଥାଟିଏ-ଯାଯାବର: ପ୍ରକୃତ ଦଣ୍ଡ

ଜଣେ ରାଜା ଭାବୁଥିଲେ ଯେ ଅତି କଠୋର ଦଣ୍ତର ବ୍ୟବସ୍ଥା ଜରିଆରେ ରାଜ୍ୟକୁ ଅପରାଧମୁକ୍ତ କରିହେବ। କିନ୍ତୁ ବୃଦ୍ଧ ମହାମନ୍ତ୍ରୀ କହୁଥିଲେ ଯେ ଅପରାଧୀଙ୍କ ହୃଦୟ ପରିବର୍ତ୍ତନ ଘଟାଇ ରାଜ୍ୟରୁ ଅପରାଧ କମାଇ ହେବ।

ଜଣେ ରାଜା ଭାବୁଥିଲେ ଯେ ଅତି କଠୋର ଦଣ୍ତର ବ୍ୟବସ୍ଥା ଜରିଆରେ ରାଜ୍ୟକୁ ଅପରାଧମୁକ୍ତ କରିହେବ। କିନ୍ତୁ ବୃଦ୍ଧ ମହାମନ୍ତ୍ରୀ କହୁଥିଲେ ଯେ ଅପରାଧୀଙ୍କ ହୃଦୟ ପରିବର୍ତ୍ତନ ଘଟାଇ ରାଜ୍ୟରୁ ଅପରାଧ କମାଇ ହେବ।
ଥରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଧରା ହୋଇ ବିଚାର ଲାଗି ଆସିଲା। ରାଜା ତା’ର କାରନାମା ଶୁଣିବା ପରେ ତା’ ଲାଗି ସିଧାସଳଖ ମୃତ୍ୟୁ ଦଣ୍ତର ଆଦେଶ ଦେଲେ। ଅପରାଧୀକୁ ବନ୍ଦୀଶାଳାକୁ ନିଆଗଲା। ତା’ ପରେ ରାଜା ମନ୍ତ୍ରୀଙ୍କୁ ପଚାରିଲେ- ଆପଣ ତ ଏ ଅପରାଧୀର କାରନାମା ଶୁଣିଥିବେ। ଏବେ ବି କ’ଣ ଆପଣ କହିବେ ଯେ ଏଭଳି ଲୋକର ବଞ୍ଚି ରହିବାର ଅଧିକାର ଅଛି?
ମନ୍ତ୍ରୀ କିଛି କହିଲେ ନାହିଁ।
ତାକୁ ମୃତ୍ୟୁ ଦଣ୍ତ ମିଳିବାର ପୂର୍ବ ଦିନ ମନ୍ତ୍ରୀ ରାଜାଙ୍କୁ ଅନୁରୋଧ କଲେ ବନ୍ଦୀଶାଳା ଆଡ଼େ ବୁଲିଯିବା ଲାଗି। ରାଜା ଓ ମନ୍ତ୍ରୀ ବନ୍ଦୀଶାଳାକୁ ଗଲା ବେଳକୁ ଅପରାଧୀର ପରିବାର ତାକୁ ଶେଷ ଥର ଲାଗି ଦେଖା କରିବାକୁ ଆସିଥାନ୍ତି। ଅପରାଧୀଟି ନିଜ ପତ୍ନୀ ଓ ପିଲାଛୁଆଙ୍କ ଗହଣରେ ବସିଥାଏ ଏବ˚ ତା’ ଆଖିରୁ ଲୁହ ଧାର ବହୁଥାଏ।
ରାଜାଙ୍କୁ ସେ କଥା ଦେଖାଇ ବୃଦ୍ଧ ମନ୍ତ୍ରୀ କହିଲେ- ମହାରାଜ, ପଥର ତଳେ ପାଣିର ଝରଟିଏ ଥିବା ଭଳି ଏହାର ହୃଦୟରେ କେଉଁଠି ନା କେଉଁଠି ମମତାର ଝର ରହିଛି। ତାହା ପଥର ଫଟାଇ ବାହାରି ଆସି ସମସ୍ତଙ୍କୁ ଡୁବାଇ ମଧ୍ୟ ଦେଇପାରେ, କିନ୍ତୁ ତାକୁ ସେ ସୁଯୋଗ ବିଧାତା ବା ମନୁଷ୍ୟ କେହିହେଲେ ଦେଇ ନାହାନ୍ତି ବୋଲି ସେ ଏଭଳି ଅପରାଧୀ ହୋଇଛି। ଦ୍ବିତୀୟ କଥା ମହାରାଜ, ଏହାର ହୃଦୟ ପରିବର୍ତ୍ତନ ଘଟିବା ପରେ ସେ ଯେଉଁ ପଶ୍ଚାତ୍ତାପର ନିଆଁରେ ଜଳିବ, ତାହା ହେବ ତା’ ଲାଗି ପ୍ରକୃତ ଦଣ୍ଡ।
ରାଜା ଟିକିଏ ଅଟକିଯାଇ ପଚାରିଲେ- ତାହା ହେଲେ କ’ଣ ଏହାକୁ କ୍ଷମା ଦେବା?
ମନ୍ତ୍ରୀ କହିଲେ- ହଁ! ଏହି ବନ୍ଦୀଶାଳାରେ ଏହାକୁ ରଖି ସେହି ମମତାର ଝରଣା କେମିତି ଫୁଟି ବାହାରିବ ସେଥି ଲାଗି ସୁଯୋଗ ତିଆରି କରିବା।
ରାଜା କହିଲେ- ତାହା ହିଁ ହେଉ। ଆପଣଙ୍କ କଥା ସତରେ ପରିଣତ ହେଉ। ମୁଁ ଅପେକ୍ଷା କରିବାକୁ ରାଜି।

ସୌଜନ୍ୟ – ସମ୍ବାଦ

Comments are closed.