Breaking News

କଥାଟିଏ-ଯାଯାବର: ରାଜା ଓ ପା‌ଣି ଝର

ଜଣେ ପରମ ଅହଙ୍କାରୀ ରାଜା ଥିଲେ। ଥରେ ଜଣେ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ ସହିତ ତାଙ୍କର ଦେଖା ହେଲା। ତାଙ୍କ ସହିତ ଥିବା ସବୁ ପାରିଷଦମାନେ ମଥା ପେତି ସନ୍ନ୍ୟାସୀଙ୍କୁ ପ୍ରଣାମ କଲା ବେଳକୁ ରାଜା ଅଭିବାଦନ ନ କରି କହିଲେ ଯେ ସେ ରାଜା ହୋଇଥିବାରୁ ମୁଣ୍ଡ ନୁଆଇଁ ପାରିବେ ନାହିଁ।

ଜଣେ ପରମ ଅହଙ୍କାରୀ ରାଜା ଥିଲେ। ଥରେ ଜଣେ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ ସହିତ ତାଙ୍କର ଦେଖା ହେଲା। ତାଙ୍କ ସହିତ ଥିବା ସବୁ ପାରିଷଦମାନେ ମଥା ପେତି ସନ୍ନ୍ୟାସୀଙ୍କୁ ପ୍ରଣାମ କଲା ବେଳକୁ ରାଜା ଅଭିବାଦନ ନ କରି କହିଲେ ଯେ ସେ ରାଜା ହୋଇଥିବାରୁ ମୁଣ୍ଡ ନୁଆଇଁ ପାରିବେ ନାହିଁ।
କିଛି ଦିନ ପରେ ରାଜା ଥରେ କିଛି ଅନୁଚରଙ୍କୁ ଧରି ଗୋଟିଏ ସ୍ଥାନକୁ ବାହାରିଲେ। ବାଟରେ ପଡ଼ିଲା ଏକ ଜଙ୍ଗଲ। ସେହି ଜଙ୍ଗଲ ଭିତରେ ସେ ବାଟ ଭୁଲିଗଲେ। ସେମାନେ ଜଙ୍ଗଲରୁ ବାହାରିବେ କ’ଣ ବୁଲାବୁଲି କରି ବାଟ ଖୋଜୁ ଖୋଜୁ ଆହୁରି ଭିତରକୁ ପଶିଗଲେ। ଜଙ୍ଗଲ ଭିତରେ ଦୁଇ ଦିନ ବୁଲିଲା ପରେ ସୁଦ୍ଧା ବାହାରକୁ ବାଟ ମିଳିଲା ନାହିଁ। ପାଖରେ ଥିବା ଭୋଜନ ଏବଂ ପାଣି ସରି ଯାଇଥିଲା। ପାଣି ସରି ଯାଇଥିବାରୁ ଶୋଷରେ ପ୍ରାଣ ଚାଲିଯିବା ଭଳି ଅବସ୍ଥା ହୋଇଗଲା। ଆଉ ସହି ନ ପାରି ରାଜା ଘୋଡ଼ା ପିଠିରୁ ଓହ୍ଲାଇ ପଡ଼ି ତଳେ ପଡ଼ିଗଲେ। ପାଣି ବିନା ହାହାକାର ପଡ଼ିଗଲା।
ଏହି ସମୟରେ ପହଞ୍ଚିଲେ ସେହି ସାଧୁ, ଯିଏ ଥିଲେ ସେହି ଜଙ୍ଗଲ ନିବାସୀ। ତାଙ୍କୁ ଜଙ୍ଗଲ ଭିତରର ସବୁ କଥା ଜଣା ଥିଲା। ସେ ପାଣି ଯୋଗାଡ଼ କରିବାର ପ୍ରତିଶ୍ରୁତି ଦେଇ ସମସ୍ତଙ୍କୁ କିଛି ବାଟ ନେଇଗଲେ। ସେଠାରେ ଏକ ପାହାଡ଼ ଖୋଲରୁ ଝରୁଥିଲା ନିର୍ମଳ ପାଣିର ସରୁ ଝରଟିଏ। ସନ୍ନ୍ୟାସୀ ରାଜାଙ୍କୁ କହିଲେ- ଏଠାରୁ ଆପଣ ପାଣି ପିଇ ପାରନ୍ତି। କିନ୍ତୁ ଏଥି ଲାଗି ଆପଣଙ୍କୁ ନତ ଶିର ହେବାକୁ ପଡ଼ିବ। କାରଣ ମୁଣ୍ଡ ନ ନୁଆଇଁଲେ ପାଣି ପିଇବେ କେମିତି? ଆପଣା ରାଜା, ତେଣୁ ବିଚାର କରନ୍ତୁ ମୁଣ୍ଡ ନୁଆଁଇବେ ନା ନାହିଁ?
ରାଜା ପାଣି ପିଇଲେ ସତ, କିନ୍ତୁ ସନ୍ନ୍ୟା‌ସୀଙ୍କ କଥାର ମର୍ମ ବୁଝି ପାରି ଲଜ୍ଜିତ ହେଲେ।
ସନ୍ନ୍ୟାସୀ କହିଲେ- ମହାରାଜ, ଗୋଟିଏ କଥା ମନେ ରଖିବେ। ତାହା ହେଲା, ସର୍ବଦା ମସ୍ତକ ଉଚ୍ଚା କରି ରହିଲେ ଆପଣ ଆଶୀର୍ବାଦ ବା କରୁଣାର ବିନ୍ଦୁ ପାଇବେ ନାହିଁ। ତେଣୁ ମଥା ନତ କରି ଶିଖନ୍ତୁ। ରାଜ ପଦ ଅସାର, କିନ୍ତୁ ଈଶ୍ବରଙ୍କ କରୁଣାର ଝର ଅସରନ୍ତି, ଯାହା କେବଳ ନିଜକୁ ଅହଂ ଶୂନ୍ୟ କରି ପାରୁଥିବା ଲୋକେ ଲାଭ କରନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.