Breaking News

କନିଷ୍ଠ ଏସିଆ କପ୍‌ ହକି: ପାକିସ୍ତାନକୁ ହରାଇ ଭାରତ ପୁଣି ବିଜେତା

ଭାରତ ଲଗାତାର ତୃତୀୟ ଏବଂ ମୋଟ ଉପରେ ପଞ୍ଚମ ଥର ଲାଗି କନିଷ୍ଠ ଏସିଆ କପ୍‌ ହକିରେ ବିଜେତା ହୋଇଛି। ଫାଇନାଲ୍‌ରେ ଭାରତ ୫-୩ ଗୋଲ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି।

ମସ୍କଟ: ଭାରତ ଲଗାତାର ତୃତୀୟ ଏବଂ ମୋଟ ଉପରେ ପଞ୍ଚମ ଥର ଲାଗି କନିଷ୍ଠ ଏସିଆ କପ୍‌ ହକିରେ ବିଜେତା ହୋଇଛି। ଫାଇନାଲ୍‌ରେ ଭାରତ ୫-୩ ଗୋଲ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଗତ ଦୁଇ ସଂସ୍କରଣରେ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ଟ୍ରଫି କରାୟତ୍ତ କରିଥିଲା। ବୁଧବାର ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ହାନାନ ସାହିଦଙ୍କ ଗୋଲ୍‌ରେ ୩ ଥରର ବିଜେତା ପାକିସ୍ତାନ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହା ପର ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଅରାଇଜିତ ସିଂହ ଗୋଲ୍‌ରେ ପରିଣତ କରି ସ୍ଥିତି ସମାନ କରି ଦେଇଥିଲେ।

ପ୍ରଥମ କ୍ବାର୍ଟର ୧-୧ରେ ‌ସରିବା ପରେ ଦ୍ବିତୀୟ କ୍ବାର୍ଟରରେ ୧୮ ଓ ୧୯ତମ ମିନିଟ୍‌ରେ ଭାରତ ଦୁଇଟି ଗୋଲ୍‌ ଲଦି ଦେଇଥିଲା। ଏହି ଦୁଇ ଗୋଲ୍‌ ଅରାଇଜିତ (ପେନାଲ୍‌ଟି କର୍ଣ୍ଣର) ଓ ଧୀରାଜ ସିଂହ (ଫିଲ୍ଡ) ଦେଇଥିଲେ। ଏହି କ୍ବାର୍ଟରର ଶେଷ ମିନିଟ୍‌ରେ ସୁଫିଆନ୍‌ ଖାନ୍‌ (ପେନାଲ୍‌ଟି କର୍ଣ୍ଣର) ଗୋଟିଏ ଗୋଲ୍‌ ଶୁଝି ଦେବାରୁ ପ୍ରଥମାର୍ଦ୍ଧ ୩-୨ରେ ଭାରତ ପକ୍ଷରେ ରହିଥିଲା। ୩୯ତମ ମିନିଟ୍‌ରେ ସୁଫିଆନ୍‌ ଆଉ ଏକ ଗୋଲ୍‌ ଶୁଝି ଦେବାରୁ ସ୍ଥିତି ସମାନ ହୋଇଥିଲା। ତେବେ ଶେଷ କ୍ବାର୍ଟରରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ୍‌ କରିଥିଲା। ଅରାଇଜିତ (୪୭, ୫୪ ମିନିଟ୍‌) ଗୋଟିଏ ଲେଖାଏଁ ଫିଲ୍ଡ ଓ ପେନାଲ୍‌ଟି ଗୋଲ୍‌ ଦେଇ ବ୍ୟକ୍ତିଗତ ଚତୁର୍ଥ ସଫଳତା ପାଇବା ସହ ଭାରତକୁ ବିଜୟ ଭେଟି ଦେଇଥିଲେ। ଏହି ସଫଳତା ସହ ୨୦୨୫ର କନିଷ୍ଠ ବିଶ୍ବକପ୍ ଲାଗି ଭାରତ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.