Breaking News

କପିଳେଶ୍ବର ମନ୍ଦିର ଚିନ୍ତା: ଶୃଙ୍ଖଳିତ ନୀତି ପାଇଁ ଲାଗିଲା ନୋଟିସ୍‌

ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳେଶ୍ବର ମନ୍ଦିରରେ ନୀତିକାନ୍ତି ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀଶ୍ରୀ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଜୀଉଙ୍କ ନୀତି ନିର୍ଘଣ୍ଟ ଓ ପୂଜାର୍ଚ୍ଚନା ପାଇଁ ଦର ଧାର୍ଯ୍ୟ କରାଯାଇଛି।

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳେଶ୍ବର ମନ୍ଦିରରେ ନୀତିକାନ୍ତି ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀଶ୍ରୀ କପିଳେଶ୍ବର ମନ୍ଦିର ଟ୍ରଷ୍ଟ ପକ୍ଷରୁ ଶ୍ରୀଜୀଉଙ୍କ ନୀତି ନିର୍ଘଣ୍ଟ ଓ ପୂଜାର୍ଚ୍ଚନା ପାଇଁ ଦର ଧାର୍ଯ୍ୟ କରାଯାଇଛି। ଏନେଇ ଉପଜିଲ୍ଲାପାଳ ମନ୍ଦିରରେ ନୋଟିସ ଲଗାଇଛନ୍ତି। ନୋଟିସ୍‌ ଲାଗିବା ପରେ ମନ୍ଦିରରେ ନୀତି ଶୃଙ୍ଖଳିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟ ବ୍ୟବସ୍ଥିତ ହେବ ବୋଲି କୁହାଯାଉଛି। ମନ୍ଦିରରେ ବିଭିନ୍ନ ପୂଜା ପାଇଁ ଦର ଧାର୍ଯ୍ୟ କରାଯାଇଛି। ପ୍ରଭୁ କପିଳନାଥଙ୍କ ପାଖରେ ଜଳଲାଗି କରିବା ଓ ବିବାହ, ବ୍ରତ ଓ ନିର୍ବନ୍ଧ ପାଇଁ ୨୦୧ ଟଙ୍କା, ୧୦୮ ଜଳଲାଗି ଓ ଶନିବାରେଶ୍ବରଙ୍କ ପାଖରେ ଜଳାଭିଷେକ ଓ ଶାଢ଼ି ପିନ୍ଧାଇବା ପାଇଁ ୫୧ ଟଙ୍କା, ବେଢ଼ାରେ ଅଭିଷେକ ପାଇଁ ୧୦୧ ଟଙ୍କା, ମା’ ଦକ୍ଷିଣକାଳୀଙ୍କ ସମ୍ମୁଖରେ ଚଣ୍ଡୀପାଠ, ଚାରିଚକିଆ ଯାନ ପୂଜା, ଗୋ-ଦାନ ଓ କେଶ ପକା ପାଇଁ ୪୧ ଟଙ୍କା, ମା’ ଦକ୍ଷିଣକାଳୀଙ୍କ ପାଖରେ ଶାଢ଼ିଲାଗି, କପିଳନାଥଙ୍କ ପାଖରେ ବସ୍ତ୍ରଲାଗି, ମନ୍ଦିରରେ ପତାକାଲାଗି, ଘଣ୍ଟଦାନ, ଶାଢ଼ିଦାନ, ଅନ୍ୟାନ୍ୟ ଦେବଦେବୀଙ୍କ ପାଖରେ ହୋମ ଓ ୩ ଚକିଆ ଯାନ ପୂଜା ପାଇଁ ୨୧ ଟଙ୍କା ଦର ଧାର୍ଯ୍ୟ ହୋଇଛି। ସେହିପରି ନଡ଼ିଆ ଭଙ୍ଗା ୫ ଟଙ୍କା, ୨ ଚକିଆ ଯାନ ପୂଜା ପାଇଁ ୧୧ ଟଙ୍କା ଧାର୍ଯ୍ୟ ହୋଇଛି।

ସେହିଭଳି ନିୟମିତ ପୂଜାର୍ଚ୍ଚନା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସକାଳ ୫ଟାରେ ମଙ୍ଗଳ ଆଳତି, ୫ଟା ୧୫ରେ ଅବକାଶ, ମହାସ୍ନାନ ଓ ଦ୍ବାରପାଳ ପୂଜା, ସକାଳ ୬ଟାରେ ପାର୍ଶ୍ବ ଦେବତା ପୂଜା, ସୂର୍ଯ୍ୟପୂଜା ଓ ବେଶ, ୫ଟା ୩୦ରୁ ଦିନ ୧୧ଟା ଯାଏ ସର୍ବସାଧାରଣ ଦର୍ଶନ ହେବ। ୧୧ଟାରେ ସକାଳ ଧୂପ ଲାଗି ହେବ। ଏହାପରେ ଦିନ ୧ଟା ଯାଏ ପୁଣି ସର୍ବସାଧାରଣ ଦର୍ଶନ ହେବ। ଦିନ ୧ଟାରୁ ୨ଟା ମଧ୍ୟରେ ଦ୍ବିପ୍ରହର ଧୂପ ଲାଗିହେବ। ୨ଟାରୁ ୪ଟା ଯାଏ ଶ୍ରୀଜୀଉ ଶୟନ କରିବେ। ତେଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ୪ଟାରୁ ୫ଟା ଯାଏ ସର୍ବସାଧାରଣ ଦର୍ଶନ ହେବ। ଋତୁଚକ୍ର ଅନୁସାରେ ୫ଟାରୁ ୬ଟା ମଧ୍ୟରେ ସନ୍ଧ୍ୟା ଧୂପ ହେବ। ୬ଟାରୁ ରାତି ୮ଟା ସର୍ବସାଧାରଣ ଦର୍ଶନ ପରେ ରାତି ୮ଟାରୁ ୯ଟା ମଧ୍ୟରେ ବଡ଼ସିଂହାର ଧୂପ ଓ ଠାକୁରଙ୍କ ପହୁଡ଼ ପଡ଼ିବ। ତେବେ‌ ପର୍ବପର୍ବାଣୀ ଦିନରେ ସମୟ ପରିବର୍ତ୍ତନ କରାଯିବ।

ଅପରପକ୍ଷରେ ଏହି ପୁରାତନ ଶୈବପୀଠ ଅବହେଳିତ ଅବସ୍ଥାରେ ରହିଛି। ଗତବର୍ଷ ଏହି ମନ୍ଦିରକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଏବେ ଏହାର ଦାୟିତ୍ବରେ। ମନ୍ଦିରରେ ମାଳ ମାଳ ସମସ୍ୟା ଲାଗି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ନଷ୍ଟ ହେଉଛି। ତେବେ ଏହାକୁ ନଜରରେ ରଖି ପ୍ରଥମ ପର୍ଯ୍ୟାୟରେ ମନ୍ଦିରର ମରାମତି ପାଇଁ ୪୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। କାମ ଆରମ୍ଭ ପାଇଁ ଶୁଭ ମଧ୍ୟ ଦିଆଯାଇଛି। ହେଲେ ଏଯାଏ କାମ ଆରମ୍ଭ ହୋଇନି। ଅନ୍ୟପଟେ ମନ୍ଦିର ନିକଟକୁ ଆସିବା ପାଇଁ ଭଲ ରାସ୍ତା ନଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସୁନାହାନ୍ତି। ଏହାରି ଭିତରେ ନୀତିକାନ୍ତି ଶୃଙ୍ଖଳିତ କରିବାର ପ୍ରଥମ ପଦକ୍ଷେପକୁ ସେବାୟତମାନେ ସ୍ବାଗତ କରିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.