Breaking News

କମନ୍‌ ଏରିଆକୁ ଆଉ ଥରେ କିଣିବା ବ୍ୟବସ୍ଥା ହଟିବ: ପାର୍ଟପ୍ଲଟ୍‌ ବିକ୍ରି କଟକଣା ହଟାଇବାକୁ ସଜବାଜ

ଖୁବ୍‌ଶୀଘ୍ର ପାର୍ଟପ୍ଲଟ୍‌ ବିକ୍ରି ଆରମ୍ଭ ହେବ। ଏଥିରେ ଥିବା କଟକଣାକୁ ସରକାର ହଟାଇବାକୁ ଯାଉଛନ୍ତି। ଯେଉଁ ସମସ୍ୟା ରହିଥିଲା ତାହାର ସମାଧାନ ୫ଟି ପର୍ଯ୍ୟାୟରେ ହେବ। ଏହି କିଣାବିକା ପାଇଁ ଚିଠା ପ୍ରସ୍ତାବ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରୁଛି।

ଭୁବନେଶ୍ବର: ଖୁବ୍‌ଶୀଘ୍ର ପାର୍ଟପ୍ଲଟ୍‌ ବିକ୍ରି ଆରମ୍ଭ ହେବ। ଏଥିରେ ଥିବା କଟକଣାକୁ ସରକାର ହଟାଇବାକୁ ଯାଉଛନ୍ତି। ଯେଉଁ ସମସ୍ୟା ରହିଥିଲା ତାହାର ସମାଧାନ ୫ଟି ପର୍ଯ୍ୟାୟରେ ହେବ। ଏହି କିଣାବିକା ପାଇଁ ଚିଠା ପ୍ରସ୍ତାବ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରୁଛି। ଦ୍ବିତୀୟ ପର୍ଯ୍ୟାୟରେ ଆଇନ ବିଭାଗ ଓ ଆଡ୍‌ଭୋକେଟ ଜେନେରାଲଙ୍କ ସହ ବିଚାରବିମର୍ଶ ହେବା ପରେ ଦ୍ୱିତୀୟ ବିଜ୍ଞପ୍ତି ପ୍ରକାଶ ପାଇବ। ୫ ହଜାର ବର୍ଗଫୁଟ୍‌ ପରିମିତ ଜମିକୁ ଆଂଶିକ ଜମି ଆକାରରେ କିଣାବିକା କରାଯାଇ ପାରିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ପାର୍ଟପ୍ଲଟ ବିକ୍ରି ବେଳେ ପ୍ରଥମେ ରାସ୍ତା ଓ ନଳାକୁ ରେଜିଷ୍ଟ୍ରେସନ କରିବେ। ସରକାରଙ୍କ ଖାତାକୁ ଥରେ ଆସିଗଲେ ଆଉ ତାହା ବିକ୍ରି ହୋଇପାରିବ ନାହିଁ। ଏହା ବିଲ୍ଡର ନାଁରେ ରହୁଥିବାରୁ ଏଭଳି ସମସ୍ୟା ରହୁଥିଲା। ବିଏମ୍‌ସି କିମ୍ବା ପୌରସଂସ୍ଥା ସେଠାରେ ରାସ୍ତା ମଧ୍ୟ ନିର୍ମାଣ କରିପାରୁ ନଥିଲା। ସବୁ ପ୍ଲଟ୍‌ ବିକି ସାରିବା ପରେ ବିଲ୍ଡର ରାସ୍ତାକୁ ସରକାରୀ ସଂସ୍ଥାକୁ ହସ୍ତାନ୍ତର କରୁଥିଲା। ସେତେବେଳେ ଦେଖାଯାଉଥିଲା କି ରାସ୍ତାର ଧାର୍ଯ୍ୟ ଓସାର ନାହିଁ। ଫଳରେ ପ୍ଲଟ୍‌ କିଣୁଥିବା ଲୋକମାନେ ସମସ୍ୟା ଭୋଗୁଥି‌ଲେ। ଏଣୁ ପ୍ଲଟ୍‌ ବିକ୍ରି ପୂର୍ବରୁ ରାସ୍ତା ଓ ନଳା ପାଇଁ ସଂରକ୍ଷିତ ଜମି ପ୍ରଥମେ ସରକାରୀ ସଂସ୍ଥାକୁ ହସ୍ତାନ୍ତର ହେବ। ଫଳରେ ଆଉ ପରେ ସମସ୍ୟ ରହିବ ନାହିଁ ବୋଲି ସେ କହିଛନ୍ତି।

ବେଆଇନ କିଣାବିକା କରିଥିଲେ ୩୧ଅଧିକାରୀ

ଆପାର୍ଟମେଣ୍ଟ ରେଜିଷ୍ଟେସନକୁ ନେଇ ସମସ୍ୟା ଅଛି। ୨୦୧୭ ପୂର୍ବରୁ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ପାଇଥିବା ସଂସ୍ଥା ପଞ୍ଜୀକୃତ ହୋଇପାରିବେ, ‘ରେରା’ ଅଧୀନରେ ଆସିବେ ନାହିଁ। ଏ ନେଇ ବିଜ୍ଞପ୍ତି ହୋଇସାରିଛି। ‘ରେରା’ ଆଇନ ଯୋଗୁ ଯେଉଁ ସମସ୍ୟା ଉପୁଜୁଛି ବା ମାମଲା କୋର୍ଟକୁ ଯାଉଛି ତାହାକୁ ନେଇ ଆଲୋଚନା ଚାଲିଛି। ଆବଶ୍ୟକ ପଡ଼ି‌ଲେ ଆସନ୍ତା ବିଧାନସଭା ଅଧିବେଶନରେ ରେରା ଓ ଓଡ଼ିଶା ଡେଭଲପମେଣ୍ଟ ଆକ୍ଟ(ଓଡିଏ)କୁ ସଂଶୋଧନ କରାଯିବ। ଉଭୟ ଆଇନ୍‌ ଯେଉଁଠି ବିରୋଧାଚରଣ କରୁଛନ୍ତି ବା ପୌରାଞ୍ଚଳ ପାଇଁ କେତେକ ଉଦ୍ଦିଷ୍ଟ ଥିବା ବେଳେ କେତେକ କେବଳ ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ରହିଛି, ତାହାକୁ ପୃଥକ୍‌ କରାଯିବ। ଯେଉଁ ଆଇନ ପୂର୍ବରୁ ଆବଶ୍ୟକତା ଥିଲା କିନ୍ତୁ ଏବେ ନାହିଁ, ତାହାକୁ ଉଚ୍ଛେଦ କରାଯିବ। ଥରେ ଫ୍ଲାଟ୍‌ କିଣିବା ଓ ପରେ କମନ୍‌ ଏରିଆ ପଞ୍ଜୀକରଣ ଏଭଳି ଦୁଇଥର ଦେୟ ଦେବା ବ୍ୟବସ୍ଥା ଥରେ କରିବା ଉପରେ ବିଚାର କରାଯାଉଛି। ବିଜେଡି ସରକାର ଏ ବାବଦରେ ୨୪ ବର୍ଷ ଧରି ଉଦ୍ୟମ କରି ନଥିଲେ। ଏଣୁ ଏହା ସମୟ ସାପେକ୍ଷ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

୨୦୨୨ରେ ପାର୍ଟ ପ୍ଲଟ୍‌ ବିକ୍ରି ଉପରେ କଟକଣା ଲାଗିଥିବା ବେଳେ ଅନ୍ୟପଟେ ଅଧିକାରୀମାନେ ହାତଗୁଞ୍ଜା ନେଇ କିଣାବିକା ଚଳାଇଥିଲେ। ସରକାର ମୋଟା ଅଙ୍କର ରାଜସ୍ବ ହରାଉଥିବା ବେଳେ ଏହି ସବୁ ଅଧିକାରୀମାନେ ହାତ ଚିକ୍କଣ କରୁଥିଲେ। ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ମହିଳା ଅଧିକାରୀ ହାତଗୁଞ୍ଜା ନେବାବେଳେ ଭିଜିଲାନ୍‌ସ୍‌ ହାତରେ ଧରାପଡ଼ିବା ପରେ ଏହା କାରବାର ଉପରୁ ପରଦା ହଟିଥିଲା। ରାଜ୍ୟ ସରକାର ଏହା ଉପରେ ରିପୋର୍ଟ ତଲବ କରିଥିଲେ। ୨୦୨୨ ମସିହାରୁ ୨୦୨୪ ମସିହା ମଧ୍ୟରେ ଦୁଇ ବର୍ଷରେ ୨୨ହଜାର ୧୫୦ ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ହୋଇଥିଲା। ଜଟଣୀ, ଭୁବନେଶ୍ବର, ଖଣ୍ଡଗିରି, ଖୋର୍ଦ୍ଧା, ବାଲିପାଟଣା, ବାଲିଅନ୍ତା ପ୍ରଭୃତିର ତତ୍‌କାଳୀନ ସବ୍‌ରେଜିଷ୍ଟ୍ରାରମାନେ ନିୟମକାନୁନ୍‌, କଟକଣାକୁ ଜଳାଞ୍ଜଳି ଦେଇ ଏଭଳି କାରବାର କରିଥିବା ୩୧ ଜଣ ସବ୍‌ରେଜିଷ୍ଟ୍ରାରଙ୍କ ତାଲିକା ସରକାରଙ୍କ ପାଖରେ ପହଞ୍ଚିଛି। ପାର୍ଟ ପ୍ଲଟ୍‌ କଟକଣା ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଅଭିଯୁକ୍ତ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.