ବେସନ ସହିତ କମଳା ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରି ମୁହଁରେ ଲଗାନ୍ତୁ। ଏହି ଫେସ୍‌ ପ୍ୟାକ୍‌ ତିଆରି କରିବା ନିମନ୍ତେ ୨ ଚାମଚ କମଳା ରସରେ ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାନ୍ତୁ। ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ମୁହଁରେ ଲଗାନ୍ତୁ। ଏହାପରେ ଧୀରେ ଧୀରେ ମସାଜ୍‌ କରି ଧୋଇଦିଅନ୍ତୁ। ଅଧିକ ସମୟ ଖରାରେ ରହି ସ୍କିନ୍‌ ଟାନିଂ ହୋଇଥିଲେ ଏହି ଫେସ୍‌ ପ୍ୟାକ୍‌ ବେଶ୍‌ ଲାଭ ଦେଇଥାଏ। ନଡ଼ିଆତେଲ ଓ କମଳା ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁର ଉଜ୍ଜ୍ୱଳତା ବଢ଼ାଇଥାଏ। ତ୍ୱଚା ଅତ୍ୟଧିକ ଶୁଷ୍କ ହୋଇଥିଲେ ଏହି ପ୍ୟାକ୍‌ ଅତ୍ୟନ୍ତ ଭଲ। ଏଥିପାଇଁ ୧ ଚାମଚ ନଡ଼ିଆ ତେଲରେ ୧ ଚାମଚ କମଳା ରସ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୧ ଘଣ୍ଟାରୁ ଅଧିକ ସମୟ ରଖିପାରିବେ। ସପ୍ତାହକୁ ୨ ଥର ଏହି ପ୍ୟାକ୍‌ ଲଗାଇଲେ ତ୍ୱଚାର ଶୁଷ୍କତା କମ୍‌ ହେବା ସହିତ ତ୍ୱଚା ସୁନ୍ଦର ଓ ଚିକ୍କଣ ହେବ।

ସେହିପରି ହଳଦୀ ଓ କମଳା ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁକୁ ସୁନ୍ଦର କରିଥାଏ। ଏହି ପ୍ୟାକ୍‌ ତିଆରି କରିବା ନିମନ୍ତେ କମଳା ଚୋପାକୁ ଶୁଖାଇ ଗୁଣ୍ଡକରି ରଖନ୍ତୁ। ୧ ଚାମଚ କମଳା ଚୋପାର ଗୁଣ୍ଡ ସହ ୧ ଚାମଚ ଗୋଲାପ ଜଳ ଓ ଅଳ୍ପ ହଳଦୀ ନେଇ ଭଲଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପେଷ୍ଟ୍‌ ଅଧିକ ଗାଢ଼ ହୋଇଥିଲେ ସେଥିରେ ପାଣି ମିଶାଇ ପାରିବେ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ରୁ ୨୦ ମିନିଟ୍‌ ରଖି ଧୋଇ ଦିଅନ୍ତୁ। ସପ୍ତାହକୁ ଅତି କମ୍‌ରେ ୨ ଥର ଏହି ମିଶ୍ରଣକୁ ଲଗାଇଲେ ମୁହଁରେ ଥିବା ସମସ୍ତ ଦାଗ, ଟାନିଂ ଓ ବ୍ରଣ ସମସ୍ୟା ଦୂରହୋଇ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ। କମଳା ଚୋପାକୁ ଶୁଖାଇ ଗୁଣ୍ଡକରି ସେଥିରେ ସମାନ ମାତ୍ରାରେ ମୁଲତାନୀ ମାଟି ଓ ଗୋଲାପ ଜଳ ମିଶାଇ ପେଷ୍ଟ୍‌ ତିଆରି କରନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ଅଧଘଣ୍ଟାରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ସେମିତି ଛାଡ଼ିଦିଅନ୍ତୁ। ଗୋଲାକାର ଭାବେ ମସାଜ୍‌ କରି ଏହାକୁ ଧୋଇଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ଲଗାଇଲେ ତ୍ୱଚା ସୁନ୍ଦର ଦେଖାଯିବ।