Breaking News

କମିଲା ବିକାଶର ଗତି: ଜୁଲାଇ-ସେପ୍ଟେମ୍ବର ଜିଡିପି ଅଭିବୃଦ୍ଧି ୫.୪%

ଅର୍ଥନୀତିଜ୍ଞମାନଙ୍କ ପୂର୍ବାନୁମାନ ସତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ମଧ୍ୟରେ ବିକାଶର ଗତି ହ୍ରାସ ପାଇଛି। ଯେଉଁ ହାରରେ ଅର୍ଥନୀତି ଦୌଡ଼ୁଥିଲା ତାହା ଧୀମା ପଡ଼ିଛି।

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞମାନଙ୍କ ପୂର୍ବାନୁମାନ ସତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ମଧ୍ୟରେ ବିକାଶର ଗତି ହ୍ରାସ ପାଇଛି। ଯେଉଁ ହାରରେ ଅର୍ଥନୀତି ଦୌଡ଼ୁଥିଲା ତାହା ଧୀମା ପଡ଼ିଛି। ଏହି ସମୟରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୫.୪ ପ୍ରତିଶତକୁ ଖସିଆସିଛି। ବର୍ଷକ ପୂର୍ବେ ଏହି ସମୟରେ ଅଭିବୃଦ୍ଧି ୮.୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଅଭିବୃଦ୍ଧି ଦୁଇ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଘରୋଇ ଉପଯୋଗିତା କମ୍ ରହିବା, ସରକାରୀ ସ୍ତରରେ ବ୍ୟୟ ହ୍ରାସ ଓ ପାଣିପାଗର ଖରାପ ସ୍ଥିତି ଲାଗି ଅଭିବୃଦ୍ଧି କମ୍ ହେବ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ।

ଏହି ବଡ଼ ଝଟ୍‌କା ଭିତରେ ଏକ ଖୁସି ଖବର ହେଉଛି କୃଷି ଅଭିବୃଦ୍ଧି ତ୍ବରାନ୍ବିତ ହୋଇଛି। ବାର୍ଷିକ ଭିତ୍ତିରେ କୃଷି ଅଭିବୃଦ୍ଧି ୧.୭ ପ୍ରତିଶତରୁ ବୃଦ୍ଧି ପାଇ ୩.୫ ପ୍ରତିଶତ ହୋଇଛି। ଜିଡିପି ଅଭିବୃଦ୍ଧିର‌ ବେଗ ମନ୍ଥର ହୋଇଥିଲେ ମଧ୍ୟ ବିଶ୍ବର ଅନ୍ୟ ସବୁ ଦେଶ ତୁଳନାରେ ଭାରତ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାର ଦେଶ ମାନ୍ୟତାକୁ ବଜାୟ ରଖିଛି। କାରଣ ଏହାର ଦୁଇ ପ୍ରମୁଖର ପ୍ରତିଦ୍ବନ୍ଦ୍ବୀ ଚୀନ୍ ଓ ଜାପାନର ଅଭିବୃଦ୍ଧି କମ୍ ରହିଛି। ସମାନ ସମୟରେ ଚୀନ୍‌ର ଅଭିବୃଦ୍ଧି ହାର ୪.୬% ଥିବା ବେଳେ ଜାପାନର ମାତ୍ର ୦.୯ ପ୍ରତିଶତ ରହିଛି।

ମନ୍ଥର ହେଲା ଅର୍ଥନୀତି
ଦୁଇ ବର୍ଷରେ ସବୁଠୁ କମ୍

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଶୁକ୍ରବାର ଜାରି କରିଥିବା ତଥ୍ୟ ଅନୁଯାୟୀ, ଶେଷ ଥର ୨୦୨୩ର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ହାର ୪.୩ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଥିଲା। ଅନ୍ୟ ସମୟରେ କିନ୍ତୁ ତାହା ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। ଚଳିତ ବର୍ଷର ଏପ୍ରିଲ୍‌-ଜୁଲାଇ ତିନି ମାସରେ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ଥିଲା। ପରବର୍ତ୍ତୀ ତିନି ମାସରେ ତ‌ାହା ଆହୁରି ତଳକୁ ଖସିବା ଚିନ୍ତାର କାରଣ ହୋଇଛି। ଆଲୋଚ୍ୟ ତିନି ମାସ ମଧ୍ୟରେ ଖଣି ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୩ ଜୁଲାଇ-‌ସେପ୍ଟେମ୍ବରରେ ଏହ କ୍ଷେତ୍ର ୧୧.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା। ଚଳିତ ବର୍ଷ ସେହି ସମୟରେ ଅଭିବୃଦ୍ଧି ୦.୧ ବିଯୁକ୍ତ ହୋଇଛି। ବାର୍ଷିକ ଭିତ୍ତିରେ ମାନୁଫାକ୍‌ଚରିଂ (ବିନିର୍ମାଣ) ଅଭିବୃଦ୍ଧି ୧୪.୩ ପ୍ରତିଶତରୁ ୨.୨ ପ୍ରତିଶତକୁ ଖସିଆସିଛି। ବିଦ୍ୟୁତ୍‌ କ୍ଷେତ୍ରର ଅଭିବୃଦ୍ଧି ୧୦.୫ ପ୍ରତିଶତରୁ ହ୍ରାସ ପାଇ ୩.୩ ପ୍ରତିଶତ ‌ହୋଇଛି। ନିର୍ମାଣ ଅଭିବୃଦ୍ଧି ୧୩.୬ ପ୍ରତିଶତରୁ ହ୍ରାସ ପାଇ ୭.୭ ପ୍ରତିଶତ ରହିଯାଇଛି। ବାଣିଜ୍ୟ ଓ ହୋଟେଲ୍‌ କ୍ଷେତ୍ରର ଅଭିବୃଦ୍ଧି ୪.୫ ପ୍ରତିଶତରୁ ବୃଦ୍ଧି ପାଇ ୬ ପ୍ରତିଶତ ହୋଇଛି। ଆର୍ଥିକ ସେବା ଓ ରିଅଲ୍‌ ଇଷ୍ଟେଟ୍‌ ଅଭିବୃଦ୍ଧି ୬.୨ ପ୍ରତିଶତରୁ ସାମାନ୍ୟ ବୃଦ୍ଧି ପାଇ ୬.୭ ପ୍ରତିଶତ ହୋଇଛି। ସାଧାରଣ ପ୍ରଶାସନ ଓ ସେବା କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ୭.୭ ପ୍ରତିଶତରୁ ବୃଦ୍ଧି ପାଇ ୯.୨ ପ୍ରତିଶତ ହୋଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଦେଶର ଜିଡିପି ପରିମାଣ ୧୫୩.୯୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ପୂର୍ବରୁ ତାହା ୧୪୧.୪୦ ଲକ୍ଷ କୋଟି ଟଙ୍କା ଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.