ଅପରାଧଓଡିଶାମହାନଗର

କମିଶନ ପ୍ରଲୋଭନ ଦେଖାଇ ଖୋଲୁଛନ୍ତି ମ୍ୟୁଲ ଆକାଉଣ୍ଟ, ଏକାସଙ୍ଗେ ଧରାପଡ଼ିଲେ ୩ ଭାଇ

ମ୍ୟୁଲ ଆକାଉଣ୍ଟ ଖୋଲିଥିଲେ । ସାଇବର ଠକେଇରେ କରୁଥିଲେ ବ୍ୟବହାର । ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର । ଧରାପଡ଼ିଗଲେ ୩ ଭାଇ । ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବର ୧୨।୩: ଅପରାଧିକ କାର୍ଯ୍ୟକଳାପ ନିମନ୍ତେ ଅପରାଧୀ ମାନଙ୍କ ଦ୍ବାରା ଭୁବନେଶ୍ବରର ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ଖୋଲାଯାଇ ହେଉଥିବା ଅପବ୍ୟବହାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗତ କିଛିଦିନ ଧରି ଚାଲିଛି ଧରପଗଡ ଅଭିଯାନ । ମ୍ୟୁଲ ଆକାଉଣ୍ଟ ଖୋଲିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କ୍ରୀଷ୍ଣା ନାୟକ, ମହେନ୍ଦ୍ର ନାୟକ ଓ ଟୁକୁନା ନାୟକ । ସେମାନଙ୍କ ଠାରୁ ପୋଲିସ ୮ଟି ପାସବୁକ୍, ଏଟିଏମ ଏବଂ ଫୋନ୍ ଜବତ କରିଛି ।

ଏହି ତିନି ଅଭିଯୁକ୍ତଙ୍କ ଦ୍ବାରା ମ୍ୟୁଲ ଆକାଉଣ୍ଟ ଭଗବତୀ ବସ୍ତିର ସନ୍ତୋଷ ଘଡେଇଙ୍କ ନାମରେ ଖୋଲାଯାଇ ସେଥିରେ ୧,୪୮,୨୦୩ ଟଙ୍କାର ନେଣଦେଣ ହୋଇଥିବା ନେଇ କ୍ୟାପିଟାଲ ଥାନା ପୋଲିସ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ପରବର୍ତ୍ତୀ ସମୟରେ ସନ୍ତୋଷ ଘଡେଇଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କିଏ ଏବଂ କିପରି ଖୋଲିଥିଲା ବୋଲି ପଚରା ଯାଇଥିଲା । ସେ କହିଥିଲେ ଯେ, ତାଙ୍କ ଅଞ୍ଚଳର କ୍ରୀଷ୍ଣା ନାୟକ, ମହେନ୍ଦ୍ର ନାୟକ ଏବଂ ଟୁକୁନା ନାୟକ ନାମକ ତିନି ଜଣ ଯୁବକ ତାଙ୍କ ପାଖକୁ ଆସି ତାଙ୍କର ବ୍ୟକ୍ତିଗତ ଡକ୍ୟୁମେଣ୍ଟ ଏବଂ ବିବରଣୀ ଦେବାକୁ କହିଥିଲେ । ସେମାନେ କହିଥିଲେ ଯେ, ତାଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଦେବେ ଏବଂ ସେହି ଆକାଉଣ୍ଟରେ ଯେତେ ବି ଟଙ୍କା ନେଣଦେଣ ହେବ, ସେହି ଟଙ୍କାରୁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ କମିଶନ ଦିଆଯିବ ।

ଏହାପରେ କ୍ରୀଷ୍ଣା ନାୟକ, ତାଙ୍କ ଭାଇ ମହେନ୍ଦ୍ର ନାୟକ ଏବଂ ଟୁକୁନା ନାୟକ ସନ୍ତୋଷ ଘଡେଇଙ୍କର ଡକ୍ୟୁମେଣ୍ଟ ସହ ତାଙ୍କ ଅଞ୍ଚଳର ଅନ୍ୟାନ୍ୟ କିଛି ଲୋକଙ୍କ ଡକ୍ୟୁମେଣ୍ଟ ସଂଗ୍ରହ କରି ଭୁବନେଶ୍ୱର ଅଶୋକ ନଗରର ମାଷ୍ଟର କ୍ୟାଣ୍ଟିନ୍ ନିକଟରେ ଥିବା ୟୁକୋ ବ୍ୟାଙ୍କରେ ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଆକାଉଣ୍ଟ ଖୋଲିବା ପରେ ସେମାନେ ତାଙ୍କର ବ୍ୟାଙ୍କ ପାସବୁକ୍ ଓ ଏଟିଏମ କାର୍ଡ ମଧ୍ୟ ନିଜ ହେପାଜତରେ ରଖିଥିଲେ ।

ପରବର୍ତ୍ତୀ ସମୟରେ ସନ୍ତୋଷ ଘଡେଇ ଜାଣିବାକୁ ପାଇଥିଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସାଇବର ଠକେଇ ସମ୍ବନ୍ଧୀୟ ଅବୈଧ ଟଙ୍କା ନେଣଦେଣ ପାଇଁ ବ୍ୟବହୃତ ହେଉଛି । ସେ ଆହୁରି କହିଥିଲେ ଯେ ଏହି ପ୍ରକାରରେ ସେମାନେ ତାଙ୍କ ଅଞ୍ଚଳର ଅନ୍ୟାନ୍ୟ ଅନେକ ଲୋକଙ୍କ ନାମରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି । ଏହି ସମସ୍ତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ପ୍ରକୃତ ବ୍ୟାଙ୍କିଙ୍ଗ କାରବାର ପାଇଁ ଖୋଲାଯାଇନଥିଲା, ବରଂ ସାଇବର ଠକେଇ ମାଧ୍ୟମରେ ଆସୁଥିବା ଅବୈଧ ଟଙ୍କା ଗ୍ରହଣ, ଲେୟରିଂ ଓ ବିତରଣ ପାଇଁ ଜାଣିଶୁଣି ପରିଚାଳନା କରାଯାଉଥିଲା । ଏହି ପ୍ରକ୍ରିୟାରେ ତୃତୀୟ ପକ୍ଷ ଦ୍ୱାରା ଠକେଇ ରାଶି ଏହି ଆକାଉଣ୍ଟ ଗୁଡ଼ିକୁ ପଠାଯାଉଥିଲା ଏବଂ ପରେ ସେହି ଟଙ୍କା ଉଠାଇ ନିଆଯାଉଥିଲା । ଏହି କାର୍ଯ୍ୟରେ ଆକାଉଣ୍ଟଧାରୀଙ୍କୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ କମିଶନ ଦିଆଯାଉଥିଲା ।

ତଦନ୍ତ ସମୟରେ ଏକ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଅଭିଯୁକ୍ତ କ୍ରୀଷ୍ଣା ନାୟକ, ମହେନ୍ଦ୍ର ନାୟକ ଓ ଟୁକୁନା ନାୟକଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଉପରୋକ୍ତ ଅପରାଧିକ କାର୍ଯ୍ୟକଳାପ ନେଇ ନିଜର ଦୋଷ ସ୍ୱୀକାର କରିଥିଲେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button