Breaking News

କମୁଛି ମନରେଗା ପାଣ୍ଠି, କାମ ମାଗୁଥିବା ପରିବାର ବି କମିଲେ

କରୋନା ମହାମାରୀ ସମୟରେ ରାସ୍ତାଘାଟ ବନ୍ଦ କରାଯିବା ପରେ ପ୍ରବାସୀ ଶ୍ରମିକମାନେ ନିଜ ଜୀବିକା ହରାଇ ବାସସ୍ଥାନକୁ ଫେରିଆସିଥିଲେ। ସେହି ସମୟରେ ସେମାନଙ୍କ ପାଇଁ ଅଧିକ ସହାୟକ ହୋଇଥିଲା‌ କେନ୍ଦ୍ର ସରକାରଙ୍କ ମହାତ୍ମା....

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରାସ୍ତାଘାଟ ବନ୍ଦ କରାଯିବା ପରେ ପ୍ରବାସୀ ଶ୍ରମିକମାନେ ନିଜ ଜୀବିକା ହରାଇ ବାସସ୍ଥାନକୁ ଫେରିଆସିଥିଲେ। ସେହି ସମୟରେ ସେମାନଙ୍କ ପାଇଁ ଅଧିକ ସହାୟକ ହୋଇଥିଲା‌ କେନ୍ଦ୍ର ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ(ମନରେଗା)। କରୋନା ମହାମାରୀ ଦ୍ବାରା ପ୍ରଭାବିତ ଦୁଇ ବର୍ଷରେ ଏହି ଯୋଜନାରେ କେନ୍ଦ୍ରରୁ ରାଜ୍ୟକୁ ବିପୁଳ ଟଙ୍କା ମିଳିଥିଲା। ମାତ୍ର ପରବର୍ତ୍ତୀ ଦୁଇ ଆର୍ଥିକ ବର୍ଷରେ ତାହା ଅପେକ୍ଷାକୃତ ହ୍ରାସ ପାଇଛି।

ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଦେଇଥିବା ତଥ୍ୟ ଅନୁଯାୟୀ, ମହାମାରୀ ପୂର୍ବବର୍ଷ ଅର୍ଥାତ ୨୦୧୯-୨୦ରେ ମନରେଗା ପାଇଁ ରାଜ୍ୟକୁ କେନ୍ଦ୍ରରୁ ୨୩୪୨.୮୭ କୋଟି ଟଙ୍କା ଦିଆଯାଇଥିଲା। ୨୦୨୦-୨୧ରେ ସେହି ରାଶିକୁ ୫୨୩୯.୫୩ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଥିଲା। ମହାମାରୀର ଦ୍ବିତୀୟ ଲହର ଦ୍ବାରା ପ୍ରଭାବିତ ବର୍ଷ ୨୦୨୧-୨୨ରେ ମଧ୍ୟ ୫୭୧୮.୬୩ କୋଟି ଟଙ୍କା‌ ଦିଆଯାଇଥିଲା। କିନ୍ତୁ, ପରବର୍ତ୍ତୀ ଦୁଇ ଆର୍ଥିକ ବର୍ଷ ଯଥା ୨୦୨୨-୨୩ ଓ ୨୦୨୩-୨୪ରେ ମନରେଗା ବାବଦ ପାଣ୍ଠି ଯଥାକ୍ରମେ ୪୭୩୪.୪୮ କୋଟି ଟଙ୍କା ଓ ୪୯୪୦.୦୩ କୋଟି ଟଙ୍କାକୁ ହ୍ରାସ ପାଇଛି। କେବଳ ପାଣ୍ଠି ନୁହେଁ, ମନରେଗାରେ କାମ ମାଗୁଥିବା ପରିବାର ସଂଖ୍ୟା ମଧ୍ୟ କମ୍ ହେବାରେ ଲାଗିଛି। ୨୦୧୯-୨୦ରେ ୨୫ ଲକ୍ଷ ୭୭ ହଜାର ୨୫୬ ପରିବାର ମନରେଗାରେ କାମ ମାଗିଥିଲେ।

ସେଥିରୁ ୧,୬୦,୭୨୯ଟି ପରିବାରକୁ ବର୍ଷକୁ ୧୦୦ ଦିନର କାମ ଦିଆଯାଇଥିଲା। ୨୦୨୦-୨୧ରେ କାମ ମାଗିଥିବା ପରିବାର ସଂଖ୍ୟା ୪୪ ଲକ୍ଷ ୫୮ ହଜାରକୁ ବୃଦ୍ଧି ପାଇଥିଲା। ସେହିବର୍ଷ ୪,୧୭,୪୪୬ ପରିବାରକୁ ୧୦୦ ଦିନର କାମ ଦିଆଯାଇଥିଲା। ୨୦୨୧-୨୨ରେ କାମ ମାଗିଥିବା ପରିବାର ସଂଖ୍ୟା ୪୦ ଲକ୍ଷ ୬୬ ହଜାରକୁ ଖସିଯାଇଥିଲା। ସେହିପରି, ୨୦୨୨-୨୩ରେ କାମ ମାଗିଥିବା ପରିବାର ସଂଖ୍ୟା ୩୭ ଲକ୍ଷ ୭୮ ହଜାରକୁ ଓ ୨୦୨୩-୨୪ରେ ୩୫ ଲକ୍ଷ ୨୭ ହଜାରକୁ ଖସିଥିଲା। ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ର ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ତଥ୍ୟ ଦେଇ ମନ୍ତ୍ରୀ ଶ୍ରୀ ନାଏକ ଜଣାଇଛନ୍ତି ଯେ ୨୫ ଲକ୍ଷ ୧୩ ହଜାର ୪୩୪ ପରିବାର ମନରେଗାରେ କାମ ମାଗିଛନ୍ତି। ସେଥିରୁ ୧,୬୨,୫୨୨ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.