Breaking News

କର୍ପୋରେସନ ବୈଠକ: ଯାନବାହନ ଟେଣ୍ଡର ପ୍ରସଙ୍ଗ, ବାବୁ ଦେଲେ ବାବୁଙ୍କୁ ସୁରକ୍ଷା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ଗତମାସରେ ମୁଲତବୀ ହୋଇଥିବା ବୈଠକ ଆଜି ବସିଥିଲା। େହଲେ ଏହି ବୈଠକରେ ଭୁବନେଶ୍ବରର ବିକାଶ ପାଇଁ କମ୍ ଆଲୋଚନା ହୋଇଛି, ବରଂ ହୋହଲ୍ଲା ଓ ଦୋଷ ଖୋଜାରେ ବେଶି ସମୟ ଯାଇଛି।

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ଗତମାସରେ ମୁଲତବୀ ହୋଇଥିବା ବୈଠକ ଆଜି ବସିଥିଲା। େହଲେ ଏହି ବୈଠକରେ ଭୁବନେଶ୍ବରର ବିକାଶ ପାଇଁ କମ୍ ଆଲୋଚନା ହୋଇଛି, ବରଂ ହୋହଲ୍ଲା ଓ ଦୋଷ ଖୋଜାରେ ବେଶି ସମୟ ଯାଇଛି। ପ୍ରଥମେ ଗାଡ଼ି ଟେଣ୍ଡର ପ୍ରସଙ୍ଗରେ କର୍ପୋରେଟରମାନେ ଘଣ୍ଟାଏ କାଳ ଗର୍ଜନତର୍ଜନ କଲେ। ପରେ ୩୭ ନମ୍ବର ଵାର୍ଡ ଶୌଚାଳୟ ଫଳକ କାଳି ବୋଳା ଘଟଣାରେ ଆଉ ଦେଢ ଘଣ୍ଟା ପାଟିତୁଣ୍ଡ କରି ଗୁରୁତ୍ବପୂର୍ଣ୍ଣ ସମୟ ନଷ୍ଟ କରିଦେଲେ। ବଳକା ସମୟ ତାଳିପକା, ଅଳ୍ପ କିଛି ନିୟମିତ କାର୍ଯ୍ୟ ପ୍ରସଙ୍ଗ ଆଲୋଚନାରେ ସରିଗଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ବହୁ ଚର୍ଚ୍ଚିତ ଯାନବାହନ ଟେଣ୍ଡର କେଳେଙ୍କାରୀ ଘଟଣାରେ ଦାୟିତ୍ବରେ ଥିବା ଅଶୋକ କୁମାର ଲେଙ୍କାଙ୍କୁ ଗତ ୧୩ ତାରିଖରେ ଦାୟିତ୍ବରୁ ମୁକ୍ତ କରାଯାଇଥିଲା। ସମସ୍ତେ ଭାବିଥିଲେ ଯେ ଏହି କେଳେଙ୍କାରୀ ଘଟଣାରେ କିଛି ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବ। ହେଲେ ଆଜି ଯେବେ ବୈଠକରେ ରିପୋର୍ଟ ଉପସ୍ଥାପନ ହେଲା, ତଦନ୍ତକାରୀ ବାବୁ କେଳେଙ୍କାରୀ ଧରିବା ପରିବର୍ତ୍ତେ ଦାୟିତ୍ବରେ ଥିବା ଶ୍ରୀ ଲେଙ୍କାଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ କ୍ଲିନ୍‌ଚିଟ୍ ଦେଇଥିବା ଦେଖାଗଲା। ଅର୍ଥାତ୍ କେବଳ ଶ୍ରୀ ଲେଙ୍କାଙ୍କ ବଦଳିରେ କେଳେଙ୍କାରୀ ପ୍ରସଙ୍ଗକୁ ବିଏମ୍‌ସିର ବଡ଼ ବାବୁମାନେ ଫୁ କରି ଉଡ଼ାଇ ଦେବାକୁ ଚେଷ୍ଟା କରିଛନ୍ତି।

ଏସବୁ କିନ୍ତୁ କର୍ପୋରେଟରମାନଙ୍କର ହଜମ ହୋଇନି। ସେମାନେ ଆଜି ଅଧିକାରୀଙ୍କୁ ପ୍ରଶ୍ନବାଣରେ ଅତିଷ୍ଠ କରିଦେଇଥିଲେ। ସିଧା ସିଧା ପଚାରିଥିଲେ ଯେ କାହିଁକି ଟେଣ୍ଡର ଏଯାଏଁ ବାତିଲ୍ ହୋଇନି, ଆଗ କୁହ। ଏହାକୁ ନେଇ ବାଦାନୁବାଦ ଉଗ୍ର ରୂପ ନେବାରୁ ନିଷ୍ପତ୍ତି ହେଲା ଯେ ସଂପୃକ୍ତ ଠିକା ସଂସ୍ଥାର ବିଲ୍ ଏବେ ପୈଠ ହେବ ନାହିଁ। ଗୋଟିଏ କମିଟି ଗଠନ ହେବ। କମିଟିରେ ମେୟର, କମିସନର, କର୍ପୋରେଟର ଓ ସିଟି ଇଞ୍ଜିନିୟର ରହିବେ। ମାସ ଶେଷ ସୁଦ୍ଧା ସେମାନେ କିଛି ଗୋଟାଏ ଠୋସ୍ ନିଷ୍ପତ୍ତି ନେବେ। ଏହି କେଳେଙ୍କାରୀ ମିଥ୍ୟା ପ୍ରମାଣିତ ହେଲେ ପଦରୁ ଇସ୍ତଫା ଦେବାକୁ ‌ଘୋଷଣା କରିଥିବା କର୍ପୋରେଟର ନୃପେଶ ନାୟକ ମଧ୍ୟ ଆଉ ପାଦେ ଆଗକୁ ଯାଇ କହିଥିଲେ ଯେ ସେ ତିନି ଦିନ ସମୟ ନେଉଛନ୍ତି। ଏହି ରିପୋର୍ଟର ପୁନଃ ସମୀକ୍ଷା କରି ଜଣାଇବେ। ସେହିଭଳି ଶୌଚାଳୟ ଉଦ୍‌ଘାଟନ ଫଳକରେ ବିଧାୟକଙ୍କ ନାମ ଉପରେ କଳା ବୋଳିବା ପ୍ରସଙ୍ଗରେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ୍‌ କ୍ଷମା ମାଗନ୍ତୁ ବୋଲି କେତେଜଣ କର୍ପୋରେଟର ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଥିଲେ। ମେୟର ଯେବେ ସମ୍ପୃକ୍ତ କର୍ପୋରେଟରମାନଙ୍କୁ ସମର୍ଥନ କଲେ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏପରିକି ଜଣେ ବିଜେପି କର୍ପୋରେଟର ‘ମଧ୍ୟ ବିଧାୟକ ହାଏ ହାଏ’ ବୋଲି କହିବାରୁ ଏହି ପ୍ରସଙ୍ଗ ଭୟଙ୍କର ରୂପ ନେଇଥିଲା। ଶେଷରେ କଳାବୋଳାକୁ ନେଇ ଥାନାରେ ଏତଲା ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା କର୍ପୋରେସନ ବୈଠକରେ କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ରତ୍ନାକର ସାହୁ ଓ ସସ୍ମିତା ସାହୁ ମଞ୍ଚାସୀନ ଥିଲେ। ଏଥିରେ ହୋଇଥିବା ନିଷ୍ପତ୍ତି ମୁତାବକ, କ୍ୟାପିଟାଲ ହସ୍‌ପିଟାଲ ଫେରାଇ ଦେଇଥିବା ଆମ୍ବୁଲାନ୍ସ ବିଏମ୍‌ସି ହସପିଟାଲରେ ରହିବ। ବିଭିନ୍ନ ରାସ୍ତାରୁ ହଟାଯାଇଥିବା ଉଠାଦୋକାନୀଙ୍କୁ ସେହି ଵାର୍ଡରେ ବ୍ୟବସାୟ କରିବା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରତି ଵାର୍ଡରେ ଜମି ଚିହ୍ନଟ କରିବେ କର୍ପୋରେଟର। ଯେଉଁ ସ୍ଥାନରେ ସେମାନେ ବସିଥିଲେ ସେ ଜାଗାରେ ଆଉ ବସିପାରିବେ ନାହିଁ। ଅନ୍ୟ ରାସ୍ତାରୁ ମଧ୍ୟ ଉଠାଦୋକାନୀ ହଟିବେ। ସେମାନଙ୍କ ପାଇଁ ସଂପୃକ୍ତ ଵାର୍ଡର ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରାଯିବ। ପ୍ରତି ଵାର୍ଡରେ ହେବାକୁ ଥିବା ନେବରଉଡ୍ ମାର୍କେଟରେ ମଧ୍ୟ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବ। ଯେପରି ଆଉ ନୂଆ ଦୋକାନ ନଖୋଲେ, ସେଥିପ୍ରତି ନଜର ରଖିବେ କର୍ପୋରେଟର। ଯେଉଁମାନେ ପୂର୍ବରୁ ଦୋକାନ କରିଥିଲେ ସେମାନଙ୍କର ଫଟୋଗ୍ରାଫ୍‌ ରେକର୍ଡ ହୋଇଛି। ସେମାନଙ୍କୁ କେବଳ ଥଇଥାନ କରାଯିବ। ସେହିଭଳି ଵାର୍ଡ ଅଫିସର ଓ ସାନିଟାରି ଇନ୍ସପେକ୍ଟରମାନଙ୍କୁ ପ୍ରତି ଦୁଇ ବର୍ଷରେ ଅନ୍ୟ ଵାର୍ଡକୁ ବଦଳି କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଗର୍ଜିଲେ କର୍ପୋରେଟର, ଗଠନ ହେଲା କମିଟି
ସାମ୍ନାକୁ ଆସିଲା ଆଉ ଏକ କେଳେଙ୍କାରୀ
ଅନ୍ୟ ଗାଡ଼ି ନମ୍ବରରେ ବିଲ୍ ହୋଇଛି
ଉଠାଦୋକାନୀ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି

ଜେସିବି ଘରେ, ବିଲ୍‌ କରୁଛି ବିଏମ୍‌ସି
ଗାଡ଼ି ଟେଣ୍ଡରକୁ ନେଇ ହୋ ହଲ୍ଲା ଚାଲିଥିବା ବେଳେ ଆଉ ଏକ ଭୟଙ୍କର କଥା ସାମନାକୁ ଆସିଥିଲା। ବିଏମ୍‌ସିରେ ଭଡ଼ାରେ ଲାଗିଥିବା ଗାଡ଼ି ଭଡ଼ା ବାବଦକୁ ଠିକା ସଂସ୍ଥା ବିଏମ୍‌ସିରେ ବିଲ୍‌ ଦାଖଲ କରିଛି। ଏଥିରେ ୫ଟି ହାଇଡ୍ରା ଓ ୪ଟି ଜେସିବିର ଭଡ଼ା ୨ଲକ୍ଷ ୧୦ ହଜାର ୧୮୧ଟଙ୍କା ଦର୍ଶାଯାଇଛି। କୌତୁହଳ କଥା ହେଉଛି, ଏଥିରେ ଏକ ଜେସିବି(ଓଡି ୦୨ ୟୁ ୨୨୦୩) ୨୦ ଘଣ୍ଟା କାମ କରିଥିବା ଦର୍ଶାଇ ଭଡ଼ା ବାବଦକୁ ୨୬ ହଜାର ଟଙ୍କା ଦାବି କରାଯାଇଛି। କିନ୍ତୁ ଏହି ଜେସିବି ବିଏମ୍‌ସିରେ ଭଡ଼ାରେ ଲାଗିନାହିଁ ବୋଲି ମାଲିକ ଅଭିଯୋଗ କରିଛନ୍ତି। ଶିବ ପ୍ରସାଦ ଜେନା କହିଛନ୍ତି, ‘ଏହି ଜେସିବି ମୋ ପତ୍ନୀ ରଶ୍ମିତା ଜେନାଙ୍କ ନାମରେ ରହିଛି। ଏହା ବିଏମ୍‌ସିରେ ଭଡ଼ାରେ ଲାଗୁନାହିଁ। କିନ୍ତୁ ବିଲ୍‌ ହୋଇଥିବା ଜାଣିବା ପରେ ମୁଁ ଅଭିଯୋଗ କରିଛି। ଆବଶ୍ୟକ ପଡ଼ିଲେ ମାମଲା କୋର୍ଟକୁ ନେବି।’ ଏଭଳି ଅଭିଯୋଗ ପରେ ପ୍ରଶ୍ନ ଉଠିଛି କି ଏହି ଗୋଟିଏ ଗାଡ଼ି ନା ଏଭଳି ଶହ ଶହ ଗାଡ଼ି ବିନା କାମରେ ବିଲ୍‌ କରି ନିଆଯାଉଛି? ‌ତେବେ ତଦନ୍ତ ନ ସରିବା ଯାଏ ବିଲ୍‌ ପାସ୍‌ ନ ହେବାକୁ କର୍ପୋରେସନ ନିଷ୍ପତ୍ତି ନେଇଛି।

ଅଶୋକ ଲେଙ୍କାଙ୍କ ବଦଳି
ବିଏମ୍‌ସିର ଗାଡ଼ି ଦାୟିତ୍ବରେ ଥିବା ଡେପୁଟି କମିସନର ଅଶୋକ ଲେଙ୍କାଙ୍କଠାରୁ ୧୩ ତାରିଖରେ ରାତି ଅଧିଆ ଗାଡ଼ି ଦାୟିତ୍ବ କାଢ଼ି ନିଆଯାଇଥିବା ବେଳେ ଆଜି ତାଙ୍କର ବିଏମ୍‌ସିରୁ କଟକ ମହାନଗର ନିଗମକୁ ବଦଳି ହୋଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ବିଜ୍ଞପ୍ତିରେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

ଅନ୍‌ଲାଇନ୍‌ ଦେୟ ଦାଖଲ ପାଇଁ ବୁଝାମଣା

ଭୁବନେଶ୍ୱର: ମୋବାଇଲ ହ୍ୱାଟ୍ସଆପ୍ ଚାର୍ଟବୋଟ୍ ଜରିଆରେ ଏଣିକି ହୋଲ୍ଟି ଟାକ୍ସ, ଘର ଭଡା, ଦୋକାନଘର ଭଡା, ଆଦି ସମସ୍ତ ଟିକସ ଓ ରାଜସ୍ବ ପୈଠ ହେବ। କେବଳ ସେତିକି ନୁହେଁ, ବରଂ ଏହି ପ୍ଲାଟ୍‌ଫର୍ମରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିହେବ। ଏମରଟେକ୍ ଆର୍ ଏନ୍ ଡି ସଲ୍ୟୁସନ ପ୍ରାଇଭେଟ୍ ଲିମିଟେଡ୍ ଏହି ସଫ୍ଟଵର ପ୍ରସ୍ତୁତ କରୁଛି। ଏଥିପାଇଁ ଆଜି ବିଏମ୍‌ସିରେ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ସହ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଆପ୍‌ ଜରିଆରେ ଲୋକମାନେ ନିଜ ଘର ନମ୍ବର କିମ୍ବା ଦୋକାନର ହୋଲ୍ଡିଂ ନମ୍ବର ଲେଖିଲେ, କେତେ ଦିନ ହେଲା ଟିକସ ବା ଭଡା ଦେଇ ନାହାନ୍ତି, କେତେ ଟଙ୍କା ଦେବାକୁ ହେଉଛି, କାହା ପାଖକୁ ପଠାଇବାକୁ ପଡିବ ଆଦି ସମସ୍ତ ତଥ୍ୟ ପାଇବେ। ଏହା ମଧ୍ୟ ସେହି ହ୍ୱାଟ୍ସଆପ୍ ଚାର୍ଟବୋଟ୍‌ରେ ରହିବ। ଆସନ୍ତା ଫେବ୍ରୁଆରିରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ଏପରି ବ୍ୟବସ୍ଥା ଲାଗୁ କରିବାରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହେବ ବୋଲି କୁହାଯାଇଛି। ଚୁକ୍ତିନାମା ସ୍ବାକ୍ଷରିତ ହେବାବେଳେ ସମସ୍ତ କର୍ପୋରେଟରଙ୍କ ସହ ମେୟର ସୁଲୋଚନା‌ ଦାସ, କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ଅଜୟ କୁମାର ମହାନ୍ତି, ଇଣ୍ଡସଇଣ୍ଡ୍ ବ୍ୟାଙ୍କ ରାଜ୍ୟ ମୁଖ୍ୟ ଅରୂପ ମହାପାତ୍ର, ଆଞ୍ଚଳିକ ମୁଖ୍ୟ ପ୍ରଶାନ୍ତ ଗୌଡ, ରାଜ୍ୟ ବୈଷୟିକ ମୁଖ୍ୟ ଶୁଭାଶିଷ ସାହୁ, ଏମରଟେକ୍ ସଲ୍ୟୁସନର ମୁଖ୍ୟ ସନ୍ତୋଷ ରେଡ୍ଡୀ, ବ୍ୟାଙ୍କ ଉପସଭାପତି ଶୁଭକାନ୍ତ ଶତପଥୀ ଓ ଦେବକାନ୍ତ ସାମଲ ଉପସ୍ଥିତ ଥିଲେ। ୨୦୨୦ ମସିହାରେ ବିଏମ୍‌ସି ଏଭଳି ଅନ୍‌ଲାଇନ୍‌ ବ୍ୟବସ୍ଥା କରିଥିଲା। ହେଲେ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଜାଣିଜାଣି କର୍ମଚାରୀମାନେ ଗ୍ରହଣ କରିନଥିବା ଅଭଯୋଗ ହୋଇଥିଲା। ୨୦୨୨ ମସିହାରେ ୱାର୍ଡ ଅଫିସରଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ତଥାପି ରାଜସ୍ବ ଶତପ୍ରତିଶତ ଆଦାୟ ହୋଇ ପାରିଲା ନାହିଁ। ୱାର୍ଡ ଅଫିସର ଘରେ ଘରେ ବୁଲି ଆଦାୟ କରିବାକୁ ଯୋଜନା ହୋଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.