Breaking News

କଲମ ଅଟକିଗଲା

‘‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି...’’ ଓ ‘‘କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ...’’ (ସଉତୁଣୀ) ଆଦି ଆଜି ମଧ୍ୟ ଲୋକଙ୍କ ଓଠରେ ରହିଥିବା ଗୀତର ଲେଖକ ବୃନ୍ଦାବନ ଜେନା ମୂଳତଃ ଗୀତିକାର ଭାବେ ସାଧାରଣରେ...

‘‘ଏମିତି ରାତି ଏ ଯେ ଅଭୁଲା ସ୍ମୃତି…’’ ଓ ‘‘କାଉ ଧାନ ଖାଇଲା ବୋଲି ମାଇଲୁ ମୋତେ…’’ (ସଉତୁଣୀ) ଆଦି ଆଜି ମଧ୍ୟ ଲୋକଙ୍କ ଓଠରେ ରହିଥିବା ଗୀତର ଲେଖକ ବୃନ୍ଦାବନ ଜେନା ମୂଳତଃ ଗୀତିକାର ଭାବେ ସାଧାରଣରେ ପରିଚିତ ହେଉଥିଲେ ହେଁ ଅନେକ କ୍ଷେତ୍ରରେ ସକ୍ରିୟ ରହିଥିଲେ। ୧୯୪୪ ମସିହାରେ ଅବିଭକ୍ତ କଟକ ଜିଲ୍ଲାର ପାଟକୁରାସ୍ଥ ଚାଞ୍ଚୋଳରେ ଜନ୍ମିତ ଶ୍ରୀ ଜେନା ଥିଲେ ଏକାଧାରରେ ଗୀତିକାର, କଥାକାର, ନାଟ୍ୟକାର, ଗୀତି ସାହିତ୍ୟ ଗବେଷକ ତଥା ଫିଲ୍ମ ନିର୍ଦ୍ଦେଶକ। ସମ୍ବଲପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗରୁ ୧୯୭୩ରେ ସେ ସ୍ବର୍ଣ୍ଣପଦକ ସହିତ ସ୍ନାତକୋତ୍ତର ପାସ୍‌ କରିଥିଲେ। ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା ଓ ଇଂରେଜୀ ଭାଷାରେ ସେ ଦକ୍ଷ ଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ସେ ୩ ବର୍ଷ କାଳ ସାମୟିକ ଘୋଷକ ଭାବେ କାମ କରିଥିଲେ। ଶ୍ରୀ ଜେନା ୧୯୬୫ ମସିହାରୁ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। କେବଳ ସେତିକି ନୁହେଁ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ନାଟକ ଶିଳ୍ପୀ ତଥା ନାଟ୍ୟକାର ମଧ୍ୟ ଥିଲେ। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ପ୍ରଦତ୍ତ ସିନିଅର୍ ଫେଲୋସିପ୍‌ ମଧ୍ୟ ଲାଭ କରିଥିଲେ। ଆକାଶବାଣୀ ପାଇଁ ଗୀତ ଲେଖିବା ସହିତ ଅନେକ ବେତାର ନାଟକ ଓ ସଙ୍ଗୀତ ରୂପକ ଆଦି ମଧ୍ୟ ସେ ଲେଖିଥିଲେ। ସେ ଯେଉଁ ଫିଲ୍ମଗୁଡ଼ିକ ପାଇଁ ଗୀତ ରଚନା କରିଥିଲେ, ତା’ ଭିତରେ ‘ଘରସଂସାର’, ‘ଧରିତ୍ରୀ’, ‘ଅଶାନ୍ତଗ୍ରହ’, ‘ଅମରପ୍ରେମ’, ‘ବନ୍ଧୁ ମହାନ୍ତି’, ‘ପତିପତ୍ନୀ’, ‘ପରିବାର’, ‘କୁଳଚନ୍ଦ୍ରମା’, ‘ଜନ୍ମଦାତା’, ‘ଅଲିଭା ଦାଗ’, ‘ସଉତୁଣୀ’, ‘ବାଟ ଅବାଟ’ ଓ ‘ଶାସ୍ତି’ ସ୍ମରଣୀୟ। କେବଳ ଗୀତ ରଚନା ନୁହେଁ, ଫିଲ୍ମ ନିର୍ଦ୍ଦେଶନାରେ ମଧ୍ୟ ସେ ଦକ୍ଷ ଥିଲେ। ସହନିର୍ଦ୍ଦେଶକ ଭାବେ ‘ଅଶାନ୍ତ ଗ୍ରହ’, ‘ଅମର ପ୍ରେମ’, ‘ପତିପତ୍ନୀ’, ‘କୁଳ ଚନ୍ଦ୍ରମା’ ଓ ‘ପରିବାର’ ଆଦି ଫିଲ୍ମରେ କାମ କରିବା ସହିତ ସେ ଦୁଇଟି ଫିଲ୍ମ ‘ବାଟ ଅବାଟ’ ଓ ‘ଶାସ୍ତି’ର ନିର୍ଦ୍ଦେଶନା ଦେଇଥିଲେ।

ଜଣେ ଲେଖକ ଭାବେ ମଧ୍ୟ ଶ୍ରୀ ଜେନା ଭଲ ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ଲିଖିତ ଗୀତିଗ୍ରନ୍ଥଗୁଡ଼ିକ ଭିତରେ ରହିଛି ‘ସ୍ମୃତିରୁ ସାଉଁଟା କିଛି’, ‘ମନପକ୍ଷୀ ଝୁରେ’, ‘ପ୍ରଭୁ ତୁମେ ପରଂବ୍ରହ୍ମ’, ‘ପ୍ରୀତି ସ୍ମୃତି ହୋଇ ଫେରିଆସେ’, ‘ନାମ ଦର୍ପଣ’, ‘ଜନ୍ମଭୂମି ସେ ମରତେ ତୀର୍ଥ’ ଓ ‘ପ୍ରୀତି ଗଙ୍ଗାଜଳ’। ‘ପ୍ରୀତି ସ୍ମୃତି ହୋଇ ଫେରିଆସେ’ ପାଇଁ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ ବେଶ୍‌ କିଛି ପରୀକ୍ଷାଧର୍ମୀ ନାଟକ ମଧ୍ୟ ଲେଖିଥିଲେ, ଯାହା ଭିତରେ ରହିଛି ‘ପୋଷାବାଘ’, ‘ରାଜସାକ୍ଷୀ’, ‘ପାରିଧି’, ‘ବ୍ୟୂହ’, ‘ଅଥଃ ବିବାହ ସମ୍ବାଦମ୍‌’ ଆଦି। ତାଙ୍କର ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ, ଯାହାର ଶୀର୍ଷକ ‘ଅନ୍ୟ ଏକ ତ୍ରିଶଙ୍କୁ’।

ନିକଟ ଅତୀତରେ ଅଳ୍ପଦିନର ବ୍ୟବଧାନରେ ଓଡ଼ିଆ ଫିଲ୍ମ ଜଗତର ଦୁଇଜଣ ଲୋକପ୍ରିୟ ଗୀତିକାରଙ୍କର ପରଲୋକ ଘଟିଛି। ଏଥିସହିତ ଏକାଧିକ ପିଢ଼ିର ରସିକ ଓଡ଼ିଆଙ୍କ ଓଠରେ ଶୋଭା ପାଉଥିବା କିଛି ଅମର ଧାଡ଼ି ଲେଖିଥିବା ଦୁଇଟି କଲମ ସବୁଦିନ ପାଇଁ ଅଟକି ଯାଇଛି। ସେମାନେ ହେଉଛନ୍ତି ବୃନ୍ଦାବନ ଜେନା ଓ ସଂଗ୍ରାମ କେଶରୀ ମହାନ୍ତି।

‘‘ଏଇ ଝୁମା ଝୁମା ଗୋଲାପି ବେଳାରେ…’’ (ଅଭିଳାଷ) ଓ ‘‘କହନା ଏ ଫୁଲ କହନା…’’ (ଫୁଲ ଚନ୍ଦନ) ଭଳି ଚିରସବୁଜ ଗୀତର ଗୀତିକାର ସଂଗ୍ରାମ ମହାନ୍ତିଙ୍କ ଜନ୍ମ ୧୯୪୭ ମସିହାରେ, ବାରିପଦା ସହରରେ। ସେହି ବ‌ାରିପଦା ହିଁ ଥିଲା ତାଙ୍କର ଅାଜୀବନ କର୍ମସ୍ଥଳୀ। ଯୁବାବସ୍ଥାରୁ ସାହିତ୍ୟ ସାଧନା ଆରମ୍ଭ କରି ବେଶ୍‌ କିଛି ବର୍ଷ ଶିକ୍ଷକତା କରିବାପରେ ଇଚ୍ଛାକୃତ ଅବସର ଗ୍ରହଣ କରି ଶ୍ରୀ ମହାନ୍ତି ପୂରା ସମୟ ସାହିତ୍ୟ ଓ କଳା ସାଧନାରେ ମଗ୍ନ ହୋଇଥିଲେ। ୧୯୭୧ ମସିହାରୁ ଆକାଶବାଣୀର ଅନୁମୋଦିତ ଗୀତିକାର ଥିବା ସ୍ବର୍ଗତ ମହାନ୍ତି ଗୀତିକାର ରୂପେ ସାଧାରଣରେ ପରିଚିତ ହେଉଥିଲେ ହେଁ ସାହିତ୍ୟର ଅନ୍ୟ ବିଭାଗରେ ଅତି ଉଲ୍ଲେଖନୀୟ କୃତି ରଖି ଯାଇଛନ୍ତି। ବିଶେ‌ଷକରି ଅନୁବାଦ ସାହିତ୍ୟକୁ ତାଙ୍କର ଅବଦାନ ସ୍ମରଣୀୟ‌। ତାଙ୍କର କାବ୍ୟ ଅନୁବାଦ ଗ୍ରନ୍ଥ ଭିତରେ ରହିଛି ‘ମେଘଦୂତ’, ‘ଶୃଙ୍ଗାର ଶତକ’ ‘ନୀତି ଶତକ’ ଓ ‘ଋତୁସଂହାର’। ସ୍ଥାନୀୟ ଅଞ୍ଚଳରେ ମଞ୍ଚସ୍ଥ ହୋଇଥିବା ଅସଂଖ୍ୟ ନାଟକ ପାଇଁ ସେ ଗୀତ ଲେଖିଥିଲେ। ସେହିପରି ମୟୂରଭଞ୍ଜର ପ୍ରସିଦ୍ଧ ‘ଝୁମର’ ପାଇଁ ମଧ୍ୟ ଅନେକ ଗୀତ ଲେଖିଥିଲେ, ଯାହା ଭିତରୁ କେତୋଟି ପରବର୍ତ୍ତୀ ସମୟରେ କ୍ୟାସେଟ୍‌ ରୂପେ ସଂଗୃହୀତ ହୋଇଥିଲା। ଶ୍ରୀ ମହାନ୍ତି ଅଳ୍ପ କିଛି ଫିଲ୍ମ ପାଇଁ ଗୀତ ଲେଖିଥିଲେ ହେଁ ଜଣେ ହିଟ୍‌ ଗୀତିକାର ଭାବେ ପରିଚିତ। ଯେଉଁ ଫିଲ୍ମଗୁଡ଼ିକରେ ତାଙ୍କ ଗୀତ ସ୍ଥାନ ପାଇଛି, ତା’ ଭିତରୁ ଉଲ୍ଲେଖନୀୟ ହେଉଛି ‘ଫୁଲ ଚନ୍ଦନ’, ‘ଅଭିଳାଷ’, ‘ଗୋପରେ ବଢୁଛି କଳାକହ୍ନାଇ’, ‘ମୋ ମନ ଖାଲି ତୋ’ରି ପାଇଁ’ ଓ ‘ତୁମେ ହିଁ ସାଥୀ ମୋର’ ଆଦି।
ଶ୍ରୀ ମହାନ୍ତି ମଧ୍ୟ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ବାରା ପ୍ରଦତ୍ତ ଫେଲୋସିପ୍‌ ପାଇଥିଲେ। ଜଣେ ସାଂସ୍କୃତିକ ସଂଗଠକ ଭାବେ ମଧ୍ୟ ସେ ଉଲ୍ଲେଖନୀୟ କାମ କରି ଯାଇଛନ୍ତି। ତାଙ୍କରି ଉଦ୍ୟମରେ ବାରିପଦାରେ ନୃତ୍ୟ, ବାଦ୍ୟ, ସଙ୍ଗୀତ ଓ ଚିତ୍ରକଳାର ବିଦ୍ୟାଳୟ ‘ହରିହର କଳାମନ୍ଦିର’ ପ୍ରତିଷ୍ଠା ହୋଇଛି। ଓଡ଼ିଆ ଗୀତିସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବର୍ଗତ ମହାନ୍ତିଙ୍କୁ ସମ୍ମାନଜନକ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଛି।

ନିଜ ସମୟର ପ୍ରେମ, ଭଲ ପାଇବା ଓ ମାନ ଅଭିମାନକୁ ଶବ୍ଦରୂପ ଦେଇଥିବା ଏଇ ଦୁଇ ଗୀତିକାର ଏବେ ଚିରଦିନ ପାଇଁ ନିରବ ହୋଇ ଯାଇଛନ୍ତି, କିନ୍ତୁ ସେମାନେ ଲେଖି ଯାଇଥିବା ଗୀତଗୁଡ଼ିକର ପ୍ରତିଧ୍ବନି କାଳକାଳକୁ ରହିଥିବ ଏବଂ ଲୋକଙ୍କୁ ଆଉ ଟିକିଏ ଭଲ ପାଇବାଲାଗି ପ୍ରେରିତ କରୁଥିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.