Breaking News

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ମାସକ ଭିତରେ ଚାର୍ଜସିଟ୍‌ ଦାଖଲ କଲା ପୋଲିସ

କଟକ,୦୭/୧୨: କଟକରେ ଦଳିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି । ମାମଲା ରୁଜୁର ରେକର୍ଡ ସମୟ ମାତ୍ର ମାସକ ଭିତରେ ପୁଲିସ ଚାର୍ଜସିଟ୍‌ ଦେଇଛି । ସ୍ୱତନ୍ତ୍ର ଏସ୍‌ସି-ଏସ୍‌ଟି କୋର୍ଟରେ ଦାଖଲ ଏହି ଚାର୍ଜସିଟ୍‌ରେ ଗିରଫ ୭ଜଣ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଦିଆଯାଇଛି । ଶହେରୁ ଅଧିକ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ୧୦ରୁ ଅଧିକ ସାକ୍ଷୀ ରହିଛନ୍ତି ।

ବୟାଳିଶମୌଜା ଥାନା ଅଞ୍ଚଳର ଜଣେ ଛାତ୍ରୀ କଟକ ସହରରେ ଥିବା ଏକ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବାଣିଜ୍ୟରେ ପାଠ ପଢ଼ୁଛନ୍ତି। ଛାତ୍ରୀଙ୍କ ଜନ୍ମଦିନରେ ତାଙ୍କର କିଛି ପୁରୁଷ ବନ୍ଧୁ କାଠଗଡ଼ା ସାହିରେ ଥିବା ଏକ କାଫେରେ କେକ୍‌ କାଟିଥିଲେ । ଛାତ୍ରୀଙ୍କୁ ସେଠାରେ ତାଙ୍କ ପୁରୁଷ ବନ୍ଧୁ ତଥା ଝାଞ୍ଜିରୀମଙ୍ଗଳା ବସ୍ତିଆ ବଗିଚାର ଆଶିଷ ଓରଫ ଆଶୁତୋଷ ବେହେରା ଦୁଷ୍କର୍ମ କରିଥିଲା । ଏହି ସମୟର ଦୃଶ୍ୟକୁ ଅନ୍ୟ ଜଣେ ସାଙ୍ଗ ଲୁଚି କରି ଫୋନ୍‌ରେ ରେକର୍ଡ କରିଥିଲା । ପରେ ସେହି ଭିଡିଓକୁ ଦେଖାଇ ବ୍ଲାକ୍‌ମେଲ୍‌ କରି ଅନ୍ୟ ୬ ଅଭିଯୁକ୍ତ ସମ୍ପୃକ୍ତ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ସ୍ଥାନ ଓ ପରେ ପୁଣି ସେହି କ୍ୟାଫେରେ ଗଣବଳାତ୍କାର କରିଥିଲେ ।

ଘଟଣା ନେଇ ଛାତ୍ରୀ ଜଣକ ନଭେମ୍ବର ୪ ତାରିଖରେ ବାଦାମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଝାଞ୍ଜିରୀମଙ୍ଗଳାର ଲକି ଓରଫ ସୁଶିଲ ପ୍ରସାଦ, ଲୁଣିଆ ସାହିର ପପୁନି ଓରଫ ପପୁଲ ବେହେରା, ନୟାଗଡ଼ ଜିଲ୍ଲା ସଦର ଥାନା ବାଲୁଗାଁ ତେଲିସାହିର କାଳିଆ ଓରଫ ପୀତବାସ ସାହୁ ଓ ବାରଙ୍ଗ ଥାନା ବେଲଗଚ୍ଛିଆର ଚନ୍ଦନ ଓରଫ ସୌମ୍ୟରଞ୍ଜନ ସାହୁ ଗିରଫ କରିଥିଲା । ସେହିପରି କାଠଗଡ଼ା ସାହିର ଉକ୍ତ କାଫେର ନାବାଳକ ମାଲିକକୁ ପୁଲିସ ଧରିଥିଲା । ତେବେ ଜଣେ ଅଭିଯୁକ୍ତକୁ ପୀଡ଼ିତା ଚିହ୍ନି ନଥିବାରୁ ତାର ପରିଚୟ ସ୍ପଷ୍ଟ ହୋଇନଥିଲା । ପରେ ପୁଲିସ ଅଧିକ ତଦନ୍ତ କରି ନୟାଗଡ଼ର ବାଦଲ ସାହୁକୁ ଚିହ୍ନଟ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗତ ୧ ତାରିଖ ଦିନ ଗିରଫ କରିଥିଲା । ଏହା ପରେ ପୁଲିସ ତାର ଚାର୍ଜସିଟ୍‌ ଦାଖଲ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହା ମଧ୍ୟରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା ରିପୋର୍ଟ, ସମସ୍ତ ଅଭିଯୁକ୍ତଙ୍କର ମେଡ଼ିକାଲ୍‌ ରିପୋର୍ଟ ଓ ପୀଡ଼ିତା କୋର୍ଟରେ ଦେଇଥିବା ବୟାନର ରେକର୍ଡ ପୁଲିସର ହସ୍ତଗତ ହୋଇଥିଲା ।

ସେହିପରି ଏହି ମାମଲାରେ ବୟାନ ନେଇଥିବା ପ୍ରାୟ ୧୦ରୁ ଅଧିକ ସାକ୍ଷ୍ୟ ରହିଛନ୍ତି । ଏହି ସବୁ ରେକର୍ଡକୁ ଆଧାର କରି ପୁଲିସ ତାର ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଛି । ଶହେ ପୃଷ୍ଠାରୁ ଅଧିକ ଏହି ଚାର୍ଜସିଟ୍‌ରେ ଆଶିଷ ମୁଖ୍ୟ ଅଭିଯୁକ୍ତ ଥିବା ବେଳ ଅନ୍ୟ ୬ ଜଣ ଅଭିଯୁକ୍ତର ସହଯୋଗୀ ଭାବେ ଦର୍ଶାଯାଇଛି । ତେବେ ପୀଡ଼ିତା ଜଣେ ଦଳିତ ହୋଇଥିବାରୁ ମାମଲାର ବିଚାର ସ୍ୱତନ୍ତ୍ର ଏସ୍‌ସି-ଏସ୍‌ଟି କୋର୍ଟରେ ହେବ । ଏହି କୋର୍ଟରେ ତଦନ୍ତକାରୀ ଅଧିକାରୀ ଚାର୍ଜସିଟ୍‌ ଦେଇଛନ୍ତି । ତେବେ ମାମଲା ରୁଜୁ ହେବାର ଠିକ୍‌ ମାସକ ମଧ୍ୟରେ ଏହି ପୁଲିସ ଅଭିଯୋଗଫର୍ଦ୍ଦ ଦାଖଲ କରି ଅଭିଯୁକ୍ତଙ୍କୁ ଉଚିତ୍‌ ସମୟରେ ଦଣ୍ଡିତ କରିବାକୁ ଅଣ୍ଟା ଭିଡ଼ିଥିବା କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ମାମଲାରେ ପ୍ରାଥମିକ ଚାଜ୍‌ସିଟ୍‌ କରାନଯାଇ ଏକାଥରକେ ପୂର୍ଣ୍ଣାଙ୍ଗ ବା ଫାଇନାଲ୍‌ ଚାର୍ଜସିଟ୍‌ ହେବା ଘଟଣାକୁ ପୀଡ଼ିତାଙ୍କ ସମ୍ପର୍କୀୟ ସ୍ୱାଗତ କରିଛନ୍ତି । ମାମଲାରେ ଖୁବ୍‌ଶୀଘ୍ର ବିଚାର ଆରମ୍ଭ ହେବ ବୋଲି ପୁଲିସ ସୂଚନା ଦେଇଛି।

ସୌଜନ୍ୟ-ପ୍ରମେୟ

Comments are closed.