Breaking News

କଳଙ୍କର କାଳିମା ଯାହାର ବିଜୟ ତିଳକ!

୧୯୧୧ ମସିହା। ସମଗ୍ର ପୃଥିବୀକୁ ଚମକାଇ ଦେଇ ଦ୍ବିତୀୟ ଥର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଗଲା ବିଜ୍ଞାନୀ ମାଡାମ୍‌ ମେରୀ କ୍ୟୁରିଙ୍କ ନାମରେ। ତାଙ୍କ ପୂର୍ବରୁ କେହିହେଲେ ଦୁଇଥର ନୋବେଲ ପୁରସ୍କାର ପାଇନଥିଲେ...

୧୯୧୧ ମସିହା। ସମଗ୍ର ପୃଥିବୀକୁ ଚମକାଇ ଦେଇ ଦ୍ବିତୀୟ ଥର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଗଲା ବିଜ୍ଞାନୀ ମାଡାମ୍‌ ମେରୀ କ୍ୟୁରିଙ୍କ ନାମରେ। ତାଙ୍କ ପୂର୍ବରୁ କେହିହେଲେ ଦୁଇଥର ନୋବେଲ ପୁରସ୍କାର ପାଇନଥିଲେ, ତାହା ପୁଣି ଦୁଇଟି ଭିନ୍ନ ଭିନ୍ନ ବିଭାଗରେ। ଆଶ୍ଚର୍ଯ୍ୟର କଥା ହେଲା, ନାମ ଘୋଷଣା କରିବା ସଙ୍ଗେ ସଙ୍ଗେ ଷ୍ଟକ୍‌ହୋମ୍‌ର ନୋବେଲ କମିଟି ମେରୀ କ୍ୟୁରିଙ୍କୁ ଚିଠିଟିଏ ଲେଖିଥିଲେ। ଯାହାର ସାରମର୍ମ ଥିଲା, ‘‘ଆପଣଙ୍କ ପରି ଜଣେ ଚରିତ୍ରହୀନା ନାରୀ ପୁରସ୍କାର ଗ୍ରହଣ କରିବା ପାଇଁ ଆସିଲେ ଆମମାନଙ୍କର ବିଶେଷ ବଦନାମ୍ ହେବ। ଆମେ ଆପଣଙ୍କ ଘରେ ଆପଣଙ୍କର ପୁରସ୍କାର ଠିକ୍ ସମୟରେ ପହଞ୍ଚାଇ ଦେଇ ଆସିବୁ। କିନ୍ତୁ ଦୟାକରି ଆପଣ ନୋବେଲ ପୁରସ୍କାର ଗ୍ରହଣ କରିବା ପାଇଁ ଆସିବେ ନାହିଁ।”

ମେରୀ କ୍ୟୁରି ବିସ୍ମିତ। ଆହତ ମଧ୍ୟ। ଆଠବର୍ଷ ପୂର୍ବରୁ ସ୍ବାମୀ ପିୟର୍‌ଙ୍କ ସହିତ ଯୌଥଭାବରେ ଯେତେବେଳେ ନୋବେଲ ପୁରସ୍କାର ପାଇଥିଲେ, ଅସୁସ୍ଥତା ହେତୁ ଉଭୟଙ୍କ ଭିତରୁ କେହିହେଲେ ଯାଇପାରି ନଥିଲେ। କିନ୍ତୁ ଏଥର ସେ କାହିଁକି ଯିବେନି? ସେ ତ କୌଣସି ଅନ୍ୟାୟ କରିନାହାନ୍ତି। ଦୃଢ଼ ଭାବରେ ସେ ନୋବେଲ କମିଟିକୁ ଜଣାଇ ଦେଲେ ଯେ, ସେ ନିଶ୍ଚୟ ଯିବେ। ନୋବେଲ କମିଟି ଅଡୁଆରେ ପଡ଼ିଗଲେ। ମେରୀ କ୍ୟୁରିଙ୍କ ନାମ ଯେତେବେଳେ ଅନ୍ତର୍ଜାତୀୟ କମିଟି ଦ୍ବାରା ଚୂଡ଼ାନ୍ତ ହୋଇଥିଲା ସେପର୍ଯ୍ୟନ୍ତ ଫରାସୀ ସମ୍ବାଦପତ୍ରଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚି ନ ଥିଲା। ଫରାସୀ ସମ୍ବାଦପତ୍ର ପୃଷ୍ଠାଗୁଡ଼ିକ ଅତି କଦର୍ଯ୍ୟ କାହାଣୀରେ ପରିପୂର୍ଣ୍ଣ। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବିଜ୍ଞାନୀ ମାଡାମ୍‌ କ୍ୟୁରି କୁଆଡ଼େ ପରକୀୟାରେ ଲିପ୍ତ। ତାହା ପୁଣି ମୃତ ସ୍ବାମୀଙ୍କର ଛାତ୍ର ପଲ୍‌ଙ୍କ ସହିତ। ନାନା ରକମର କାଳ୍ପନିକ କାହାଣୀରେ ସେହି ସମୟର ଫରାସୀ ମିଡିଆ ଲଗାତାର ଆକ୍ରମଣ କରି ଚାଲିଥିଲେ ଦେଶର ସବୁଠାରୁ ପ୍ରତିଭାମୟୀ ନାରୀଙ୍କୁ। ପ୍ୟାରିସ୍‌ର ବିଖ୍ୟାତ ବିଶ୍ବବିଦ୍ୟାଳୟରେ ଯେତେବେଳେ ପୁରୁଷ ଅଧ୍ୟାପକମାନେ ପଢ଼ାଇବାର ସୁଯୋଗ ପାଆନ୍ତିନାହିଁ, ସେଠାରେ ପ୍ରଥମ ମହିଳା ଅଧ୍ୟାପିକା ଭାବରେ ସେ ସୁଯୋଗ ପାଇବେ! ନା ଏହିସବୁ ସୁଯୋଗ ଓ ପୁରସ୍କାର କ’ଣ ସୁନ୍ଦରୀ ନାରୀ ବୋଲି…! ତା’ଉପରେ ମେରୀ ଫ୍ରାନ୍ସର ଭୂମିକନ୍ୟା ନୁହନ୍ତି, ଜନ୍ମ ତାଙ୍କର ପୋଲାଣ୍ଡରେ। ଅନ୍ୟ ଦେଶରୁ ଆସିଥିବାରୁ ଜନସାଧାରଣଙ୍କ ଆକ୍ରୋଶ ହୁଏତ ଆହୁରି ଅଧିକ। ଏମିତିରେ ଅନେକ ପୁରୁଷ ବିଜ୍ଞାନୀ ସହ୍ୟ କରିପାରୁ ନଥିଲେ ମେରୀଙ୍କୁ, ସେମାନେ ପରୋକ୍ଷରେ ଜନତାଙ୍କୁ ସମର୍ଥନ କରିବାରେ ଲାଗିଲେ। ବିଂଶ ଶତାବ୍ଦୀର ପ୍ରଥମ ଭାଗର ରକ୍ଷଣଶୀଳ ସମାଜ ନାରୀମାନଙ୍କର ଉତ୍‌ଥାନକୁ ଆଦୌ ସହ୍ୟ କରି ପାରୁନଥିଲା। ମେରୀଙ୍କୁ ଶାସ୍ତି ଦେବା ବାହାନାରେ ନାରୀମାନଙ୍କୁ ଅବଦମିତ କରି ରଖିବାର ଏହି ଅପୂର୍ବ ସୁଯୋଗକୁ ରକ୍ଷଣଶୀଳ ସମାଜ ଆଦୌ ହାତଛଡ଼ା କରିବାକୁ ଚାହୁନଥିଲା।

ସ୍ବାମୀ ପିୟର୍‌ କେବଳ ଜୀବନସାଥୀ ନଥିଲେ, ଥିଲେ ବନ୍ଧୁ। ଗବେଷଣାର ସହକର୍ମୀ। ଏଣୁ ତା‌ଙ୍କ ମୃତ୍ୟୁ ପରେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ମେରୀଙ୍କୁ ଏହି ବିଷ‌ାଦରୁ ବାହାରିବାକୁ ସାହାଯ୍ୟ କରିଥିଲେ ପିୟର୍‌ଙ୍କର ଜଣେ ଛାତ୍ର ତଥା ବୈଜ୍ଞାନିକ ପଲ୍‌। ତେବେ ‌ଏହି ଘଟଣାଟି ଚର୍ଚ୍ଚାକୁ ଆସେ ଯେତେବେଳେ ପଲ୍‌ଙ୍କ ପ୍ରାକ୍ତନ ପତ୍ନୀ ଜେନି ମେରୀଙ୍କୁ ହତ୍ୟାର ଧମକ ଦେବା ସହିତ ମେରୀ ଓ ପଲ୍‌ଙ୍କ ଭିତରେ ଆଦାନପ୍ରଦାନ ହୋଇଥିବା କିଛି ବ୍ୟକ୍ତିଗତ ଚିଠିକୁ ମିଡିଆକୁ ଦେଇଦିଅନ୍ତି। ଏଣୁ ଏକ ରୋଚକ ଗୁଜବରେ ଫରାସୀ ସମ୍ବ‌ାଦପତ୍ରଗୁଡ଼ିକ ମୁଖର ହୋଇପଡ଼ନ୍ତି। ଗୁସ୍ତେଭ୍‌ ଟେରି ନାମକ ଜଣେ ସାମ୍ବାଦିକ ପାଦେ ଅାଗକୁ ଯାଇ ଲେଖନ୍ତି, ‘‘ମେରୀଙ୍କ ସ୍ବାମୀ ପିୟର୍‌ ବଞ୍ଚିଥିବା ସମୟରୁ ଏହି ପରକୀୟା ପ୍ରୀତି ଚାଲିଥିଲା। ଏଣୁ ତାଙ୍କର ମୃତ୍ୟୁ ଆଦୌ ଦୁର୍ଘଟଣା ନୁହେଁ, ବରଂ ଆତ୍ମହତ୍ୟା’’।

ଅପରପକ୍ଷରେ ବିଜ୍ଞାନୀ ପଲ୍‌ଙ୍କର ରିସର୍ଚ ମଧ୍ୟ ବନ୍ଦ ପ୍ରାୟ। ସାମ୍ବାଦିକ ଗୁସ୍ତେଭ୍‌ଙ୍କ କଳ୍ପିତ କୁତ୍ସିତ କାହାଣୀରେ ଆହତ, ଅପମାନିତ ଓ ଉତ୍ତେଜିତ ପଲ୍ ଗୁସ୍ତେଭ୍‌ଙ୍କୁ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହେବାପାଇଁ ଆହ୍ବାନ ଜଣାଇଲେ। ସାମ୍ବାଦିକ ଗୁସ୍ତେଭ୍ କିନ୍ତୁ ପଛଘୁଞ୍ଚା ଦେଇ କହିଲେ, “ମୁଁ ଚାହିବା ମାତ୍ରକେ ପଲ୍‌ଙ୍କୁ ଗୁଳି କରି ମାରି ପାରିବି। କିନ୍ତୁ ମୁଁ ଚାହେ ନାହିଁ ଦେଶ ଜଣେ ବରେଣ୍ୟ ବିଜ୍ଞାନୀଙ୍କୁ ଅକାଳରେ ହରାଉ।” ଏହା ଭିତରେ ମେରୀଙ୍କ ଦ୍ବିତୀୟ ଥର ନୋବେଲ ପ୍ରାପ୍ତିର ସମ୍ବାଦ ଅସିବାରୁ ଲୋକେ ଗର୍ବିତ ହେବା ବଦଳରେ ଆହୁରି ଉତ୍ତେଜିତ ହୋଇପଡ଼ିଲେ। ପ୍ରଚାରିତ ହେଲା-‘‘ବାଇବେଲ୍‌ରେ ଅଛି, ଚରିତ୍ରହୀନା ନାରୀ ହେଉଛି ଘୋର ପାପିନୀ, ଏଭଳି ଜଣେ ନାରୀ ସ୍ବିଡେନ୍‌ର ରାଜାଙ୍କ ହାତରୁ ପୁରସ୍କାର ନେବେ? ସେଥିରେ କ’ଣ ରାଜାଙ୍କ ହାତର ପବିତ୍ରତା ବଜାୟ ରହିବ?”

କ୍ୟୁରିଙ୍କୁ କୌଣସି ଭାବେ ପୁରସ୍କାର ଗ୍ରହଣ ନକରିବାକୁ ଏବଂ ତାଙ୍କୁ ବାସନ୍ଦ କରିବାକୁ ଖବରକାଗଜଗୁଡ଼ିକ ସ୍ଲୋଗାନ୍‌ରେ ଭରିଗଲା। ନୋବେଲ କମିଟି କିଂକର୍ତ୍ତବ୍ୟବିମୂଢ଼। ଭିତରେ ଭିତରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ବି ପିଲାଦିନରୁ ଭୟାବହ ଦାରିଦ୍ର୍ୟ ସହ ସଂଗ୍ରାମ କରି ଆସିଥିବା ମେରୀ ଦୃଢ଼ ଭାବରେ ଛିଡ଼ା ହେଲେ। ଜ୍ୟେଷ୍ଠା କନ୍ୟା ଆଇରିନ୍ ଓ ବଡ଼ ଭଉଣୀ ବ୍ରୋନିୟାଙ୍କୁ ନେଇ ପହଞ୍ଚିଲେ ଷ୍ଟକହୋମ୍। ଯାବତୀୟ ବିକ୍ଷୋଭକୁ ପରୱା ନ କରି ସ୍ବିଡେନ୍‌ର ରାଜାଙ୍କ ହାତରୁ ବିଶ୍ବର ସର୍ବପ୍ରଥମ ବ୍ୟକ୍ତି ଭାବରେ ଗ୍ରହଣ କଲେ ଦ୍ବିତୀୟ ଥର ପାଇଁ ନୋବେଲ ପୁରସ୍କାର। ନୋବେଲ ଭାଷଣରେ ତାଙ୍କ ଜୀବନ ଓ ସାଧନାରେ ପ୍ରେରଣା ଭାବରେ ଯିଏ ତାଙ୍କୁ ପଥପ୍ରଦର୍ଶନ କରି ଆସୁଥିଲେ ସେହି ସ୍ବାମୀ ପିୟର୍‌ଙ୍କ କଥା ବାରମ୍ବାର ଉଲ୍ଲେଖ କଲେ।

ଫରାସୀ ମିଡିଆ କିନ୍ତୁ ଏତେ ବଡ଼ ଗୌରବକୁ ଆଦୌ ଗୁରୁତ୍ୱ ଦେଲାନାହିଁ। ମେରୀଙ୍କ ଉପରେ ଚାଲୁ ରହିଲା ଜଘନ୍ୟ ଆକ୍ରମଣ। ଜଣେ ସଫଳ ନାରୀଙ୍କୁ ଚାରିତ୍ରିକ ଦୋଷ ଦେଇ ଖଣ୍ଡ ଖଣ୍ଡ କରିଦେବା ପରି ବିଜୟୋଲ୍ଲାସ ଆଉ ଅନ୍ୟ କିଛିରେ ବି ନାହିଁ। ପ୍ରବଳ ପ୍ରତିବାଦ ଭିତରେ ସ୍ବଦେଶକୁ ଫେରି ଆସିବା ପରେ ମେରୀ ଭୀଷଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଗବେଷଣାଗାରରେ ଦିନରାତି ତେଜସ୍କ୍ରିୟ ପଦାର୍ଥର ସଂସ୍ପର୍ଶରେ ରହି ମେରୀଙ୍କ ଶରୀରର ଅନେକ କୋଷ କ୍ଷତିଗ୍ରସ୍ତ ହୋଇସାରିଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେ ପଲ୍‌ଙ୍କର ଅବୈଧ ସନ୍ତାନର ମା’ ହେବାକୁ ଯାଉଥିଲେ, ତେଣୁ ଗର୍ଭପାତ କରାଇବା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଏକ କୁତ୍ସିତ ତଥା ଲଜ୍ଜାଜନକ କାହାଣୀ ମିଡିଆ ପ୍ରଚାର ଆରମ୍ଭ କରିଦେଲା। ସୁସ୍ଥ ହେବା ପରେ ପୁଣି କାମକୁ ଫେରି ବିଭିନ୍ନ ଦେଶକୁ କନଫରେନ୍‌ସରେ ଯୋଗ ଦେବାପାଇଁ ଗଲେ ମେରୀ।

ତା’ପରେ ଆସିଲା ପ୍ରଥମ ବିଶ୍ବଯୁଦ୍ଧ। ଯେଉଁ ଫରାସୀ ଜନତା ମେରୀଙ୍କୁ ଅପମାନିତ କରିଥିଲେ, ସେହି ଫରାସୀ ସୈନ୍ୟମାନଙ୍କର ସେବାଶୁଶ୍ରୂଷା ପାଇଁ ୧୮ଗୋଟି ଭ୍ୟାନ୍‌ରେ ଏକ୍ସରେ ମେସିନ୍‌ ନେଇ ମେରୀ ପଡ଼ିରହିଲେ ଯୁଦ୍ଧ କ୍ଷେତ୍ରରେ। ଆହତ ସୈନ୍ୟମାନଙ୍କୁ ସେବା କରୁକରୁ କ୍ରମଶଃ ନିଜେ ଅସୁସ୍ଥ ହୋଇ ପଡ଼ିଲେ। ଏହାପରେ ଯେତେଦିନ ବଞ୍ଚି ରହିଥିଲେ, ମାନସିକ ଦୃଷ୍ଟିରୁ ଆଉ ସ୍ବାଭାବିକ ହୋଇ ପାରିନଥିଲେ ମେରୀ କ୍ୟୁରି। ମୃତ୍ୟୁ ପରେ ତାଙ୍କ ସ୍ବାମୀଙ୍କ ପାଖରେ କବର ଦେବାକୁ କନ୍ୟାମାନଙ୍କୁ କହି ଯାଇଥିଲେ ସେ। ଝିଅମାନେ ତାଙ୍କ କଥା ରକ୍ଷାକରି ପିୟର୍‌ଙ୍କ କବର ପାଖରେ ତାଙ୍କୁ କବର ଦେଇଥିଲେ। ମେରୀ କ୍ୟୁରିଙ୍କର ଯୁଗାନ୍ତକାରୀ ଆବିଷ୍କାରଗୁଡ଼ିକ ଉପରେ ଛିଡ଼ାହୋଇ ରହିଛି ଆଜିର ବିଜ୍ଞାନ। କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ଏତେ ବିଖ୍ୟାତ ଜଣେ ବିଜ୍ଞାନୀ କେବଳ ଜଣେ ନାରୀ ହେବାର ଅପରାଧ ହେତୁ କି ଜଘନ୍ୟ ଯାତନା ସହ୍ୟ ନ କରିଛନ୍ତି। ସଂଘର୍ଷର ଅନ୍ୟ ନାମ ମେରୀ କ୍ୟୁରି। ପୁରୁଷ ଶାସିତ ସମାଜରେ ଜଣେ ମେଧାବିନୀଙ୍କର ରାଜତ୍ବ କରିବାର ଦ୍ୟୋତକ ମେରୀ କ୍ୟୁରି।
ଉପସ୍ଥାପନା: ପ୍ରଦୀପ କୁମାର ରାୟ

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.