Breaking News

କଳାକୃତିରେ ନୌସେନା ଜାହାଜ

ପୁରୀ, ୦୪/୧୨ : ପ୍ରଥମ ଥର ପାଇଁ ଓଡ଼ିଶାରେ ନୌସେନା ଦିବସ ପାଳନ ହେଉଛି । ଏନେଇ ଉତ୍ସାହ ଶୀର୍ଷରେ ପହଞ୍ଚିଛି । ବିଭିନ୍ନ କଳାକୃତି ପ୍ରସ୍ତୁତ କରି ନୌସେନା ଦିବସକୁ ଶୁଭେଚ୍ଛା ଜଣାଇଛନ୍ତି କଳାକାରମାନେ । ପୁରୀର ଶାଶ୍ୱତ ରଞ୍ଜନ ସାହୁ (୨୧ ବର୍ଷ) ଦିଆସିଲି କାଠିରେ ନୌସେନା ବୁଡ଼ା ଜାହାଜର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ସମୁଦାୟ ୩୪୦୨ ଦିଆସିଲି କାଠି ବ୍ୟବହାର କରି ଆଇଏନ୍‌ଏସ୍‌ ଭେଲା (ଏସ୍‌୨୪)ର ଏକ ଜଟିଳ ମଡେଲ ସେ ତିଆରି କରିଛନ୍ତି । ଏହି କଳାକୃତିର ଲମ୍ବ ୨୨ ଇଞ୍ଚ ରହିଛି । ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ୮ ଦିନ ସମୟ ଲାଗିଛି।

ଶାଶ୍ୱତ କହିଛନ୍ତି, ନୌସେନା ବାହିନୀକୁ ଶୁଭେଚ୍ଛା ଜଣାଇବା ପାଇଁ କିଛି ଅନନ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ସେ ଏହା ପ୍ରସ୍ତୁତ କରିଛନ୍ତି । ଶାଶ୍ୱତଙ୍କ ଭଳି ପୁରୀର ଅନ୍ୟ ଜଣେ ଯୁବ କଳାକାର ବିଶ୍ୱଜିତ ନାୟକ ଆଇସ୍‌କ୍ରିମ କାଠିରେ ଭାରତୀୟ ନୌସେନାର ଜାହାଜ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ର ଏକ ମଡେଲ ପ୍ରସ୍ତୁତ କରିଛନ୍ତି । ଏହାର ଉଚ୍ଚତା ୧୬ ଇଞ୍ଚ ଏବଂ ଲମ୍ବ ୨୩ ଇଞ୍ଚ ରହିଛି । ଏଥିପାଇଁ ମୋଟ ୬୭୫ଟି ଆଇସ୍‌କ୍ରିମ୍‌ କାଠି ବ୍ୟବହାର କରାଯାଇଛି । ଏହା ପ୍ରସ୍ତୁତ କରିବାକୁ ବିଶ୍ୱଜିତଙ୍କୁ ୩ ଦିନ ସମୟ ଲାଗିଥିଲା ।
ସୌଜନ୍ୟ-ପ୍ରମେୟ

Comments are closed.