Breaking News

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ; ଭାଷା ଆମ ସଂସ୍କୃତିର ବାହକ: ରାଜ୍ୟପାଳ

ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରମ୍ପରାର ସୌନ୍ଦର୍ଯ୍ୟ। ଭାରତ କେବେ ଭାଷା ପ୍ରତି ଅସହିଷ୍ଣୁ ଓ ସଂକୀର୍ଣ୍ଣତାର ମନୋଭାବ ରଖିନାହିଁ। ଭାରତର ସଭ୍ୟତା ସର୍ବଦା ବୌଦ୍ଧିକ ସ୍ୱାଧୀନତାକୁ ଗ୍ରହଣ କରି ସାଂସ୍କୃତିକ ବିବିଧତାକୁ ସ୍ୱୀକାର କରିଛି।

ଭୁବନେଶ୍ବର: ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରମ୍ପରାର ସୌନ୍ଦର୍ଯ୍ୟ। ଭାରତ କେବେ ଭାଷା ପ୍ରତି ଅସହିଷ୍ଣୁ ଓ ସଂକୀର୍ଣ୍ଣତାର ମନୋଭାବ ରଖିନାହିଁ। ଭାରତର ସଭ୍ୟତା ସର୍ବଦା ବୌଦ୍ଧିକ ସ୍ୱାଧୀନତାକୁ ଗ୍ରହଣ କରି ସାଂସ୍କୃତିକ ବିବିଧତାକୁ ସ୍ୱୀକାର କରିଛି। ଭାଷା କେବଳ ଯୋଗାଯୋଗର ଏକ ମାଧ୍ୟମ ନୁହେଁ ବରଂ ଭାଷା ଆମ ସଂସ୍କୃତିର ବାହକ ଭାବେ କାର୍ଯ୍ୟ କରେ। ଠିକ୍‌ ସେମିତି ସାହିତ୍ୟ କେବଳ ଏକ କଳାତ୍ମକ ସାଧନା ନୁହେଁ ବରଂ ସମାଜକୁ ଆକାର ଦେବା, ଚିନ୍ତାଧାରାକୁ ପ୍ରଭାବିତ କରିବା ଏବଂ ପରିବର୍ତ୍ତନ ପାଇଁ ପ୍ରେରଣା ଯୋଗାଇବାରେ ଶକ୍ତି ଦିଏ। ଭୁବନେଶ୍ୱର ମେ’ ଫେୟାରରେ ତିନି ଦିନିଆ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଏହା କହିଛନ୍ତି।

ସାହିତ୍ୟ ଭାରତୀୟ ସଂସ୍କୃତିର ଦର୍ପଣ: କେନ୍ଦ୍ରମନ୍ତ୍ରୀ

ମୁଖ୍ୟଅତିଥି ଭାବେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗଦେଇ କହିଲେ, ଓଡ଼ିଶା ଭାରତର ସାହିତ୍ୟକୁ ସମୃଦ୍ଧ କରିଛି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ପୂଣ୍ୟଭୂମି ଓଡ଼ିଶା ଭାରତର ପରମ୍ପରାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଏଇ ମାଟିରେ ଅନେକ ସାହିତ୍ୟ ରତ୍ନ ଜନ୍ମ ନେଇଛନ୍ତି। ଫକୀରମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ମନୋଜ ଦାସ, ପ୍ରତିଭା ରାୟଙ୍କ ଠାରୁ ସାରଳା ଦାସ ଏବଂ ଗୋପୀନାଥ ମହାନ୍ତିଙ୍କ ଠାରୁ ଗୌରହରି ଦାସଙ୍କ ପର୍ଯ୍ୟନ୍ତ ଭାରତର ଜ୍ଞାନ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି। ଏମାନେ ସଂସ୍କୃତିରୁ ଓଡ଼ିଆ ଓ ଓଡ଼ିଆରୁ ସଂସ୍କୃତିକୁ ନିଜର କଳ୍ପନା ଓ ଶବ୍ଦ ରଚନାରେ ସମୃଦ୍ଧ କରିଛନ୍ତି। କୁହାଯାଏ ସାହିତ୍ୟ ସମାଜର ଦର୍ପଣ। କିନ୍ତୁ ଭାରତ ପରିପ୍ରେକ୍ଷୀରେ ‘ସାହିତ୍ୟ ଭାରତୀୟ ସଂସ୍କୃତିର ଦର୍ପଣ’। ପୁରା ବିଶ୍ବର ଅନ୍ୟ ଦେଶ ନିଜର ଅସ୍ଥିତ୍ବ ପାଇଁ ସଂଘର୍ଷ କରୁଥିବା ବେଳେ ଭାରତରେ କାଳଜୟୀ ସାହିତ୍ୟ ରଚନା ହୋଇଛି। ଦେଶର ସମୃଦ୍ଧ ସାହିତ୍ୟର ପରମ୍ପରା ପାଇଁ ଭାରତ ବିଶ୍ବ ଗରୁ ଭାବେ ମାନ୍ୟତା ପାଇଛି।

ସମ୍ମାନୀୟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍‌. କ୍ରିଷ୍ଣାମୂର୍ତ୍ତି ଉଦ୍‌ବୋଧନ ଦେଇ ଓଡ଼ିଶା ଓ ଇଣ୍ଡୋନେସିଆର ସମ୍ପର୍କକୁ ମନେ ପକାଇଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବର ସିଇଓ ତଥା ପୃଷ୍ଠପୋଷକ ଅଶୋକ କୁମାର ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡ଼ା ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ହିନ୍ଦୀ ଲେଖିକା ମମତା କାଳିଆ, ଅନୁବାଦକ ପ୍ରାଧ୍ୟାପକ ଯତୀନ୍ଦ୍ର ନାୟକଙ୍କୁ ‘କଳିଙ୍ଗ ସାହିତ୍ୟ ପୁରସ୍କାର’, ସଂସ୍କୃତ ଅଧ୍ୟାପକ ଶ୍ରୀନୁରୁଧ ଦାସ ଓ ମମତା ମିଶ୍ରଙ୍କୁ ‘କଳିଙ୍ଗ ଅନ୍ତର୍ଜାତୀୟ ପୁରସ୍କାର’ ଏବଂ ନେପାଳି ଲେଖକ ବୁଧିସାଗରଙ୍କୁ ‘ଯୁବ କଳିଙ୍ଗ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହାଛଡା ଉଦ୍ୟୋଗପତି ସୌମ୍ୟ ରଞ୍ଜନ ସାମଲ, ସ୍ଥପତି  ପିକେ ଦାସଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ରାଜଧାନୀର ତିନୋଟି ପ୍ରମୁଖ ସ୍ଥାନରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସାହିତ୍ୟ ସମ୍ପର୍କରେ ପ୍ରାୟ ୫୦ରୁ ଉର୍ଦ୍ଧ ଅଧିବେଶନ ଅନୁଷ୍ଠିତ ହେଉଛି। ଏଥିରେ ଦେଶ ବିଦେଶର ଲେଖକ ଓ ବିଶେଷଜ୍ଞମାନେ ଯୋଗ ଦେଉଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.