ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ଏବଂ ଭାରତ ବିରୋଧୀ ବାତାବରଣ ସୃଷ୍ଟି ପାଇଁ  ବହୁତ ବଡ଼ ଷଡ଼୍‌ଯନ୍ତ୍ର ସାମ୍ନାକୁ ଆସିଛି।  ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀରସ୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ପ୍ରବଳ ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି। ଗତ ଏକ ମାସ ମଧ୍ୟରେ ସେମାନଙ୍କର ସୋସିଆଲ ମିଡିଆ କାର୍ଯ୍ୟକଳାପ ଆଶ୍ଚର୍ଯ୍ୟଜନକ ଭାବେ ୨୨ ଗୁଣ ବୃଦ୍ଧି ପାଇଛି ବୋଲି ଭାରତୀୟ ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ଜମ୍ମୁ-କଶ୍ମୀରରେ ସ୍ଥାନୀୟ ଆତଙ୍କୀ ନିଯୁକ୍ତିକୁ ପୁନରୁଦ୍ଧାର କରିବା ଏବଂ ଭାରତ ସରକାର ବିରୋଧରେ ଘୃଣାର ବାତାବରଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ସବୁ ଶକ୍ତି ଖଟାଇ ଦେଇଛନ୍ତି । ସମଗ୍ର ଉପତ୍ୟକାରେ ପୁଣି ଥରେ ଭାରତ ବିରୋଧୀ ଲହର ପାଇଁ ଆତଙ୍କବାଦୀଙ୍କ ଏହି ରଣନୀତି ପଛରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ବଡ଼ ଭୂମିକା ରହିଛି।  ଆତଙ୍କବାଦୀ ସଂଗଠନଗୁଡ଼ିକ  ଫେସ୍‌ବୁକ୍‌, ଏକ୍ସ, ଟେଲିଗ୍ରାମ୍, ଡାର୍କ ୱେବ୍ ଆଦି ପ୍ଲାଟଫର୍ମରେ ଅହରହ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛନ୍ତି।

ସୋସିଆଲ୍‌ ମିଡିଆକୁ ଅସ୍ତ୍ର କରିଛନ୍ତି ଆତଙ୍କୀ ସଂଗଠନ 
 ଭାରତ ବିରୋଧୀ କାର୍ଯ୍ୟକଳାପ ୨୨ ଗୁଣ ବୃଦ୍ଧି

ଭାରତୀୟ ଏଜେନ୍ସିଗୁଡ଼ିକର ବିଶ୍ଳେଷଣରୁ ଜଣାପଡ଼ିଛି ଯେ କେବଳ ଗତ ଏକ ମାସ (ଅକ୍ଟୋବର-ନଭେମ୍ବର) ମଧ୍ୟରେ ୨,୦୦୦ରୁ ଅଧିକ ଭାରତ ବିରୋଧୀ ପୋଷ୍ଟ୍‌ ପ୍ରକାଶ ପାଇଛି। ୧୩୦ଟି ପୋଷ୍ଟ୍‌ରେ ଯୋଜନାବଦ୍ଧ ଭାବେ ସରକାରକୁ ଟାର୍ଗେଟ୍‌ କରାଯାଇଥିବା ବେଳେ ଅନ୍ୟ ପୋଷ୍ଟ୍‌ଗୁଡ଼ିକରେ   ବିଚ୍ଛିନ୍ନତାବାଦ, ନୂତନ ସଦସ୍ୟ ନିଯୁକ୍ତି ଏବଂ ହିଂସା ଦ୍ବାରା ଲକ୍ଷ୍ୟ ହାସଲ ପାଇଁ ଆହ୍ବାନ ଦିଆଯାଇଛି। ବିଶେଷ କରି ଜମ୍ମୁ କଶ୍ମୀରରେ ଯୁବ ଗୋଷ୍ଠୀକୁ ଟାର୍ଗେଟ୍‌ କରି ଏହି ପୋଷ୍ଟ୍‌ କରାଯାଉଥିବାରୁ ଗୁଇନ୍ଦା ସଂସ୍ଥାମାନେ ଏହା ଉପରେ ସତର୍କ ନଜର ରଖିଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ  କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଦ୍ରୁତ ହ୍ରାସକୁ ଦୃଷ୍ଟିରେ ରଖି ପାକ୍‌ ଆତଙ୍କୀ ସଂଗଠନଗୁଡ଼ିକ  ସେମାନଙ୍କ ରଣନୀତି ବଦଳାଇଛନ୍ତି। ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଉ ସହଜ ହେଉନଥିବାରୁ ସେମାନେ ସ୍ଥାନୀୟ ଯୁବକଙ୍କୁ ସଂଗଠନରେ ସାମିଲ କରିବା ପାଇଁ ଜୋର୍‌ଦାର ପ୍ରୟାସ କରୁଛନ୍ତି ଏବଂ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି।  ନିକଟରେ ସୋପିଆନର ୨ ଜଣ ଏବଂ ଶ୍ରୀନଗର ଓ ତ୍ରାଲରୁ ଜଣେ ଲେଖାଏଁ ଯୁବକ ଆତଙ୍କବାଦୀ ପାଲଟିଥିବା ଜଣାପଡ଼ିଛି।  ଜମ୍ମୁ-କଶ୍ମୀରରେ ଏବେ  ୭୫ରୁ ୮୦ ଜଣ ବିଦେଶୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଜମ୍ମୁ-କଶ୍ମୀରରେ ବଦଳିଥିବା କ୍ଷମତା ସମୀକରଣରେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିବାରେ ବିଫଳ ହେଉଥିବାରୁ  ଏବେ ‘ଟାର୍ଗେଟ୍‌ ହତ୍ୟା’ କରୁଛନ୍ତି। ବାହାର ରାଜ୍ୟର ଶ୍ରମିକ ଏବଂ ସ୍ଥାନୀୟ ସୁରକ୍ଷା କର୍ମୀଙ୍କୁ ସେମାନେ ଟାର୍ଗେଟ୍‌ କରି ହତ୍ୟା କରୁଥିବା ଦେଖିବାକୁ ମିଳିଛି।