Breaking News

କହିକହି ମୁଣ୍ଡ ନେଇଗଲେ: ଲିପିକା ସହ ଟକ୍କର ମହଙ୍ଗା ପଡ଼ିଲା

‘ପୁଲିସ ବଳରେ ଦାଦାଗିରି କରୁଛୁ ତ! କିନ୍ତୁ ମନେରଖ ପୁଲିସ ‌ତୋତେ ବଞ୍ଚାଇପାରିବନି। କୋଉ ପୁଲିସ ବୋପା ତୋ ପିଠିରେ ପଡ଼ିବ, ଆମେ ଦେଖିବୁ। ଯେଉଁ ପୁଲିସ ବଳରେ ଆମ ଦାନାପାଣି ମାରୁଛୁ, ସେହି ପୁଲିସର ଥାନା ଦୁଆରେ ତୋ କଟାମୁଣ୍ଡକୁ ଥୋଇଦେବୁ।

ଭୁବନେଶ୍ବର: ‘ପୁଲିସ ବଳରେ ଦାଦାଗିରି କରୁଛୁ ତ! କିନ୍ତୁ ମନେରଖ ପୁଲିସ ‌ତୋତେ ବଞ୍ଚାଇପାରିବନି। କୋଉ ପୁଲିସ ବୋପା ତୋ ପିଠିରେ ପଡ଼ିବ, ଆମେ ଦେଖିବୁ। ଯେଉଁ ପୁଲିସ ବଳରେ ଆମ ଦାନାପାଣି ମାରୁଛୁ, ସେହି ପୁଲିସର ଥାନା ଦୁଆରେ ତୋ କଟାମୁଣ୍ଡକୁ ଥୋଇଦେବୁ।’ ଏମିତି ଭୟଙ୍କର ଧମକ ମିଳିଥିଲା ସହଦେବକୁ। ସତକୁ ସତ ସେୟା କରି ଦେଖାଇଲେ ଧମକ ଦେଇଥିବା ଦୁର୍ବୃତ୍ତମାନେ। କହିକହି ମୁଣ୍ଡ ଗଡ଼ାଇଦେଲେ। ପୁଣି ଯେତେବେଳେ ସମଗ୍ର ରାଜଧାନୀ ପୁଲିସ ଛାଉଣୀରେ ରହିଛି, ସେତିକିବେଳେ ଦୁର୍ବୃତ୍ତମାନେ ସହଦେବକୁ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ରାଜପଥ ଉପରେ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯେତେବେଳେ ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବାକୁ ରାଜଧାନୀ ରଙ୍ଗବେରଙ୍ଗରେ ସଜେଇ ହୋଇଛି, ସେତିକିବେଳେ ଦୁର୍ବୃତ୍ତମାନେ ରକ୍ତର ହୋଲି ଖେଳି ରାଜଧାନୀ ରାଜରାସ୍ତାକୁ ରକ୍ତରଞ୍ଜିତ କରିଛନ୍ତି। ଏହା ହେଉଛି ବୁଧବାର କ୍ୟାପିଟାଲ୍‌ ଥାନା କେଦାରପଲ୍ଲୀବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡର କଥା। ସହଦେବଙ୍କ ସ୍ତ୍ରୀ ସୁନିତା ଏଭଳି ସୂଚନା ଦେଇଛନ୍ତି। ସହଦେବଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଦୁର୍ବୃତ୍ତମାନେ ଆଜି ଏମିତି କାଣ୍ଡ କରି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛନ୍ତି। ସେମାନେ କେବଳ ସହଦେବ ଉପରେ ପ୍ରତିଶୋଧ ନେଇନାହାନ୍ତି, କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି। ଅବଶ୍ୟ ପୁଲିସ ସେମାନଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଛି, କିନ୍ତୁ ସହଦେବଙ୍କୁ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ଭୟଙ୍କର ପ୍ରତିଶୋଧ
ନିଜ ବସ୍ତିର କିଛି ଲୋକଙ୍କ ସହ ସହଦେବଙ୍କର ଶତ୍ରୁତା ଥିଲା। ବହୁଥର ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ନିଜ ବାହୁବଳରେ ସହଦେବ ସେମାନଙ୍କୁ ମୁକାବିଲା କରିପାରୁଥିଲେ। ଏଥିସହିତ ସହଦେବଙ୍କ ପଛରେ ଥିଲା ପୁଲିସର ସମର୍ଥନ। ସେହିଭଳି ବିଭିନ୍ନ ସାମାଜିକ ସଂଗଠନ ସହ ସମ୍ପୃକ୍ତ ଥିବାରୁ ବସ୍ତିରେ ସହଦେବଙ୍କ ପତିଆରା ବଢ଼ିଚାଲିଥିଲା। ତେଣୁ ପ୍ରତିପକ୍ଷ ବସ୍ତିରୁ ସହଦେବଙ୍କ ଦବ୍‌ଦବା ଶେଷ କରିଦେବାକୁ ଚାହୁଥିଲେ। ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ସେମାନେ ଯୋଜନା କରିଥିଲେ। ବଡ଼ କଥା ହେଉଛି, ସେମାନେ ଲୁଚାଛପା ଯୋଜନା କରି ନଥିଲେ। ଖୋଲାଖୋଲି ଭାବେ ସହଦେବଙ୍କ ମୁଣ୍ଡ ଗଡ଼ାଇବେ ବୋଲି କହି ବୁଲୁଥିଲେ। ଆଜି ସେହିଦିନ ପହଞ୍ଚିଯାଇଥିଲା। ସକାଳୁ ସକାଳୁ ଝିଅକୁ ସ୍କୁଲ୍‌ରେ ଛାଡ଼ିବା ବେଳେ ସହଦେବ ଏକୁଟିଆ ଥିବା ମଉକାକୁ ସେମାନେ ଉଣ୍ଡିବସିଥିଲେ। ରାସ୍ତାରେ ତାଙ୍କୁ ଅଟକାଇବା ମାତ୍ରେ ବେକ ମୁଣ୍ଡାରେ ବସାଇଥିଲେ ଖଣ୍ଡା ପାହାର। ଗୋଟିଏ ଶକ୍ତ ପାହାରରେ କାନ୍ଧରୁ ମୁଣ୍ଡ ଅଲଗା ହେଉହେଉ ଅଳ୍ପକେ ରହିଗଲା। ଛାତି ଉପରକୁ ଝୁଲି ରହିଲା ମୁଣ୍ଡ। ପ୍ରତ୍ୟକ୍ଷଦର୍ଶୀଙ୍କ ଲୋମଟାଙ୍କୁରି ଉଠିଥିଲା। ସେମାନଙ୍କ ଆଖି ବୁଜି ହୋଇଯାଇଥିଲା। ରାସ୍ତା ଉପରେ ରକ୍ତର ନଦୀ ବହିଯାଇଥିଲା। କିନ୍ତୁ ହତ୍ୟାକାରୀମାନେ ବେଶ୍ ସହଜରେ ରକ୍ତଭିଜା ଖଣ୍ଡାକୁ ଜରିଅଖାରେ ପୂରାଇ ସେଠାରୁ ବାଇକ୍‌ ଯୋଗେ ପଳାଇଥିଲେ। ରକ୍ତମୁଖା ଦୁର୍ବୃତ୍ତଦ୍ବୟଙ୍କୁ ପିଛା କରିବାକୁ କାହାର ଜୁ’ ନଥିଲା।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.