Breaking News

କାଦମ୍ବିନୀର ‘ସାହିତ୍ୟ ମହୋତ୍ସବ’ ଓ ‘ପତ୍ରିକାହାଟ’

ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ସଚ୍ଚିଦାନନ୍ଦ ଯୋଶୀ ଯୋଗଦେଇଥିଲେ।

ଜ୍ଞାନେଶ୍ୱର ମୂଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

ଚନ୍ଦ୍ରଶେଖରପୁର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ସଚ୍ଚିଦାନନ୍ଦ ଯୋଶୀ ଯୋଗଦେଇଥିଲେ। ସେ କହିଥିଲେ, ଭାରତରେ ଯେତେ‌ ସାହିତ୍ୟ ସର୍ଜନା ରହିଛି, ବିଶ୍ୱରେ କୌଣସି ସ୍ଥାନରେ ଏତେ ସଂଖ୍ୟକ ସର୍ଜନା ଦେଖିବାକୁ ମିଳେ ନାହିଁ। ବର୍ତ୍ତମାନ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବଢ଼ିଛି । ‘ଏଆଇ’ ବ୍ୟବହାର ଦ୍ୱାରା ସର୍ଜନା ଧୀରେଧୀରେ କମିଯିବାର ସମ୍ଭାବନା ରହିଛି। ୫୦ବର୍ଷ ପରେ ମୌଳିକ ସାହିତ୍ୟ ଦେଖିବାକୁ ମିଳିବ ନାହିଁ କିମ୍ବା ସାହିତ୍ୟିକ, କବି ସୃଷ୍ଟି ହୋଇପାରିବେ ନାହିଁ। ଏଥିପ୍ରତି ଏବେଠାରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ଲେଖକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଲେ, ଯେଉଁଠି ଦୁଃଖ ଓ ପୀଡ଼ା ଅଛି ସେଠାରେ ସାହିତ୍ୟ ଅଛି। ଏହି ଦୁଇ ଶବ୍ଦକୁ ଯୋଡ଼ୁଥିବା ବ୍ୟକ୍ତି ଲେଖକ ହୋଇଯାଏ। କେତେକ ଲେଖକ ବ୍ୟକ୍ତିଗତ ପୀଡ଼ାର ପରିପ୍ରକାଶ କରନ୍ତି। ମାତ୍ର ଯେଉଁମାନେ ସମଗ୍ର ବିଶ୍ୱର ପୀଡ଼ାକୁ ପରିପ୍ରକାଶ କରନ୍ତି ସେମାନେ ମହାକବି ହୋଇଯାଆନ୍ତି। ଲେଖକ ତଥା ମଞ୍ଚ କଳାକାର ଅଖିଳେନ୍ଦ୍ର ମିଶ୍ର କହିଛନ୍ତି, ସାହିତ୍ୟ ହେଉଛି ଜୀବନ। ସାହିତ୍ୟକୁ ପଢ଼ିବା ଦ୍ୱାରା ବିଭିନ୍ନ ବିଚାର ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ସାହିତ୍ୟକୁ ଯେତେ ସମ୍ମାନ ଦିଏ ସେ ସେତେ ସମୃଦ୍ଧ ବୋଲି ଜଣାପଡ଼ିଥାଏ। ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା ତଥା ବ୍ଲଗର୍‍ ନୀନା ବର୍ମା କହିଛନ୍ତି, ସାହିତ୍ୟ ହିଁ ମନୁଷ୍ୟକୁ ସଭ୍ୟ କରିଥାଏ। ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ ସାହିତ୍ୟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଆବଶ୍ୟକ। ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ କହିଛନ୍ତି, ପତ୍ରିକା ସାହିତ୍ୟକୁ ଚଳଚଞ୍ଚଳ ଓ ଗତିଶୀଳ କରିଥାଏ। ପତ୍ରିକା ଲେଖକ ତିଆରି କରେ ଓ ଲେଖକକୁ ପରିଚୟ ପ୍ରଦାନ କରିଥାଏ।

କାର୍ଯ୍ୟକ୍ରମ ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା। ପରେ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୂଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ଓ  ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ, ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଟ୍‍, କିସ୍‍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାହିତ୍ୟିକ ପ୍ରଫେସର କୈଳାଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ କାଦମ୍ବିନୀ ସମ୍ପାଦିକା ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ସେମାନେ ଓ ସେମାନଙ୍କ କବିତା’ ଶୀର୍ଷକରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ଶିଶୁ କବିତା ପାଠୋତ୍ସବ ‘ଚୁଲବୁଲୀ, ଚୁଲ୍‍ବୁଲ୍‍ମାନଙ୍କ ସରସ ପଦ୍ୟ’ ଓ ‘ନୃତ୍ୟ, ଅଭିନୟର ଯୁଗଳବନ୍ଦୀ ଓ କୁନାକୁନିମାନେ’ ଅନୁଷ୍ଠିତ ହୋଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.