Breaking News

କାଦୁଅରେ ପଚପଚ ଫୁଲେଶ୍ବରୀ ବସ୍ତି

ଦୁଇଦିନର ଲଗାଣ ବର୍ଷାରେ ପାଣିକାଦୁଅରେ ସନ୍ତେଇ ହେଉଛି ଫୁଲେଶ୍ବରୀ ବସ୍ତି। ଘର ଆଗରେ ବର୍ଷାପାଣି ଜମି ରହିଥିଲା ବେଳେ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

0

ଭୁବନେଶ୍ବର: ଦୁଇଦିନର ଲଗାଣ ବର୍ଷାରେ ପାଣିକାଦୁଅରେ ସନ୍ତେଇ ହେଉଛି ଫୁଲେଶ୍ବରୀ ବସ୍ତି। ଘର ଆଗରେ ବର୍ଷାପାଣି ଜମି ରହିଥିଲା ବେଳେ ଅସ୍ବାସ୍ଥ୍ୟକର ତଥା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବସ୍ତିର ମୁଖ୍ୟରାସ୍ତାରେ ପେଭର୍‌ବ୍ଲକ୍‌ ବିଛା ଯାଇଥିଲା ବେଳେ ବର୍ଷାପାଣି ନିଷ୍କାସନ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷାଦିନେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲା। ତେବେ ବର୍ତ୍ତମାନ ମଧ୍ୟ ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି। ୪୯ନମ୍ବର ୱାର୍ଡ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଫୁଲେଶ୍ବରୀ ବସ୍ତିରେ ୫ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି। ବସ୍ତିର ରାସ୍ତା ଅଣଓସାରିଆ ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଜବରଦଖଲ କରି ରଖାଯାଇଛି। ଘରଗୁଡ଼ିକର ନିର୍ମାଣ ନିର୍ଦ୍ଦିଷ୍ଟ ପ୍ଲାନିଂ ବିନା କରାଯାଇଥିବାରୁ ସେଗୁଡ଼ିକ ଉଚ୍ଚନିଚ୍ଚ ଭୂମିରେ ରହିଛି। ବସ୍ତିରେ ଡ୍ରେନ୍‌ ନଥିବାରୁ ପାଣି ରାସ୍ତାରେ ଲହଡ଼ି ମାରୁଛି। ଦୁଇମାସ ତଳେ ପେଭର୍‌ବ୍ଲକ୍‌ ବିଛା ସରିଥିଲା ବେଳେ ଏବେ ବର୍ଷା ପାଣି ନିଷ୍କାସନର ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ଘର ଆଗରେ ଦିନଦିନ ଧରି ପାଣି ଜମିରହି ଶିଉଳି ସୃଷ୍ଟି ହେଉଛି। ପ୍ରତିଦିନ ଛୋଟଛୋଟ ଶିଶୁ ବିଦ୍ୟାଳୟକୁ ଯାଉଥିଲା ବେଳେ ସେମାନଙ୍କର ଗୋଡ଼ଖସି ଅଘଟଣ ଘଟିବାର ଆଶଙ୍କା ରହିଛି। ବସ୍ତିରେ ଏହି କାରଣରୁ ଚର୍ମରୋଗ ବ୍ୟାପିବାର ଆଶଙ୍କା କରାଯାଉଛି।

ଅନୁରୂପ ଭାବେ ବସ୍ତିରୁ କଳିଙ୍ଗ ନଗର କେ-୪କୁ ସଂଯୋଗ କରୁଥିବା ରାସ୍ତାର ମଧ୍ୟ ଭାଗରେ ଆବର୍ଜନା ଓ ମଇଳା ପାଣି ଜମିରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ରାସ୍ତାରେ ପାଣି ଜମି ରହିବାରୁ ସେଠାରେ ଥିବା ବଡ଼ ବଡ଼ ଖାଲକୁ ମଧ୍ୟ ଠଉରାଇ ହେଉନାହିଁ। ସେଥିରେ ଲୋକେ ପଡ଼ି ହନ୍ତସନ୍ତ ହେଉଛନ୍ତି। ଏ ସମ୍ପର୍କରେ ପଚାରିବାରୁ ସ୍ଥାନୀୟ କର୍ପୋରେଟର୍‌ଙ୍କ ପ୍ରତିନିଧି ଅଶ୍ବିନୀ ସୁନ୍ଦରାୟ କହିଛନ୍ତି, ବସ୍ତିରେ ଘରଗୁଡ଼ିକ ନିର୍ଦ୍ଦିଷ୍ଟ ଯୋଜନାରେ କରାଯାଇନଥିବାରୁ ଏଠାରେ ବର୍ଜ୍ୟଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ହୋଇପାରିବ ନାହିଁ। ସେହିପରି ବସ୍ତିମୁଣ୍ଡରେ ପାଣି ଜମିବା ସମ୍ପର୍କରେ ସେ କହିଲେ, ବିଏମ୍‌ସି ପକ୍ଷରୁ ନିୟମିତ ଭାବେ ବର୍ଜ୍ୟ ପରିଚାଳନା କରାଯାଉଛି। ଜଳ ନିଷ୍କାସନ ପାଇଁ ଭବିଷ୍ୟତରେ ଏଠାରେ ଏକ ଡ୍ରେନ୍‌ ନିର୍ମାଣ କରାଯାଇ କଳିଙ୍ଗ ନଗର ନିକଟ କଲ୍‌ଭର୍ଟରୁ ୯ନମ୍ବର ଡ୍ରେନ୍‌କୁ ସଂଯୋଗ କରାଯିବ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.