Breaking News

କାନାଡା ମନ୍ଦିର ଆକ୍ରମଣ ମାମଲା: ଖଲିସ୍ତାନୀ ସଂଗଠନ ସଂଚାଳକ ସମେତ ୪ ଗିରଫ

ଖଲିସ୍ତାନୀ ଆତଙ୍କୀଙ୍କ ଭୂସ୍ବର୍ଗ ପାଲଟିଥିବା କାନାଡାରେ ହିନ୍ଦୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ନିକଟରେ ବ୍ରାମ୍ପଟନର ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

0

ଟରଣ୍ଟୋ: ଖଲିସ୍ତାନୀ ଆତଙ୍କୀଙ୍କ ଭୂସ୍ବର୍ଗ ପାଲଟିଥିବା କାନାଡାରେ ହିନ୍ଦୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ନିକଟରେ ବ୍ରାମ୍ପଟନର ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। କାନାଡା ପୁଲିସ ଭାରତ ଦ୍ବାରା ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)ର ଜଣେ ଶୀର୍ଷ କାର୍ଯ୍ୟକର୍ତ୍ତା ଇନ୍ଦ୍ରଜିତ ଗୋସାଲ ସମେତ ଆଉ ୩ ଜଣ ଖଲିସ୍ତାନୀ ଚରମପନ୍ଥୀଙ୍କୁ ଗିରଫ କରିଥିବା ଭାରତୀୟ ଏଜେନ୍ସି ସୂଚନା ଦେଇଛି। ଗୋସାଲ କାନାଡା ପାଇଁ ଏଏସ୍‌ଏଫ୍‌ଜେର ସଂଯୋଜକ ଅଛି ଏବଂ ନିହତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ସେ  ସହଯୋଗୀ ଥିଲା । କାନାଡାର ଖବରକାଗଜ ‘ଟରଣ୍ଟୋ ଷ୍ଟାର’ ଅନୁଯାୟୀ, ସେ ନିକଟରେ ହୋଇଥିବା ଖାଲିସ୍ତାନ ଗଣମତର ଆୟୋଜକ ଥିଲା ଏବଂ ପଞ୍ଜାବକୁ ସ୍ବତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପାଇଁ ଆହ୍ବାନ ଦେଇଥିଲା। କାନାଡାରେ ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ  ହୋଇଥିବା ଆକ୍ରମଣ ମାମଲାରେ ଗୋସାଲ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲା।

ନଭେମ୍ବର ୪ ତାରିଖରେ ଶିଖ୍ ଦଙ୍ଗାର ୪୦ ବର୍ଷ ପୂର୍ତ୍ତି ଅବସରରେ ବ୍ରାମ୍ପଟନ ମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖଲିସ୍ତାନ ସମର୍ଥକମାନେ ଅଚାନକ ହିନ୍ଦୁ ଭକ୍ତଙ୍କ ଉପରେ ଆକ୍ରମଣ କରିଥିଲୋ। ଏହି ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏହି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏଭଳି କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ।  ଅନ୍ୟପକ୍ଷରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାକୁ କାନାଡାର ଉଦ୍ୟମକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଥିଲେ। ହିନ୍ଦୁ ସଭା ମନ୍ଦିର ଆକ୍ରମଣର ତଦନ୍ତ ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ କମିଟି ଗଠନ କରାଯାଇଛି ଏବଂ  ତଦନ୍ତକାରୀମାନେ ଏହି ଘଟଣାର ଶତାଧିକ ଭିଡିଓକୁ ବିଶ୍ଳେଷଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅପରାଧରେ ସମ୍ପୃକ୍ତ ଅତିରିକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଏବଂ ଅଧିକ ଗିରଫଦାରୀ ପାଇଁ ପ୍ରୟାସ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣ ପରେ ବ୍ରାମ୍ପଟନ ମନ୍ଦିର ବାହାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉଭୟ ହିନ୍ଦୁ ଏବଂ ଶିଖ୍ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଖାଲିସ୍ତାନ ସମର୍ଥକଙ୍କ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବାରୁ କାନାଡାର ହରିନ୍ଦର ସୋହି ନାମକ ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେ ଖଲିସ୍ତାନ ପତାକା ଧରି  ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁଙ୍କ ଉପରେ ଆକ୍ରମଣର ପ୍ରତିବାଦ, ଦିଲ୍ଲୀରେ କାନାଡା ଦୂତାବାସ ବାହାରେ ଜୋର୍‌ଦାର ବିକ୍ଷୋଭ

ନୂଆଦିଲ୍ଲୀ: ନିକଟରେ କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ରବିବାର ଦିଲ୍ଲୀସ୍ଥିତ କାନାଡା ହାଇକମିସନ ସମ୍ମୁଖରେ ବହୁ ସଂଖ୍ୟକ ସାମାଜିକ କର୍ମୀ ସମବେତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ବିଭିନ୍ନ ହିନ୍ଦୁ ସଂଗଠନର ବିରୋଧ ପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଚାଣକ୍ୟପୁରୀର କୂଟନୈତିକ ଅଞ୍ଚଳରେ ଥିବା କାନାଡା ହାଇକମିସନ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା  କଡ଼ାକଡ଼ି କରାଯାଇଥିଲା। କାନାଡା ମିସନ ସମ୍ମୁଖରେ ଦିଲ୍ଲୀ ପୁଲିସ ବହୁ ସଂଖ୍ୟକ ଯବାନଙ୍କୁ ମୁତୟନ କରିବା ସହ ସୁଦୃଢ଼ ବ୍ୟାରିକେଡ୍ ଲଗାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.