Breaking News

କାନାଡା: ହିନ୍ଦୁ ମନ୍ଦିରରେ ହିଂସା: ଚିନ୍ତା ପ୍ରକଟ କଲା ଭାରତ

କାନାଡାର ଅଣ୍ଟାରିଓ ପ୍ରଦେଶ ସ୍ଥିତ ବ୍ରାମ୍ପଟନ୍‌ରେ ଏକ ହିନ୍ଦୁ ସଭା ମନ୍ଦିର ଉପରେ ଯେଉଁଭଳି ଆକ୍ରମଣ ହୋଇଛି ତାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଗତକାଲି ଟରଣ୍ଟୋ ନିକଟ ବ୍ରାମ୍ପଟନ୍‌ର ମନ୍ଦିରରେ ଭାରତୀୟ କନସୁଲାର କ୍ୟାମ୍ପ୍‌ କାର୍ଯ୍ୟକ୍ରମରେ ଏହି ହିଂସା ଉପୁଜିଛି।

0

ନୂଆଦିଲ୍ଲୀ: କାନାଡାର ଅଣ୍ଟାରିଓ ପ୍ରଦେଶ ସ୍ଥିତ ବ୍ରାମ୍ପଟନ୍‌ରେ ଏକ ହିନ୍ଦୁ ସଭା ମନ୍ଦିର ଉପରେ ଯେଉଁଭଳି ଆକ୍ରମଣ ହୋଇଛି ତାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଗତକାଲି ଟରଣ୍ଟୋ ନିକଟ ବ୍ରାମ୍ପଟନ୍‌ର ମନ୍ଦିରରେ ଭାରତୀୟ କନସୁଲାର କ୍ୟାମ୍ପ୍‌ କାର୍ଯ୍ୟକ୍ରମରେ ଏହି ହିଂସା ଉପୁଜିଛି। ବରିଷ୍ଠ ନାଗରିକମାନଙ୍କୁ ଦୂତାବାସ ସଂକ୍ରାନ୍ତ ଯୋଗାଇ ଦେବା ପାଇଁ ଏହି ଶିବିର ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ମିଳିତ ଭାବେ କରାଯାଇଥିଲା। କାନାଡ଼ାରେ ମନ୍ଦିର ଏବଂ ଗୁରୁଦ୍ବାରାରେ ଏଭଳି କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ ଆୟୋଜିତ ହୋଇଥାଏ।

ରବିବାର ଟରଣ୍ଟୋ ନିକଟସ୍ଥ ବ୍ରାମ୍ପଟନ୍‌ ହିନ୍ଦୁ ସଭା ମନ୍ଦିରରେ ହୋଇଥିବା କାର୍ଯ୍ୟକ୍ରମରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଘଟଣାକୁ ବିରୋଧ କରି କାନାଡାର ଏକ ହିନ୍ଦୁ ସଂଗଠନ ଶାନ୍ତିପୂର୍ଣ୍ଣ ଆନ୍ଦୋଳନା ଡାକରା ଦେଇଥିଲା।  ଉଲ୍ଲେଖଯୋଗ୍ୟ ଯେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଏହି ଆକ୍ରମଣର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ମନ୍ଦିର ବାହାରେ କିଛି ଶ୍ରଦ୍ଧାଳୁଙ୍କ ଉପରେ କିଛି ବ୍ୟକ୍ତି ଆକ୍ରମଣ କରୁଛନ୍ତି। କାନାଡାରେ ହିନ୍ଦୁ ସମ୍ପ୍ରଦାୟକୁ ସମର୍ଥନ କରୁଥିବା ସଂସ୍ଥା ହିନ୍ଦୁ କାନାଡିଆନ୍‌ ଫାଉଣ୍ଡେସନ୍‌ ଏନେଇ ଏକ ଭିଡିଓ ଫୁଟେଜ୍‌ ସେୟ‌ାର କରିଛି। ମହିଳା ଏବଂ ଶିଶୁଙ୍କୁ ମଧ୍ୟ ଆକ୍ରମଣରେ ଟାର୍ଗେଟ୍‌ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛ।  ଶିଖ୍‌ ଉଗ୍ରପନ୍ଥୀଙ୍କ ଦ୍ବାରା ହୋଇଥିବା ଏହି ଆକ୍ରମଣ ଘଟଣାକୁ ‌ଭାରତ କଡ଼ା ନିନ୍ଦା କରିଛି। ଏଥିସହ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା‌ ପ୍ରକଟ କରିଛି। କାନାଡାର ହିନ୍ଦୁ ମନ୍ଦିରରେ ଜାଣିଶୁଣି ହୋଇଥିବା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିଛନ୍ତି। ମନ୍ଦିର ପରିସରରେ ଚାଲିଥିବା ଭାରତୀୟ ଦୂତାବାସ ଶିବିରରେ କୂଟନୀତିଜ୍ଞମାନଙ୍କୁ ଧମକାଇବା ପାଇଁ ହୋଇଥିବା ଏହି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ନିନ୍ଦା କରିଛନ୍ତି। ଏଭଳି ହିଂସାତ୍ମକ କାର୍ଯ୍ୟ ଭାରତର ସଂକଳ୍ପକୁ କଦାପି ଦୁର୍ବଳ କରିପାରିବ ନାହିଁ। କାନାଡା ସରକାରଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ନ୍ୟାୟ ଆଶା କରିଛନ୍ତି।

ଚିନ୍ତା ପ୍ରକଟ କଲା ଭାରତ
ଘଟଣାକୁ ନିନ୍ଦା କଲେ ମୋଦୀ

ସେହିଭଳି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ୍‌ ସୋମବାର ବିବୃତି ଜାରି କରି କହିଛନ୍ତି,  ଏହି ହିଂସା ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ।  ଜୟସ୍ବାଲ କହିଛନ୍ତି, କାନାଡାରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତ ସରକାର ବେଶ୍‌ ଚିନ୍ତିତ। ଉପାସନାସ୍ଥଳ ଗୁଡ଼ିକରେ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ଭାରତ ସରକାର କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।  ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ହାତରେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀର ପତାକା ଥିଲା।  ଅନ୍ୟପକ୍ଷେ ମନ୍ଦିର ଆମ୍ରମଣକୁ ବିରୋଧ କରି ଆନ୍ଦୋଳନରେ ସାମିଲ ନାଗରିକଙ୍କ ଉପରେ ପୁଲିସ୍‌ର ଆକ୍ରମଣକୁ ମଧ୍ୟ ଭାରତ ବିରୋଧ କରିଛି। ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛି ଜଣେ ପୁଲିସ ଜଣେ ଆନ୍ଦୋଳନକାରୀଙ୍କୁ ଏକାଧିକ ଥର ମାଡ଼ ମାରୁଛି।  ତେବେ ବ୍ରାମ୍ପଟନ୍‌ରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣକୁ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସମାଲୋଚନା କରିବା ସହ ଏହା ଅଗ୍ରହଣୀୟ ବୋଲି ମତ ଦେଇଛନ୍ତି। ପ୍ରତି କାନାଡୀୟ ନାଗରିକଙ୍କର ମୁକ୍ତ ଏବଂ ସୁରକ୍ଷିତ ଭାବେ ସେମାନଙ୍କ ଧର୍ମ ପାଳନ କରିବାର ଅଧିକାର ରହିଛି। ଏହି ଘଟଣାରେ ପିଲ୍‌ ଆଞ୍ଚଳିକ ପୁଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିବାରୁ ଟ୍ରୁଡୋ ପୁଲିସକୁ ଧନ୍ୟବାଦ ଦେଇଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.