Breaking News

କାମ୍ବଲିଙ୍କ ଦେହ ଖରାପ, ଡାକ୍ତରଖାନାରେ ଭର୍ତ୍ତି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ବ୍ୟାଟର୍ ତଥା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ପିଲାଦିନର ପରମ ବନ୍ଧୁ ବିନୋଦ କାମ୍ବଲି ସଙ୍କଟାପନ୍ନ ଅବସ୍ଥାରେ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଥାନେ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ବ୍ୟାଟର୍ ତଥା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ପିଲାଦିନର ପରମ ବନ୍ଧୁ ବିନୋଦ କାମ୍ବଲି ସଙ୍କଟାପନ୍ନ ଅବସ୍ଥାରେ ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଜଟିଳ ଥିଲା ବେଳେ ଅଧିକ ସୂଚନା ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ଦିଆଯାଇପାରିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

କାମ୍ବଲିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାର ଏହା ପ୍ରଥମ ଘଟଣା ନୁହେଁ। ମୁତ୍ରାଶୟରେ ସମସ୍ୟା ପାଇଁ ମାସକ ପୂର୍ବରୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେ। ୨୦୧୩ରେ କାମ୍ବଲିଙ୍କର ହୃତପିଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ବିଗତ କିଛି ବର୍ଷ ହେବ କ୍ରିକେଟ୍ ସହ କୌଣସି ସଂପର୍କ ନଥିବା କାମ୍ବଲି ନିକଟରେ ମୁମ୍ବାଇର ଶିବାଜୀ ପାର୍କରେ ପ୍ରତିଷ୍ଠିତ ପ୍ରଶିକ୍ଷକ ରମାକାନ୍ତ ଆଚରେକରଙ୍କ ମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗଦେଇଥିଲେ। ସେତେବେଳେ ତାଙ୍କ କ୍ଷୀଣ ଶରୀର ଏବଂ ଖରାପ ସ୍ବାସ୍ଥ୍ୟାବସ୍ଥା ନେଇ କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘୋର ଆର୍ଥିକ ଅନଟନ ଦେଇ ଗତି କରୁଥିବା କାମ୍ବଲି ଅତୀତରେ ମାତ୍ରାଧିକ ନିଶାସେବନ ପାଇଁ ମଧ୍ୟ ବିବାଦୀୟ ‌ହୋଇଥିଲେ। ଏଥିଲାଗି ସେ ମଧ୍ୟ ବହୁବାର ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ଦୁଇ ଥର ବିବାହବନ୍ଧନରେ ଆବଦ୍ଧ ହୋଇଥିବା ୫୨ ବର୍ଷୀୟ କାମ୍ବଲି ପ୍ରଥମ ପତ୍ନୀଙ୍କ ସହ ସଂପର୍କ ତୁଟାଇବାରେ ଦ୍ବିତୀୟ ପତ୍ନୀଙ୍କୁ ନେଇ ଖୁସିରେ ଘର ସଂସାର କରୁଥିଲେ। ହେଲେ ନିଶା ସେବନ ପାଇଁ ଗତ ଏକ ଦଶନ୍ଧି ହେବ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିଆସୁଛନ୍ତି। ଏକଦା ତେନ୍ଦୁଲକରଙ୍କଠାରୁ ଅଧିକ ପ୍ରତିଭାବାନ ଖେଳାଳି ଭାବେ ପରିଚିତ ଥିବା କାମ୍ବଲି ଭାରତ ପକ୍ଷରୁ ୧୭ ଟେଷ୍ଟ୍ ଓ ୧୦୪ ଦିନିକିଆ ଖେଳିଛନ୍ତି। କ୍ୟାରିୟରର ପ୍ରଥମାର୍ଦ୍ଧରେ ତାଙ୍କୁ ଭାରତୀୟ ରନ୍ ମେସିନ୍‌ର ଆଖ୍ୟା ମିଳିଥିଲା। ହେଲେ ବେପରୁଆ ମନୋଭାବ ଏବଂ ବିଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ନିଜ ହାତରେ ହିଁ ସେ ନିଜ କ୍ୟାରିୟର ଏକପ୍ରକାର ଉଜାଡ଼ି ଦେଇଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.