Breaking News

କାମ୍ୟକ ବନ

ବାଲ୍ମୀକିକୃତ ‘ରାମାୟଣ’ ଓ ବ୍ୟାସକୃତ ‘ମହାଭାରତ’ରେ କେତେକ ବିଶିଷ୍ଟ ବନର ବର୍ଣ୍ଣନା ଦେଖାଯାଏ। ରାମାୟଣ ଅନୁସାରେ, ବନବାସ କାଳରେ ରାମ ସମଗ୍ର ଭାରତରେ ଥିବା ଅନେକ ବନଭୂମି ପରିକ୍ରମା କରିଥିଲେ। ସେ ମଧ୍ୟରୁ ଚିତ୍ରକୂଟ ଓ ଦଣ୍ଡକାରଣ୍ୟ ଦୁଇଟି।

ବାଲ୍ମୀକିକୃତ ‘ରାମାୟଣ’ ଓ ବ୍ୟାସକୃତ ‘ମହାଭାରତ’ରେ କେତେକ ବିଶିଷ୍ଟ ବନର ବର୍ଣ୍ଣନା ଦେଖାଯାଏ। ରାମାୟଣ ଅନୁସାରେ, ବନବାସ କାଳରେ ରାମ ସମଗ୍ର ଭାରତରେ ଥିବା ଅନେକ ବନଭୂମି ପରିକ୍ରମା କରିଥିଲେ। ସେ ମଧ୍ୟରୁ ଚିତ୍ରକୂଟ ଓ ଦଣ୍ଡକାରଣ୍ୟ ଦୁଇଟି। ସେହି ସ୍ଥାନରେ ରାମଚନ୍ଦ୍ର ବନବାସର ମୁଖ୍ୟ ଭାଗ କଟାଇଥିଲେ। ଠିକ୍‌ ସେହିପରି କୁଚକ୍ରୀ ଦୁ‌େର୍ଯ୍ୟାଧନର କୁଚକ୍ରର ଶିକାର ହୋଇ ପାଣ୍ଡବମାନେ ସେମାନଙ୍କ ଜୀବନର ଅନେକ ବର୍ଷ ବନଭୂମିରେ ବିତାଇଥିଲେ। ପ୍ରଥମେ ଜତୁଗୃହ ଦହନ ମଧ୍ୟରୁ ପଳାୟନ କରି ସେମାନେ ଅନେକ ବର୍ଷ ବନ ପ୍ରଦେଶରେ କଟାଇଥିଲେ। ପୁନଶ୍ଚ ପଶାଖେଳରେ ହାରି ପାଣ୍ଡବ ପାଞ୍ଚଭାଇ ଦ୍ରୌପଦୀଙ୍କ ସହିତ ବାରବର୍ଷ ବନବାସରେ ଯାଇଥିଲେ। ସେହି ସମୟରେ ସେମାନେ ଯେଉଁ ବନରେ ରହିଥିଲେ ତାହା ହେଉଛି କାମ୍ୟକ ବନ ଓ ଦ୍ବେତବନ। ସାଧାରଣତଃ ପ୍ରାଚୀନ କାଳର ବନଭୂମିମାନ ଥିଲା ତପସ୍ୟାଭୂମି। ବହୁ ମୁନିଋଷି ବନରେ ଆଶ୍ରମ ପ୍ରତିଷ୍ଠା କରି ତପସ୍ୟା କରୁଥିଲେ। ଫଳରେ ଏହାକୁ ପବିତ୍ର ସ୍ଥାନ ଭାବରେ ଗ୍ରହଣ କରାଯାଉଥିଲା।

ପ୍ରଥମ ଥର ପାଣ୍ଡବମାନେ ଯେତେ‌ବେଳେ କାମ୍ୟକ ବନ ଦେଇ ଯାତ୍ରା କରିଥିଲେ, ସେତେବେଳେ ସେଠାରେ ହିଡ଼ିମ୍ବା ନାମ୍ନୀ ରାକ୍ଷସୀ ସହିତ ଭୀମଙ୍କର ବିବାହ ହୋଇଥିଲା। ସେଠାରୁ ଯାଇ ପାଣ୍ଡବମାନେ ଏକଚକ୍ରା ନଗରୀରେ ବାସ କରିଥିଲେ। କିନ୍ତୁ ଦ୍ବିତୀୟ ଥର ବନବାସ କାଳରେ ପାଣ୍ଡବମାନେ ପ୍ରାୟ ଅଜ୍ଞାତବାସ ପୂର୍ବରୁ କାମ୍ୟକ ବନରେ ବାସ କରିଥିଲେ। ଏହି ପୁରାଣପ୍ରସିଦ୍ଧ ବନ ସରସ୍ବତୀ ନଦୀ ତୀରରେ, କୁରୁ ରାଜ୍ୟର ପଶ୍ଚିମ ସୀମାରେ ଅବସ୍ଥିତ ଥିଲା। ‌େସଠାରେ ବହୁ ମୁନିଋଷି ରହୁଥିଲେ। ଏହି ବନ ମଧ୍ୟରେ ମହାମୁନି ତୃଣବିନ୍ଦୁଙ୍କର ଏକ ଆଶ୍ରମ ଥିଲା ଏବଂ ତାଙ୍କ ନାମରେ ନାମିତ ଏକ ସରୋବର ରହିଥିଲା। ଏହି ସରୋବର ନିକଟରେ ପାଣ୍ଡବମାନେ ସେମାନଙ୍କର ଆଶ୍ରମ ପ୍ରତିଷ୍ଠା କରି ରହୁଥିଲେ। ଏହି ସ୍ଥାନ କୁରୁଜାଙ୍ଗଲ ପ୍ରଦେଶର ନିକଟବର୍ତ୍ତୀ ଥିବାରୁ, ଯୁଧିଷ୍ଠିରଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା ଯୋଗୁଁ କୁରୁଜାଙ୍ଗଲର ଅଧିବାସୀମାନେ ପ୍ରାୟ ଆସି ପାଣ୍ଡବମାନଙ୍କୁ ସାକ୍ଷାତ କରୁଥିଲେ। ବିଦୂର, ସଂଜୟ, ବ୍ୟାସ, ଶୌନକ, ନାରଦ, ମାର୍କଣ୍ଡେୟ, ଲୋମଶ ଆଦି ମହାଭାରତ କାଳର ପ୍ରଖ୍ୟାତ ପୁରୁଷମାନେ ଏଠାକୁ ଆସି ପାଣ୍ଡବମାନଙ୍କ ସହିତ ମିଳିତ ହେଉଥିଲେ। ଏପରିକି କୁଚକ୍ରୀ ଦୁ‌େର୍ଯ୍ୟାଧନର ପ୍ରରୋଚନାରେ ମହାମୁନି ଦୁର୍ବାସା ମଧ୍ୟ ଆସି ପାଣ୍ଡବମାନଙ୍କ କୁଟୀରରେ ଆତିଥ୍ୟ ଗ୍ରହଣ କରିଥିଲେ। କିନ୍ତୁ କୃଷ୍ଣଙ୍କ ଅନୁକମ୍ପାରୁ ଦୁର୍ବାସା ପାଣ୍ଡବମାନଙ୍କୁ ଅଭିଶାପ ଦେବା ବଦଳରେ ଆଶୀର୍ବାଦ କରି ଚାଲିଯାଇଥିଲେ।

ଶ୍ରୀକୃଷ୍ଣଙ୍କ ଉପଦେଶ ଅନୁସାରେ, ଏଠାରୁ ଯାଇ ଅର୍ଜୁନ ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କରିଥିଲେ ଏବଂ ପାଶୁପତ ଅସ୍ତ୍ର ଲାଭ କରିବା ସହିତ ଇନ୍ଦ୍ରଙ୍କ ବୈଜୟନ୍ତପୁର ଯାଇ ସମସ୍ତ ଦିବ୍ୟାସ୍ତ୍ର ଲାଭ କରିଥିଲେ। କାମ୍ୟକ ବନରେ ପାଣ୍ଡବମାନେ ଥିବା ସମୟରେ ଅନେକ ଘଟଣା ଘଟିଥିଲା। ସେଥି ମଧ୍ୟରୁ ଏକ ବିଶେଷ ଘଟଣା ଥିଲା ଦ୍ରୌପଦୀଙ୍କୁ ଜୟଦ୍ରଥର ଅପହରଣ। ସିନ୍ଧୁରାଜ ଜୟଦ୍ରଥ ଏକଦା ଶାଲ୍ବ ଦେଶକୁ ଯାତ୍ରା କରୁଥିବା ସମୟରେ କାମ୍ୟକ ବନରେ ସେ ଦ୍ରୌପଦୀଙ୍କୁ ଭେଟିଥିଲେ। ଜୟଦ୍ରଥ ଦ୍ରୌପଦୀଙ୍କର ନଣନ୍ଦ ଓ ପାଣ୍ଡବ କୌରବଙ୍କର ଭଉଣୀ ଦୁଃଶୀଳାଙ୍କ ପତି। ଜୟଦ୍ରଥ ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଅଭିମନ୍ୟୁ ବଧରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ପାଣ୍ଡବମାନଙ୍କର କାମ୍ୟକ ବନର ରହଣି ଅତ୍ୟନ୍ତ ଘଟଣା ବହୁଳ ଥିଲା। ବନବାସର ଶେଷପର୍ଯ୍ୟାୟରେ ସେମାନେ କାମ୍ୟକ ବନରୁ ‌ଦ୍ବେତ ବନ ଯାଇ ସେଠାରୁ ଅଜ୍ଞାତବାସରେ ଯାଇଥିଲେ। ସଂପ୍ରତି କାମ୍ୟକ ବନ ହରିୟାଣାରେ ଅବସ୍ଥିତ। ତାହାର ଦକ୍ଷିଣରେ ଦ୍ବେତବନ ରହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.