Breaking News

କାମ କରାଇବାକୁ ୬୬% ସଂସ୍ଥା ଦେଇଛନ୍ତି ଲାଞ୍ଚ: ୫୪% ସଂସ୍ଥା ‌ବାଧ୍ୟ ହୋଇଥିଲେ

ବ୍ୟବସାୟ କରିବା ଲାଗି ଲାଞ୍ଚ ଦେବା ଏକ ଆବଶ୍ୟକତାରେ ପରିଣତ ହୋଇଯାଇଛି। ଲୋକାଲ୍‌ସର୍କଲ୍‌ସ ପକ୍ଷରୁ ଦେଶର ୧୫୯ ଜିଲ୍ଲାରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ବ୍ୟବସାୟ କରିବା ଲାଗି ଲାଞ୍ଚ ଦେବା ଏକ ଆବଶ୍ୟକତାରେ ପରିଣତ ହୋଇଯାଇଛି। ଲୋକାଲ୍‌ସର୍କଲ୍‌ସ ପକ୍ଷରୁ ଦେଶର ୧୫୯ ଜିଲ୍ଲାରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି। ୧୫୯ଟି ଜିଲ୍ଲାରେ କରାଯାଇଥିବା ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୬୬ ପ୍ରତିଶତ ସଂସ୍ଥା ଗତ ୧୨ ମାସ ଭିତରେ ଲାଞ୍ଚ ଦେଇଥିବା ସ୍ବୀକାର କରିଛନ୍ତି। ‌ପ୍ରାୟ ୫୪ ପ୍ରତିଶତ ସଂସ୍ଥା ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିବା ବେଳେ ୪୬ ପ୍ରତିଶତ ସଂସ୍ଥା ନିଜ ଆଡ଼ୁ ଲାଞ୍ଚ ଦେଇଛନ୍ତି।

ସରକାରୀ ବିଭାଗରେ କୌଣସି କାମ କରାଇବାକୁ ହେଲେ ଲାଞ୍ଚ ଦେବା ଯେଭଳି ଅପରିହାର୍ଯ୍ୟ ହୋଇପଡ଼ିଛି। ବ୍ୟବସାୟୀମାନଙ୍କ ଲାଗି ତାହା ଜୀବନର ଏକ ଅଂଶରେ ପରିଣତ ହୋଇଛି। କୌଣସି ପରମିଟ୍‌ କିମ୍ବା ଲାଇସେନ୍ସ ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡ଼ୁଛି। ଏଭଳିକି ଲାଇସେନ୍ସର ନକଲ ପାଇବାକୁ ବି ଲାଞ୍ଚ ଗଣିବାକୁ ପଡ଼ୁଛି। ସର୍ଭେରେ ଅଂଶଗ୍ରହଣ କରିଥିବା ୧୬ ପ୍ରତିଶତ ସଂସ୍ଥା କହିଛନ୍ତି ଯେ ବିନା ଲାଞ୍ଚରେ ସେମାନଙ୍କ କାମ ହୋଇଛି। ଯେଉଁ ସଂସ୍ଥା ଲାଞ୍ଚ ଦେଇଛନ୍ତି, ସେମାନେ ବିଶେଷ କରି ପର୍‌ମିଟ୍‌ ପାଇବା, ଯୋଗାଣକାରୀ ଯୋଗ୍ୟତା, ଫାଇଲ୍‌, ଅର୍ଡର ଓ ପେମେଣ୍ଟ ଲାଗି ସରକାରୀ ସଂସ୍ଥାଗୁଡ଼ିକୁ ଲାଞ୍ଚ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସିସିଟିଭି ଲାଗିଥିଲେ ମଧ୍ୟ ବନ୍ଦ ଘରେ ଲାଞ୍ଚ କାରବାର ହେଉଛି। ସରକାରୀ ଇ-ପ୍ରକ୍ୟୁରମେଣ୍ଟ ଲାଗୁ ହେବା ପରେ ଦୁର୍ନୀତି ଅନେକାଂଶରେ ହ୍ରାସ ପାଇଥିଲେ ମଧ୍ୟ ଏବେବି ବହୁ କିଛି କାମ କରାଇବା ଲାଗି ଲାଞ୍ଚ ଗଣିବାକୁ ପଡ଼ୁଛି। ବ୍ୟବସାୟୀମାନେ ଦେଇଥିବା ଲାଞ୍ଚର ୭୫ ପ୍ରତିଶତ ରାଶି ଆଇନ, ପାଣିପାଗ, ଖାଦ୍ୟ, ଡ୍ରଗ୍‌ସ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦେଇଛନ୍ତି। ଜିଏସ୍‌ଟି ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ, ମୁନସିପାଲିଟି ଓ ଶକ୍ତି ବିଭାଗର ଅଧିକାରୀଙ୍କୁ ମଧ୍ୟ ବହୁ ସଂସ୍ଥା ଲାଞ୍ଚ ଦେଇଥିବା କହିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.