୨୦୧୫ରେ ୟୁକ୍ରେନରୁ ଚାଲି ଆସି ଆମେରିକାରେ ବସବାସ କରୁଥିବା କାରୋଲିନା, ‘ରୁଷିଆ-ୟୁକ୍ରେନ’ ଯୁଦ୍ଧ କାଳରେ, ତାଙ୍କ କ୍ଷତବିକ୍ଷତ ମାତୃଭୂମି ସକାଶେ ଅର୍ଥ ଯୋଗାଡ଼ କରିବା ଲାଗି ଅନେକ ସମୟରେ ସଡ଼କ ଉପରେ ପାତ୍ରଟିଏ ଥୋଇ ବେହେଲା ବାଦନ କରୁଥିଲେ। କହିବା ବାହୁଲ୍ୟ, ବେହେଲାର ସେ କରୁଣ କ୍ରନ୍ଦନରେ ଅଭିଭୂତ ପଥଚାରୀମାନଙ୍କ ଦାନରେ ପାତ୍ର ଉଛୁଳି ପଡୁଥିଲା। ତିନି ବର୍ଷର ଯୁଦ୍ଧ ପରେ ଆସିବାକୁ ଯାଉଥିବା ସନ୍ଧିରେ, ଅନେକ କିଛି ହରାଇ ସାରିଥିବା ୟୁକ୍ରେନ ଯଦି କିଛି ନ ପାଏ, ତେବେ କାରୋଲିନାଙ୍କ ବେହେଲା କିଭଳି କ୍ରନ୍ଦନ କରିବ?

ଆଉ ମାତ୍ର ନଅ ଦିନ ପରେ ରୁଷିଆ-ୟୁକ୍ରେନ ଯୁଦ୍ଧ ତିନି ବର୍ଷ ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ଯୁଦ୍ଧର ଅବସାନ ନେଇ ମାର୍ଗ ପ୍ରଶସ୍ତ ହେବା ଭଳି ମନେ ହେଉଛି। ପ୍ରକାଶ ଥାଉ କି ଆମେରିକାରେ ରାଷ୍ଟ୍ରପତି ନିର୍ବ‌ାଚନର ପ୍ରଚାର କାଳରେ ଡୋନାଲ୍‌ଡ ଟ୍ରମ୍ପ ପ୍ରଦାନ କରିଥିବା ପ୍ରତିଶ୍ରୁତିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ସେ ଉଦ୍‌ଗ୍ରୀବ, ଯହିଁରେ ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାର ଜବାବ ଥିଲା ଅନ୍ୟତମ। ଏଥିରେ ଦ୍ବିଧା ନାହିଁ ଯେ ଟ୍ରମ୍ପଙ୍କ ଉଦ୍ୟମ ସଫଳ ହେଲେ (ଆଶା ଅତ୍ୟନ୍ତ ଉଜ୍ଜ୍ବଳ) ପୃଥିବୀ ଯୁଦ୍ଧ ତ୍ରାସରୁ ମୁକ୍ତି ପାଇ ଶାନ୍ତିରେ ନିଃଶ୍ବାସ ମାରିବ ଏବଂ ଟ୍ରମ୍ପ ସାବ୍ୟସ୍ତ କରିପାରିବେ ଯେ ଆମେରିକାର ଶକ୍ତି ଓ ପ୍ରଭାବ ପ୍ରଶ୍ନାତୀତ, କିନ୍ତୁ ଆପଣା ଉଦ୍ଦେଶ୍ୟ ପୂରଣ କରିବା ଲାଗି ତାଙ୍କ ସ୍ବରରେ ନିହିତ ଧମକ ଓ ଆଭିମୁଖ୍ୟରେ ଦୃଶ୍ୟମାନ ହେଉଥିବା ଏକଦେଶଦର୍ଶୀ ବହପ ଯେ ଏହି ସନ୍ଧିକୁ ଅନେକ ଦୃଷ୍ଟିରୁ ବ୍ୟର୍ଥ କରିଦେଇପାରେ, ତା’ର ଆଶଙ୍କା‌ ମଧ୍ୟ ରହିଛି।
ପ୍ରକାଶ ଥାଉ କି ‘ରୁୁଷିଆ-ୟୁକ୍ରେନ’ ଯୁଦ୍ଧ ବନ୍ଦ କରିବା ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ ଦୃଷ୍ଟିଗୋଚର ହୋଇଛି ରୁଷିଆ‌ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଏକ ଦୀର୍ଘ ଆଲୋଚନା, ଯହିଁରେ ପୁଟିନ ଅତ୍ୟନ୍ତ ଆନନ୍ଦିତ। ଅବଶ୍ୟ, ଏହି ଆଲୋଚନା ପରେ ୟୁକ୍ରେନର ରା‌ଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ସହିତ ମଧ୍ୟ ଟ୍ରମ୍ପଙ୍କ ବାର୍ତ୍ତାଳାପ ହୋଇଛି, ପର୍ଯ୍ୟବେକ୍ଷକଙ୍କ ମତରେ ଯାହା ହୁଏତ କେବଳ ଔପଚାରିକତା ଦୃଷ୍ଟିରୁ ମାତ୍ର। ଯଦିଓ ଏହି ବାର୍ତ୍ତାଳାପ ପରେ ଜେଲେନସ୍କି ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି, ଅନୁମାନ କରାଯାଇଥାଏ ଯେ ଅନେକ କିଛି ହରାଇ ସନ୍ଧି ସ୍ବୀକାର କରିବାକୁ ହୁଏତ ସେ ବାଧ୍ୟ ହେବେ। ଏହାର ପ୍ରଥମ କାରଣ, ପୁଟିନ ହେଉଛନ୍ତି ଟ୍ରମ୍ପଙ୍କ ଅନ୍ତରଙ୍ଗ। ଦ୍ବିତୀୟରେ ୟୁକ୍ରେନ ‘ନାଟୋ’ ବା ‘ଇୟୁ’ (ୟୁରୋପୀୟ ସଂଘ)ର ସଦସ୍ୟ ହେଉ ବୋଲି ଟ୍ରମ୍ପ ଆଦୌ ଚାହାନ୍ତି ନାହିଁ, ଠିକ୍‌ ପୁଟିନଙ୍କ ଭଳି। ତୃତୀୟରେ ଏହି ସନ୍ଧି ଆଲୋଚନାରେ ୟୁକ୍ରେନକୁ ଏକ ସମାନ ଭାଗୀଦାର ଭାବେ ସ୍ବୀକାର କରିବାକୁ ମଧ୍ୟ ଟ୍ରମ୍ପ ଅନିଚ୍ଛୁକ, ଯେଉଁ କାରଣରୁ ପୁଟିନଙ୍କ ସହିତ ଆଲୋଚନା ପରେ ଯାଇ ସେ ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପ୍ରକାଶ ଥାଉ କି ଗଲା ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରଶ୍ନ ଟ୍ରମ୍ପଙ୍କୁ ଅବାକ୍‌ ଓ ଅପ୍ରସ୍ତୁତ କରି ଦେଇଥିଲା, ତାହା ଥିଲା ସନ୍ଧି ଆଲୋଚନାରେ ୟୁକ୍ରେନର ସମାନ ଅଂଶୀଦାରିକୁ କେନ୍ଦ୍ର କରି। କେବଳ ସେତିକି ନୁହେଁ, ଟ୍ରମ୍ପଙ୍କ ମନୋଭାବର ଆଭାସ ମିଳିଥାଏ ତାଙ୍କ ମନ୍ତବ୍ୟରୁ, ଯହିଁରେ ଏକ ସ୍ପଷ୍ଟ-ଅସ୍ପଷ୍ଟ ଇଙ୍ଗିତ ଅଛି ଯେ ହୋଇପାରେ ୟୁକ୍ରେନ ରୁଷିଆର ଏକ ଅଂଶ! ଟ୍ରମ୍ପ ମଧ୍ୟ ପୁଟିନଙ୍କ ଭଳି ଜଣେ ବିସ୍ତାରବାଦୀ ନେତା, ‌େତଣୁ ପର୍ଯ୍ୟବେକ୍ଷକମାନଙ୍କ ମତରେ ତାଙ୍କ ଠାରୁ ଜେଲେନସ୍କି ଉଚିତ ନ୍ୟାୟ ପାଇବାର ଆଶା କ୍ଷୀଣ!
ଉଲ୍ଲେଖଯୋଗ୍ୟ ଯେ କି ତିନି ବର୍ଷ ତଳେ ୟୁକ୍ରେନ ଉପରେ ଆକ୍ରମଣ କଲା ବେଳକୁ ରୁଷିଆ ଥିଲା ପୃଥିବୀର ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି ଏବଂ ୟୁକ୍ରେନର ସ୍ଥାନ ଥିଲା ଚତୁର୍ବିଂଶତମ ଅର୍ଥାତ୍‌ ଚବିଶ। ସୁତରାଂ, ଏକ ଧାରଣା ଜନ୍ମିଥିଲା ଯେ ସପ୍ତାହକ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ର ରାଜପଥରେ ଅତିକାୟ ରୁଷୀୟ ଟ୍ୟାଙ୍କମାନ ଗଡ଼ିବେ। କିନ୍ତୁ, ଜେଲେନସ୍କିଙ୍କ ନେତୃତ୍ବରେ ୟୁକ୍ରେନ କିଭଳି ରୁଷିଆର ପ୍ରଚଣ୍ଡ ଆକ୍ରମଣକୁ ପ୍ରତିହତ କରିପାରିଛି, ତାହା ଭବିଷ୍ୟତରେ ଏକ ଦନ୍ତକଥାର ବିଷୟବସ୍ତୁ ଭଳି ହୋଇ ରହିଯାଇପାରେ। କିନ୍ତୁ, ଏଥି ଲାଗି ୟୁକ୍ରେନକୁ ଯଥେଷ୍ଟ ମୂଲ୍ୟ ଦେବାକୁ ପଡ଼ିଛି; ୟୁକ୍ରେନର ଅନେକ ସହର ଧ୍ବଂସସ୍ତୂପରେ ପରିଣତ ହୋଇଛନ୍ତି, ୪୦ ହଜାରରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି, ଅସଂଖ୍ୟ ୟୁକ୍ରେନୀୟ ସୈନିକ ମୃତାହତ, ରୁଷିଆ ପକ୍ଷରୁ ୟୁକ୍ରେନର ୧ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ଆୟତନ ବିଶିଷ୍ଟ ଅତ୍ୟନ୍ତ ଉର୍ବର ସମତଳ ଅଞ୍ଚଳ ଅଧିକୃତ ହୋଇଛି, ଯାହା ୟୁକ୍ରେନର ପ୍ରାୟ ଏକ-ପଞ୍ଚମାଂଶ। ଅନେକ ପର୍ଯ୍ୟବେକ୍ଷକ କହନ୍ତି ଯେ ଏହି ସନ୍ଧିରେ ସାଂପ୍ରତିକ ସ୍ଥିତି ବଜାୟ ରହିବାର ଆଶା ଅଧିକ ଅର୍ଥାତ୍‌ ରୁଷିଆ ଅଧିକୃତ ଅଞ୍ଚଳ ୟୁକ୍ରେନ ଫେରି ପାଇ ନପାରେ! ଏଣେ ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକାର ଚାପରେ ୟୁକ୍ରେନ ‘ନା‌ଟୋ’ ବା ‘ଇୟୁ’ର ଅଂଶ ହେବାର ଆଶା ମଧ୍ୟ କ୍ଷୀଣ। ସୁତରାଂ, ଏଭଳି ସନ୍ଧିରେ ରୁଷିଆର ସମସ୍ତ କାମନା ପୂରଣ ହେବାକୁ ଯାଉଥିବା ବେଳେ ୟୁକ୍ରେନ ନିଜକୁ ରିକ୍ତ ହସ୍ତରେ ପାଇପାରେ! ସୁତରାଂ, ଏଭଳି ଏକ ସନ୍ଧି ୟୁକ୍ରେନୀୟ ପ୍ରାଣବଳିକୁ ସଂପୂର୍ଣ୍ଣ ବ୍ୟର୍ଥ କରି ଦେବ। ଏଭଳି ଏକ ସ୍ଥିତିରେ ଜେଲେନସ୍କି କିଭଳି ଆଶଙ୍କା ବିଜଡ଼ିତ ହୋଇପଡ଼ିଛନ୍ତି, ତାହାର ପ୍ରମାଣ ମିଳେ ଆମେରିକାକୁ ସନ୍ତୁଷ୍ଟ କରିବା ଲାଗି ସେ କରିଥିବା ଏକ ଉଦ୍ୟମରୁ, ଯହିଁରେ ସେ ୟୁକ୍ରେନରେ ଉପଲବ୍‌ଧ ‘କ୍ରିଟିକାଲ ଖଣିଜ ଦ୍ରବ୍ୟ’ର ବିଶାଳ ଭଣ୍ଡାରର ଅଧିକାର ସ୍ବେଚ୍ଛାରେ ଆମେରିକାକୁ ପ୍ରଦାନ କରିବାକୁ ପ୍ରସ୍ତୁତ। ପ୍ରକାଶ ଥାଉ କି କୋବାଲ୍‌ଟ ବା ନିକେଲ ବା ଲିଥିଅମ ବା ଟାଇଟାନିଅମ ଇତ୍ୟାଦି ଭଳି କେତେକ ଅତ୍ୟନ୍ତ ବିରଳ ଧାତୁ ‘କ୍ରିଟିକାଲ ଖଣିଜ ଦ୍ରବ୍ୟ’ ଭାବେ ପରିଚିତ, ଯାହା ଉପରେ ଅଧିକାର ଭବିଷ୍ୟତ୍‌ରେ ଶକ୍ତି ସନ୍ତୁଳନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଇଥାଏ। ପ୍ରକାଶ ଥାଉ କି ଏଭଳି ଅଧିକାର ବା ପ୍ରଭୁତ୍ବ ପାଇବା ଲାଗି ଚୀନ ପକ୍ଷରୁ ବିଧିବଦ୍ଧ ଭାବେ ଆଫ୍ରିକାରେ ଥିବା ‘କ୍ରିଟିକାଲ ଖଣିଜ ଦ୍ରବ୍ୟ’ର ଖଣିଗୁଡ଼ିକୁ ଅକ୍ତିଆର କରାଯାଇ ସାରିଲାଣି। ଜଣାଯାଏ ଯେ ସର୍ବମୋଟ ୩୫ଟି ‘କ୍ରିଟିକାଲ ଖଣିଜ ଦ୍ରବ୍ୟ’ ମଧ୍ୟରୁ ଅନ୍ତତଃ ୨୨ଟି ୟୁକ୍ରେନରେ ଉପଲବ୍‌ଧ। କହିବାର ତାତ୍ପର୍ଯ୍ୟ ହେଲା ଟ୍ରମ୍ପଙ୍କୁ ସନ୍ତୁଷ୍ଟ କରିବା ସହିତ ତାଙ୍କ ନିକଟତର ହେବା ଲାଗି ଏହା ଜେଲେନସ୍କିଙ୍କ ଏକ ବିକଳ ଉଦ୍ୟମ ମାତ୍ର। ଏହି ପରିପ୍ରେକ୍ଷୀରେ ୧୯୪୫ ମସିହାରେ, ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ପରେ, କ୍ରିମିଆରେ ଆୟୋଜିତ ୟାଲଟା ସମ୍ମେଳନ ବିଷୟ ସ୍ମରଣକୁ ଆସିଥାଏ, ଯହିଁରେ ଆମେରିକା, ରୁଷିଆ ଓ ଗ୍ରେଟ ବ୍ରିଟେନର ତିନି ଶାସନ ମୁଖ୍ୟ ଯଥାକ୍ରମେ ରୁଜଭେଲ୍‌ଟ, ଯୋସେଫ ଷ୍ଟାଲିନ ଓ ୱିନଷ୍ଟନ ଚର୍ଚ୍ଚିଲ ମିଶି ଯୁଦ୍ଧ ପରାଜିତ ଜର୍ମାନିର ଭାଗ୍ୟ ନିର୍ଦ୍ଧାରଣ କରିଥିଲେ, ‌େଯଉଁ ପ୍ରକ୍ରିୟାରେ ଜର୍ମାନିର ନାଗରିକ ବା ଜର୍ମାନିର ରାଜନେତାମାନଙ୍କର କୌଣସି ସଂପୃକ୍ତି କି ସ୍ବର ନ ଥିଲା। ମୁଷ୍ଟିମେୟ ଶକ୍ତିଶାଳୀ ରାଷ୍ଟ୍ରର ଶାସନ-ମୁଖ୍ୟଙ୍କ ଏଭଳି ଅଦୌତି ଆଜି ବି ଦୃଶ୍ୟମାନ; ନୁହେଁ କି?
ଏହି ସ୍ତମ୍ଭର ଅନେକ ସଂଗୀତପ୍ରେମୀ ପାଠକପାଠିକା ହୁଏତ କାରୋଲିନା ପ୍ରଟସେଙ୍କୋଙ୍କୁ ଜାଣିଥିବେ। ‌େ‌ଷାହଳ ବର୍ଷ ବୟସ୍କା ଏହି ୟୁକ୍ରେନୀୟ ବାଳିକା କାଲିଫର୍ନିଆର ବିଭିନ୍ନ ଛକ ସ୍ଥାନମାନଙ୍କରେ ବେହେଲା ବାଦନ କରି ତା’ର ଅପୂର୍ବ ମୂର୍ଚ୍ଛନାରେ ସମସ୍ତଙ୍କୁ ତଲ୍ଲୀନ କରି ଦିଅନ୍ତି। ପ୍ରକାଶ ଥାଉ କି ‘ୟୁଟ୍ୟୁବ’ରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କେଇ କୋଟି। ୨୦୧୫ରେ ୟୁକ୍ରେନରୁ ଚାଲି ଆସି ଆମେରିକାରେ ବସବାସ କରୁଥିବା କାରୋଲିନା, ‘ରୁଷିଆ-ୟୁକ୍ରେନ’ ଯୁଦ୍ଧ କାଳରେ, ତାଙ୍କ କ୍ଷତବିକ୍ଷତ ମାତୃଭୂମି ସକାଶେ ଅର୍ଥ ଯୋଗାଡ଼ କରିବା ଲାଗି ଅନେକ ସମୟରେ ସଡ଼କ ଉପରେ ପାତ୍ରଟିଏ ଥୋଇ ବେହେଲା ବାଦନ କରୁଥିଲେ। କହିବା ବାହୁଲ୍ୟ, ବେହେଲାର ସେ କରୁଣ କ୍ରନ୍ଦନରେ ଅଭିଭୂତ ପଥଚାରୀମାନଙ୍କ ଦାନରେ ପାତ୍ର ଉଛୁଳି ପଡୁଥିଲା। ତିନି ବର୍ଷର ଯୁଦ୍ଧ ପରେ ଆସିବାକୁ ଯାଉଥିବା ସନ୍ଧିରେ, ଅନେକ କିଛି ହରାଇ ସାରିଥିବା ୟୁକ୍ରେନ ଯଦି କିଛି ନ ପାଏ, ତେବେ କାରୋଲିନାଙ୍କ ବେହେଲା କିଭଳି କ୍ରନ୍ଦନ କରିବ? ସେ କ୍ରନ୍ଦନର ସ୍ବର ସୁଦୂର ୟୁକ୍ରେନରେ ଅଗଣିତ ୟୁକ୍ରେନୀୟଙ୍କ ବକ୍ଷ ବିଦୀର୍ଣ୍ଣ କରିଦେବ ସିନା, ଆମେରିକା ମାଟିରୁ ନିସୃତ ହେଉଥିଲେ ହେଁ ଟ୍ରମ୍ପଙ୍କୁ ସ୍ପର୍ଶ କରି ପାରିବ ତ? କିନ୍ତୁ ଚୂଡ଼ାନ୍ତ ସନ୍ଧି ପ୍ରକାଶ୍ୟ ନ ହେବା ପର୍ଯ୍ୟନ୍ତ ଆଶା ରଖିବାରେ କ୍ଷତି କ’ଣ ଯେ କାରୋଲିନାଙ୍କ ବେହେଲା ଟ୍ରମ୍ପଙ୍କ ହୃଦୟ ତନ୍ତ୍ରୀକୁ ମଧ୍ୟ ଥରାଇ ଦେଇପାରେ!