ଓଡିଶା
କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଦ୍ୱାରା ସମସ୍ତଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ କଦୋପଡାର କଞ୍ଚନୀ ପଟେଲ(୬୦)ଙ୍କ ଡ଼ାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ କଦୋପଡାର ଗୁରୁତର ଆହତ ବାସନ୍ତୀ ପଟେଲ, ପାର୍ବତୀ ପଟେଲ, ବିଳାସିନୀ ପଟେଲ,ଶିବାନୀ ପଟେଲ, ବନ୍ଦିତା ପଟେଲ,କାରେୀ ପଟେଲ ଓ ରଞ୍ଜିତା ଡନସେନାଙ୍କୁ ବୁର୍ଲା ଭୀମସାର କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରଞ୍ଜିତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାତିରେ ହିଁ ବୁର୍ଲାରୁ ରାଉରକେଲା ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଖବରପାଇ ରାତିରେ କୁଚିଣ୍ଡା ଉପଜିଲାପାଳ ସରୱନନ ସ ଓ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ସୂଚନା ଅନୁଯାୟୀ, କୁଚିଣ୍ଡା ବ୍ଲକର ଟାଇଁସର ଠାରେ ଚାଲିଥିବା ଧନୁଯାତ୍ରା ଦେଖବା ପାଇଁ ମୃତକଙ୍କ ସହ ଅନ୍ୟ ଗୁରୁତରମାନେ ଯାଇଥିଲେ। ଯାତ୍ରାଦେଖି ଚାଲିଚାଲି ସେମାନେ ଘରକୁ ଫେରୁଥିବା ସମୟରେ କଦୋପଡାଠାରେ ଟାଇଁସର ପଟୁ କୁଚିଣ୍ଡା ଆଡ଼କୁ ଏକ କାର ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ସମସ୍ତେ ଟାଇଁସର କଦୋପଡାର । ଏନେଇ ପୋଲିସ ମହୁଲ ପାଲି ଥାନାରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି। କୁଚିଣ୍ଡା ଡାକ୍ତରଖାନାରେ ଶନିବାର ମୃତକ କଞ୍ଚନୀଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଥିଲ। କଦୋପଡାରେ ମୃତଦେହ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକେ କୁଚିଣ୍ଡା ରାଜ୍ୟ ରାଜପଥକୁ ଅପରାହ୍ନରୁ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଛନ୍ତି। ଏସ୍ଡିପିଓ ଦାସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛନ୍ତି।
ସୌଜନ୍ୟ ଧରିତ୍ରୀ




